ବାଣୀ ବୈଖରୀ ବାର୍ଷିକ ଉତ୍ସବ ୨୦୨୫
ଓଡ଼ଗାଁ,୧୯।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ପଞ୍ଚାୟତ ସମିତି ସଭାଗୃହରେ ସାହିତ୍ୟ ସଂସ୍କୃତି ଓ ଅସ୍ମିତାର ପରିଭାଷା ବାଣୀ ବୈଖରୀ ଅନୁଷ୍ଠାନର ଦ୍ବିତୀୟ ବାର୍ଷିକ ଉତ୍ସବ -୨୦୨୫ ରବିବାର ଅନୁଷ୍ଠିତ ହୋଇଥିବା ବେଳେ କାର୍ଯ୍ୟକ୍ରମର ଦ୍ବିତୀୟ ପର୍ଯ୍ୟାୟରେ ବାଣୀ ବୈଖରୀ ସାହିତ୍ୟ ପତ୍ରିକାର ଦ୍ବିତୀୟ ସଂସ୍କରଣ ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଯାଇଛି । ଓଡ଼ଗାଁ ବ୍ଳକ ଅଧ୍ୟକ୍ଷ ଲୋକନାଥ ସାହୁ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ବରିଷ୍ଠ କବି ଅବସରପ୍ରାପ୍ତ ଶିକ୍ଷକ ଗୋଦାବରୀଶ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଓଡ଼ିଆ ପ୍ରାଧ୍ୟାପକ ଡ.ବେଣୁଧର ଦାସ, ମୁଖ୍ୟ ବକ୍ତା ଭାବେ ନୟାଗଡ଼ ଜିଲ୍ଲା ଲେଖକ ପରିଷଦର ସମ୍ପାଦକ ଶେଖ୍ ଅବଦୁଲ ଖାଲିକ୍ ଏବଂ ସମ୍ମାନିତ ଅତିଥି ଭାବେ ସୁସାହିତିକ ଶିକ୍ଷକ ନିରାକାର ସ୍ବାଇଁ, କଟକରୁ ବ୍ରହ୍ମାନନ୍ଦ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ । ସେହିପରି ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନରେ ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ପ୍ରାକ୍ତନ ଅଧ୍ୟକ୍ଷ ପ୍ରାଧ୍ୟାପକ ଅଧିବାସ ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସମୟର ପ୍ରତିଫଳନରେ ଓଡ଼ିଆ ସାହିତ୍ୟ ଶିର୍ଷକ ଆଲୋଚନା ଚକ୍ରରେ ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ଅଧ୍ୟକ୍ଷ ରାଜକିଶୋର ସାହୁ, କୋରାପୁଟ ନନ୍ଦପୁର ମହାବିଦ୍ୟାଳୟ ଓଡ଼ିଆ ଅଧ୍ୟାପକ ରବି ଶତପଥି, ସୁସାହିତିକ ଦିବାକର ନାୟକ, ସୁଶାନ୍ତ ଦାଶ, ନାରାୟଣ ମୁଦୁଲି, ସୁକୁମାର ବିଶ୍ବାଳ ପ୍ରମୁଖଙ୍କ ଆଳଙ୍କାରିକ ଆଲୋଚନା ଥିଲା ବେଶ୍ ଉଚ୍ଚ କୋଟିର ।
ଆଲୋଚନା ଚକ୍ରର ଅନ୍ୟତମ ଅତିଥି ନୟାଗଡ଼ ବିଧାୟକ ତଥା ସାହିତ୍ୟିକ ଡ.ଅରୁଣ କୁମାର ସାହୁ ନିଜର କାର୍ଯ୍ୟ ବ୍ୟସ୍ତତା କାରଣରୁ ଦୂରଭାଷା ମାଧ୍ୟମରେ ନିଜର ବକ୍ତବ୍ୟ ରଖିଥିଲେ । ସାହିତ୍ୟ ବିନା ସମାଜ ନିର୍ଜନ, ନିରାଶ୍ରୟା ସାହିତ୍ୟ ହେଉଛି ଦର୍ପଣ ଏବଂ ସମାଜ ତା'ର ପ୍ରତିଫଳନ ବୋଲି ମତ ପ୍ରକାଶ ପାଇଥିଲା । ସାହିତ୍ୟାନୁରାଗୀ ଅଶ୍ବିନ ସୂତାର, ବିଦ୍ୟାଧର ମହାରଣା, ସୁଜାତା ଶତପଥୀ, ବିକାଶ ସାମନ୍ତରାୟ, ବିଶ୍ବ ଭାରତୀ ପାଣିଗ୍ରାହୀ ରାଜ କିଶୋର ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ନୟାଗଡ଼, ପୁରୀ, କଟକ, ଗଞ୍ଜାମ ଓ କୋରାପୁଟ ଜିଲ୍ଲାର ପ୍ରାୟ ଶତାଧିକ କବି କବୟତ୍ରୀ ଅଂଶଗ୍ରହଣ କରିଥିଲେ । ସମ୍ପାଦକ ଶାନ୍ତନୁ କୁମାର ବିଶୋଇ ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ କବି ତଥା ଶିକ୍ଷକ ଲଳିତ ମୋହନ ମିଶ୍ର କାର୍ଯ୍ୟକ୍ରମକୁ ସମ୍ପାଦନା କରିଥିଲେ । ବଂଶଧିର ମହାପାତ୍ର ଏବଂ ସୁଶ୍ରୀ ଗୀତାଶ୍ରୀ ପ୍ରିୟମ୍ବଦା ପ୍ରଥମ ଓ ଦ୍ବିତୀୟ ଅଧିବେଶନର ସଂଯୋଜନା ସମସ୍ତଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିଥିଲା ।