ମାଲକାନଗିରି ରୁ ସୁରେନ୍ଦ୍ର ବେମାଲ : ଛୁଟି କାଟି ଡ୍ୟୁଟିକୁ ଫେରୁଥିଲେ, ହେଲେ କର୍ମସ୍ଥଳରେ ପହଞ୍ଚି ପାରିଲେନି । ଅଧାବାଟରେ ଚାଲିଗଲା ଜୀବନ। କାର୍ ଦୁର୍ଘଟଣାରେ ବିଏସଏଫ୍ ଯବାନ ମୃତ, ଡ୍ରାଇଭର୍ ସମେତ ୬ ଆହତ। ଆନ୍ଧ୍ର ସୀମାନ୍ତ ଚିନ୍ତୁରରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଚିନ୍ତୁର ଥାନା ପୁଲିସ ଘଟଣାସ୍ଥଳରେ ପହଁଚି ମୃତାହତଙ୍କୁ ଉଦ୍ଧାର କରିଛି।
ସୂଚନାନୁଯାୟୀ, ମାଲକାନଗିରି ଜିଲ୍ଲା ବାଲିମେଳା ୧୪୨ ବଟାଲିଆନ ବିଏସଏଫ କ୍ୟାମ୍ପର ଯବାନମାନେ ଛୁଟି ସାରି ଗତକାଲି ରାତିରେ ଆନ୍ଧ୍ର ପ୍ରଦେଶରୁ କାର୍ ଯୋଗେ ବାଲିମେଳା ଫେରୁଥିଲେ। ସୀମାନ୍ତ ଚିନ୍ତୁର ଠାରେ କାର୍ଟି ଏକ ଟ୍ରକ୍ ସହ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ଜଣେ ଯବାନଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣାରେ କାର୍ ଡ୍ରାଇଭର୍ ଗୁରୁତର ହୋଇଛନ୍ତି। ଖବର ପାଇ ଘଟଣାସ୍ଥଳରେ ଚିନ୍ତୁର ଥାନା ପୁଲିସ ପହଁଚି ମୃତାହତଙ୍କୁ ଉଦ୍ଧାର କରିଛି। ମୃତକ ଜଣଙ୍କ ବିଏସଏଫ ବାଟାଲିୟନର ହାବିଲଦାର ଗୌରବ ପାଣ୍ଡେ ବୋଲି ଜଣାପଡ଼ିଛି। ଆହତମାନଙ୍କୁ ଚିନ୍ତୁର ଓ ଖମାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।