ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଗାଙ୍ଗପୁର ବନାଞ୍ଚଳ ନିକଟସ୍ଥ ଆମ୍ବଡୋଳି ଗ୍ରାମର ଜଣେ ମହିଳା ଭାଲୁ ଆକ୍ରମଣରେ ଗୁରୁତର ଆହତ ହୋଇ ବ୍ରହ୍ମପୁର ମେଡିକାଲ୍ ରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି I ସୂଚନା ପ୍ରକାରେ ଆମ୍ବଡୋଳି ଗ୍ରାମର ପଙ୍କଜ ବିଷୋୟୀ (୫୨) ଆଜି ଭୋର୍ ରୁ ଗାଆଁ ନିକଟରେ ଥିବା ତାଙ୍କ ଜମିରୁ ପରିବା ତୋଳିବା ପାଇଁ ଯାଉଥିବା ବେଳେ ଏକ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା I ଭାଲୁ ଆକ୍ରମଣରେ ମହିଳାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା I ମହିଳାଙ୍କ ଚିତ୍କାର ଶୁଣି କିଛି ଲୋକ ପଙ୍କଜ ପାଖକୁ ଆସିବାରୁ ଭାଲୁ ପଙ୍କଜକୁ ଛାଡ଼ି ଜଙ୍ଗଲଆଡ଼େ ଚାଲିଯାଇଥିଲା I ସ୍ଥାନୀୟ ଲୋକେ ଗୁରୁତର ପଙ୍କଜଙ୍କୁ ଉଦ୍ଧାର କରି ପ୍ରଥମେ ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ସେଠାରୁ ତାଙ୍କୁ ବ୍ରହ୍ମପୁରକୁ ସ୍ଥାନାନ୍ତର କରିଥିଲେ I ଖବର ପାଇ ଗାଙ୍ଗପୁର ବନପାଳ ଶଙ୍କର୍ଷଣ ଗୌଡ଼ ପଙ୍କଜଙ୍କ ନିକଟରେ ପହଞ୍ଚି ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାପାଇଁ ଆଶ୍ୱାସନା ଦେଇଛନ୍ତି I ଭାଲୁଟି ବିଭିନ୍ନ ଗ୍ରାମରେ ବୁଲୁଥିବାରୁ ଆଜି ଡାକବାଜି ଯନ୍ତ୍ର ଦ୍ୱାରା ବନ ବିଭାଗ ତରଫରୁ କ୍ଷତ୍ରିୟବରପୁର ,ଗାଙ୍ଗପୁର ଏବଂ ଶାସନ ପଂଚାୟତର ବିଭିନ୍ନ ଗ୍ରାମରେ ଭୋର୍ ସମୟ ଏବଂ ସନ୍ଧ୍ୟା ସମୟରେ ଜମିବାଡିକୁ ଏକୁଟିଆ ନ ଯିବା ପାଇଁ ଲୋକଙ୍କୁ ସଚେତନ କରାଯାଇଥିବା ଦେଖିବାକୁ ମିଳିଛି I ସରକାରଙ୍କ ନୀତିନିୟମ ଅନୁସାରେ ପଙ୍କଜଙ୍କୁ ଆବଶ୍ୟକ ସାହାଯ୍ୟ ଯୋଗାଇଦିଆଯିବ ବୋଲି ବନ ବିଭାଗ ତରଫରୁ ସୂଚନା ଦିଆଯାଇଛି I
ରାଜ୍ୟ
ଭାଲୁ ଆକ୍ରମଣରେ ମହିଳା ଗୁରୁତର
- Hits: 11