ଉପନିର୍ବାଚନ ଜିତିବାକୁ ବିଜେଡିର ମହାଅଭିଯାନ, ଲୋକମାନେ ଦେଖାଇଲେ ଭାରି ସମର୍ଥନ
ଭୁବନେଶ୍ୱର, ୧୯/୧୦/୨୦୨୫: ନୂଆପଡ଼ା ବିଧାନସଭା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆଙ୍କ ସମର୍ଥନରେ ଆଜି ନୂଆପଡ଼ାର ଶିବମନ୍ଦିର ଠାରୁ ଜିଲ୍ଲାପାଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବିଜେଡି ଦ୍ୱାରା ବିଶାଳ ଶୋଭାଯାତ୍ରା ଆୟୋଜିତ ହୋଇଥିଲା । ଏହି ପଦଯାତ୍ରାରେ ୧୫,୦୦୦ରୁ ଅଧିକ ସମର୍ଥକ, ଦଳୀୟ କାର୍ଯ୍ୟକର୍ତ୍ତା ଓ ବିଜେଡିର ବରିଷ୍ଠ ନେତାମାନେ ଅଂଶଗ୍ରହଣ କରିଥିଲେ । ଏହି ଜନସମାବେଶ ମାଧ୍ୟମରେ ଲୋକେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଉପରେ ଅତୁଟ ବିଶ୍ୱାସ ପ୍ରଦର୍ଶନ କରିଛନ୍ତି ଓ ତାଙ୍କ ସମୟରେ ହୋଇଥିବା ନୂଆପଡ଼ାର ବିକାଶକୁ ସ୍ୱୀକୃତି ପ୍ରଦାନ କରିଛନ୍ତି ।
ଉପସ୍ଥିତ ଜନସାଧାରଣ ଶ୍ରୀମତୀ ଛୁରିଆଙ୍କୁ ଫୁଲମାଳା ପିନ୍ଧାଇ ଭବ୍ୟ ସ୍ୱାଗତ କରିଥିଲେ । ଲୋକେ ଦିବଙ୍ଗତ ଶ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ଅମର ସେବାକୁ ସ୍ମରଣ କରି ବିଜେଡିର ସଫଳତାକୁ ଶ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୁଖୀ ଦୃଷ୍ଟିଭଙ୍ଗୀର ପରିଣାମ ବୋଲି କହିଥିଲେ । ନୂଆପଡ଼ାରେ ଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନ ଓ ସଡ଼କ କ୍ଷେତ୍ରରେ ହୋଇଥିବା ବିକାଶକୁ ଲୋକମାନେ ବିଜେଡି ଶାସନ ମଧ୍ୟରେ ଅଦ୍ୱିତୀୟ ବୋଲି ବ୍ୟାଖ୍ୟା କରିଛନ୍ତି । ଏହି ଗତି ଆଗକୁ ଅବ୍ୟାହତ ରହିବ ବୋଲି ଶ୍ରୀ ନବୀନ ପଟ୍ଟନାୟକ ଓ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆଙ୍କ ନେତୃତ୍ୱ ଉପରେ ଲୋକମାନେ ଆଶାବ୍ୟକ୍ତ କରିଛନ୍ତି ।
ଜିଲ୍ଲାପାଳ କାର୍ଯ୍ୟାଳୟ ନିକଟରେ ଅନୁଷ୍ଠିତ ସଭାରେ ଅଧ୍ୟକ୍ଷତା କରିଥିଲେ ବିଜେଡିର ବରିଷ୍ଠ ନେତା ଶ୍ରୀ ଦେବୀ ପ୍ରସାଦ ମିଶ୍ର । ଏଥିରେ ଉପସ୍ଥିତ ରାଜ୍ୟ ଓ ସ୍ଥାନୀୟ ନେତାମାନେ ସମ୍ୱୋଧନ କରି ରାଜ୍ୟ ବିଜେପି ସରକାର ଉପରେ ବର୍ଷିଥିଲେ । ‘ଡବଲ୍ ଇଞ୍ଜିନ ଡବଲ ବିକାଶ ନୁହେଁ, ଡବଲ ବିନାଶ ହେଉଛି' ବୋଲି ଅଭିଯୋଗ କରିଥିଲେ । ବିଜେଡି ନୂଆପଡ଼ା ଜିଲ୍ଲା ଅଧ୍ୟକ୍ଷ ଶ୍ରୀ ଅବନୀ ରଞ୍ଜନ ଯୋଶୀ, ବିଜେଡି ସାଧାରଣ ସଚିବ ଶ୍ରୀ ମନୋଜ ମିଶ୍ର, ବିଜେଡି ବରିଷ୍ଠ ନେତା ଶ୍ରୀ ଭାନୁ ପ୍ରତାପ ସିଂହ ମାଝୀ ଇତ୍ୟାଦି ବକ୍ତବ୍ୟ ରଖିଥିଲେ । ଏହି ନେତାମାନେ ତାଙ୍କ ବକ୍ତବ୍ୟରେ, ଗତ ୧୬ ମାସର ବିଜେପି ଶାସନରେ ନୂଆପଡ଼ା ପ୍ରତି ହୋଇଥିବା ଅବହେଳା ବିଷୟରେ ଉଲ୍ଲେଖ କରିଥିଲେ ।
ଶ୍ରୀ ପ୍ରଣବ ପ୍ରକାଶ ଦାସ, ଶ୍ରୀ ସଞ୍ଜୟ କୁମାର ଦାସବର୍ମା, ଶ୍ରୀ ପ୍ରତାପ ଜେନା, ଶ୍ରୀ ଅରୁଣ ସାହୁ, ଶ୍ରୀ ନିରଞ୍ଜନ ପୁଜାରୀ, ଶ୍ରୀ ଅତନୁ ସବ୍ୟସାଚୀ ନାୟକ, ଶ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ, ଶ୍ରୀମତୀ ପ୍ରମିଳା ମଲ୍ଲିକ, ଶ୍ରୀମତୀ ଟୁକୁନି ସାହୁ, ଶ୍ରୀ ସୁଦାମ ମାରାଣ୍ଡି, ଶ୍ରୀ ପ୍ରୀତିରଞ୍ଜନ ଘଡ଼େଇ, ଶ୍ରୀ ସାରଦା ନାୟକ, ଶ୍ରୀ ଚିନ୍ମୟ ସାହୁ, ଶ୍ରୀମତୀ ଇପସୀତା ସାହୁ, ଶ୍ରୀ ଦେବୀରଞ୍ଜନ ତ୍ରିପାଠୀ, ଶ୍ରୀ ପ୍ରଦୀପ ଦିଶାରୀ, ଶ୍ରୀ ନଳିନୀକାନ୍ତ ପ୍ରଧାନ, ଶ୍ରୀ ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ଶ୍ରୀମତୀ ଲେଖାଶ୍ରୀ ସାମନ୍ତସିଂହାର, ଶ୍ରୀ ଅଧିରାଜ ପାଣିଗ୍ରାହୀ, ଶ୍ରୀ ରବି ନନ୍ଦ, ଶ୍ରୀ ସୁଭାଶିଷ ଖୁଣ୍ଟିଆ, ଶ୍ରୀ ନିରଞ୍ଜନ ବିଶି, ଶ୍ରୀ ବିଜୟ ନାୟକ, ଶ୍ରୀ ପ୍ରଦୀପ ମାଝୀ, ଶ୍ରୀ ବିକ୍ରମ ପଣ୍ଡା, ଶ୍ରୀମତୀ ନିହାର ବେହେରା, ଶ୍ରୀ ସ୍ୱରୂପ ଦାସ, ଶ୍ରୀ ଦୁଷ୍ମନ୍ତ ନାୟକ, ଶ୍ରୀ ବ୍ରଜ ପ୍ରଧାନ, ଶ୍ରୀମତୀ ମନୋରମା ମହାନ୍ତି, ଶ୍ରୀ ତୁଷାରକାନ୍ତି ବେହେରା, ଶ୍ରୀ ସରୋଜ ମେହେର, ଶ୍ରୀମତୀ ବର୍ଷା ସିଂହ ବରିହା ଓ ଶ୍ରୀ ସୁଦର୍ଶନ ହରିପାଲ ଇତ୍ୟାଦି ବକ୍ତବ୍ୟ ରଖିଥିଲେ । ନୂଆପଡ଼ାର ଲୋକମାନେ ବିଜେଡି ସହ ଅତୁଟ ଭାବେ ଅଛନ୍ତି ଓ ନୂଆପଡାବାସୀଙ୍କ ଆଶୀର୍ବାଦରେ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ବିଜୟୀ ହେବେ ବୋଲି ନେତାମାନେ ଦୃଢୋକ୍ତି କରିଥିଲେ । ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ତାଙ୍କ ବକ୍ତବ୍ୟରେ ନୂଆପଡାବାସୀଙ୍କ ଆଶା ଆକାଂକ୍ଷା ପୂରଣ କରିବା ପାଇଁ ମୁଁ ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ ।