ହେଡଲାଇନସ୍:

ନୂଆପଡ଼ାରେ ୪୦ ଭାଗ ଆଦିବାସୀ; ଅଥଚ ଆଇଟିଡିଏ ନାହିଁ: ଭକ୍ତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଯାହା ବିକାଶ ହୋଇଥିଲା କଂଗ୍ରେସ ସମୟରେ; ଏବେ ବିକାଶର ଆଢ଼ୁଆଳରେ ନୂଆପଡ଼ା; ୫୦ ଭାଗ ଡାକ୍ତର ନାହାନ୍ତି

  • ନୂଆପଡ଼ା ଉପନିର୍ବାଚନ ବିକାଶର ବିତର୍କସ୍ଥଳୀ ହେଉ, କଂଗ୍ରେସ ପ୍ରସ୍ତୁତ: ଶ୍ରୀକାନ୍ତ

  • କଂଗ୍ରେସ ପ୍ରାର୍ଥୀ ଶ୍ରୀ ମାଝୀଙ୍କର ତୁଳନା ନାହିଁ; ଭୟଭୀତ ହୋଇ ବିଜେଡି-ବିଜେପି ମିଳିମିଶି ଲଆୁଛନ୍ତି, ବିଫଳ ହେବେ: ପ୍ରସାଦ


ଭୁବନେଶ୍ୱର, ତା ୧୮.୧୦.୨୫:- ଆସନ୍ତା ନୂଆପଡ଼ା ଉପନିର୍ବାଚନ ପାଇଁ କଂଗ୍ରେସ ତାର ପ୍ରଚାରକୁ ଜୋରଦାର କରିଥିବା ବେଳେ ଆଜି କଂଗ୍ରେସ ବିଧାୟକ ପାର୍ଥି ଘାସିରାମ ମାଝି ନାମାଙ୍କନ ଦାଖଲ କରିଛନ୍ତି। ଏହି ଅବସରରେ ନୂଆପଡ଼ାର ଖୁଣ୍ଟିଆ ଭବନ ଠାରେ ନୂଆପଡ଼ା ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଉକ୍ତ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଭକ୍ତ ଚରଣ ଦାସ ଯୋଗ ଦେଇ କହିଥିଲେ କି ଓଡ଼ିଶା ରାଜ୍ୟ ଆଗାମୀ ଦିନରେ ଗାନ୍ଧୀ ପଥେ ଚାଲିବ। ଆମ ଦଳ କ୍ଷମତାକୁ ଆସିଲେ ଆମେ ପଞ୍ଚସୂତ୍ରୀ ନ୍ୟାୟ ବ୍ୟବସ୍ଥା କରିବୁ। ନାରୀ, ବେକାରୀ, ଚାଷୀ, ଶ୍ରମିକ ଏବଂ ପଛୁଆ ବର୍ଗଙ୍କ ପାଇଁ ନ୍ୟାୟ ପାଇଁ ଲଢେଇ କରିବୁ। ନୂଆପଡ଼ାକୁ ଜିଲ୍ଲା ଘୋଷଣାର ତିନି ଦଶନ୍ଧି ବିତି ଯାଇଥିଲେ ମଧ୍ୟ ସଦର ମହକୁମା ନୂଆପଡ଼ା ଏନଏସିରୁ ପୌର ପରିଷଦକୁ ପରିବର୍ତ୍ତିତ ହୋଇପାରିଲା ନାହିଁ। ସାମାନ୍ୟ ବର୍ଷା ହେଲେ ନାଳ, ନର୍ଦ୍ଦମା, ଘର ଏବଂ ରାସ୍ତା ଘାଟ ସବୁ ଏକାକାର ହୋଇଯାଇଛି। ଅନ୍ୟାନ୍ୟ ଭିତ୍ତିଭୂମିର ଘୋର ଅଭାବ ରହିଛି। ଯଦି ସଦର ମହକୁମାର ଏହି ଅବସ୍ଥା ତେବେ ଗ୍ରାମାଞ୍ଚଳ ଅବସ୍ଥା କଣ ନ ଥିବ, ଅନୁମାନ କରାଯାଇପାରେ। ବଜେଟରେ କୌଣସି ଯୋଜନାର ବ୍ୟବସ୍ଥା ନ ଥିବା ସତ୍ତ୍ବେ କେବଳ ନିର୍ବାଚନକୁ ଆଖି ଆଗରେ ରଖି କୋମନାକୁ ଏନଏସି ଏବଂ ଖରିଆର ରୋଡର ଏନଏସିକୁ ପୌର ପରିଷଦ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କଲେ। ତାହା ସମ୍ପୂର୍ଣ୍ଣ ମିଥ୍ୟା ଏବଂ ଠକାମୀ। ୟୁପିଏ ସରକାର ସମୟରେ ଏବଂ ମୋ ଚେଷ୍ଟାରେ ନୂଆପଡ଼ା ପାଇଁ ଏକ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ ପ୍ରତିଷ୍ଠା ପାଇଁ ଅନୁମୋଦନ କରାଯାଇଥିଲା। କିନ୍ତୁ ଦୁଃଖର କଥା, ଏଠାରେ ୫୦ % ଡାକ୍ତର ନାହାନ୍ତି। ଆମ ସ୍ବପ୍ନ ଥିଲା ମେଡିକାଲ କଲେଜ୍ ପ୍ରତିଷ୍ଠା ହେଉ ଏବଂ ଏଠାକାର ପିଲା ଡାକ୍ତରୀ ଏବଂ ନର୍ସିଂ ପାଠପଢ଼ନ୍ତୁ ଏବଂ ସାଧାରଣ ଜନତାଙ୍କ ଉତ୍ତମ ଚିକିତ୍ସା ଲାଭ କରନ୍ତୁ । ମୁଖ୍ୟମନ୍ତ୍ରୀ ତାଙ୍କ ଦ୍ବିତୀୟ ଗସ୍ତରେ ନୂଆପଡ଼ାର ଏକ ମେଡିକାଲ କଲେଜ୍ ଖୋଲାଯିବାର ଘୋଷଣା କରିଥିଲେ। କିନ୍ତୁ ଏ ପଯ୍ୟନ୍ତ କୌଣସି କାମ ଆଗେଇ ନାହିଁ। ବିଜେପି ସରକାର ମିଥ୍ୟା ପ୍ରତିଶ୍ରୁତିର ଭଣ୍ଡାର ଖୋଲିଦେଇଛନ୍ତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ନୂଆପଡ଼ା ଜିଲ୍ଲାରେ ଆଦିବାସୀ ସଂପ୍ରଦାୟଙ୍କ ସଂଖ୍ୟା ଶତକଡା ୪୦ରୁ ଉର୍ଦ୍ଧ୍ବ। କିନ୍ତୁ ଆଇଡିଏ ପଇସା ଆଜି ପର୍ଯ୍ୟନ୍ତ ପାଇପାରିଲା ନାହିଁ। ଆମ ପାର୍ଥୀ ଜିତିଲେ ସେ ଆଦିବାସୀଙ୍କ ପାଇଁ ବିଧାନସଭାରେ ଲଢେଇ କରିବେ ଏବଂ କଂଗ୍ରେସ ରାଜରାସ୍ତାରେ ଲଢେଇ କରିବ। ଏହି ସରକାର ଆଦିବାସୀଙ୍କୁ ଅନୁଦାନ ଦେବାକୁ ବାଧ୍ୟ ହେବ। ଏହି ସରକାରର ଆଦିବାସୀଙ୍କ ପ୍ରତି ତିଳେ ମାତ୍ର ସହାନୁଭୂତି ନାହିଁ। ଯଦି ଥାନ୍ତା ତେବେ ଜଳ, ଜମି, ଜଙ୍ଗଲ ଏବଂ ପଟ୍ଟା ପାଇଁ ଏମାନେ ଘୋଷଣା କରିଥାନ୍ତେ। ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସମୟରେ ପତୋରା ଡ୍ୟାମ୍ ନିର୍ମାଣ କରାଯାଇଥିଲା। ଶ୍ରୀ ଗାନ୍ଧୀ ନୂଆପଡ଼ା ଗସ୍ତରେ ଆସି ବହୁ ପ୍ରତୀକ୍ଷିତ ତିଖାଲି ଡ୍ୟାମର ଘୋଷଣା କରିଥିଲେ। ଏହି ଦୁଇ ଡ୍ୟାମ ଯୋଗୁଁ ଆଜି ଯାହା ବି କିଛି ଜଳସେଚନ ହେଉଛି କଂଗ୍ରେସର ଅବଦାନ ଥିଲା। କିନ୍ତୁ ଏତେ ବର୍ଷ ବିତିଯାଇଥିଲେ ସୁଦ୍ଧା କାହିଁକି ନୂଆପଡ଼ା ବଡ଼ ବଡ ଯୋଜନା ପାଇଲା ନାହିଁ ? କାହିଁକି ନୂଆପଡ଼ାକୁ ଅଣଦେଖା କରାଗଲା ? ଆଦିବାସୀ ମାନଙ୍କ ଶିକ୍ଷା ପାଇଁ ହେବାକୁ ଥିବା ଆଶ୍ରମ ଏବଂ ଏକଲବ୍ୟ ସ୍କୁଲ ପ୍ରତିଷ୍ଠା କରାଗଲା ନାହିଁ ଯାହା ବି ଥିଲା ତାକୁ ମଧ୍ୟ ବନ୍ଦ କରିଦିଆଗଲା। ଏଣୁ ଏହି ସରକାର ଆଦିବାସୀଙ୍କ ହିତାକାଂକ୍ଷୀ ହୋଇ ପାରିବନାହିଁ। ତେଣୁ ଆଦିବାସୀଙ୍କ ଶିକ୍ଷା ଓ ଅର୍ଥନୈତିକ ଅଭିବୃଦ୍ଧି ଆମ ବିଧାୟକ ପାର୍ଥୀ ଘାସିରାମ ମାଝୀ ଏବଂ କଂଗ୍ରେସ ଦଳ ଦ୍ବାରା ସମ୍ଭବ ବୋଲି ଶ୍ରୀ ଦାସ ମତବ୍ୟକ୍ତ କରିଥିଲେ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ମିଛୁଆ ବିଜେଡି-ବିଜେପିକୁ ସମାଲୋଚନା କରି କହିଲେ, ପ୍ରତାରଣା ଛାଡ଼ି ଉଭୟ ଦଳ ଉପନିର୍ବାଚନକୁ ବିକାଶର ବିତର୍କସ୍ଥଳୀ କରିବା ପାଇଁ ଆଗେଇଆସନ୍ତୁ। କଂଗ୍ରେସ ଏଥିପାଇଁ ପ୍ରସ୍ତୁତ ବୋଲି ସେ କହିଥିଲେ। ପୂର୍ବତନ ସଭାପତି ପ୍ରସାଦ ହରିଚନ୍ଦନ ନୂଆପଡ଼ାର ଐତିହାସିକ ପୃଷ୍ଠଭୂମି ବିଷୟରେ ସୂଚନା ଦେବାସହ ଏକଦା ପ୍ରାଚୁର୍ଯ୍ୟର ସମ୍ଭାବନା ସୃଷ୍ଟି କରିଥିବା ନୂଆପଡ଼ା ଆଜି ଦାଦନ ପାଇଁ ଅପଖ୍ୟାତି ଲଭିବା ପରିତାପର ବିଷୟ ବୋଲି କହିଥିଲେ। ୨୪ ବର୍ଷର ଶାସନ ପରେ ବିଜେଡି ପ୍ରତ୍ୟାଖ୍ୟାତ ହେଲା, ମାତ୍ର ଦେଡ଼ ବର୍ଷରେ ବିଜେପି ପ୍ରତାରଣର ପ୍ରତୀକ ପାଲଟିଲାଣି। ତେଣୁ କଂଗ୍ରେସର ବଢ଼ୁଥିବା ଜନାଧାରରେ ବ୍ୟତିବ୍ୟସ୍ତ ହୋଇ ଉଭୟ ଦଳ ବିଜେପି-ବିଜେଡି ମିଳିମିଶି ନିର୍ବାଚନ ଲଡ଼ୁଛନ୍ତି। ଅନ୍ୟ ପକ୍ଷରେ କଂଗ୍ରେସ ପ୍ରାର୍ଥୀ ଶ୍ରୀ ମାଝୀଙ୍କର ତୁଳନା ନ ଥିବାରୁ ତାଙ୍କ ବିଜୟ ଅବଶ୍ୟମ୍ଭାବୀ ବୋଲି ଶ୍ରୀ ହରିଚନ୍ଦନ ମତ ଦେଇଥିଲେ। ପିସିସି ଗଣମାଧ୍ୟମର ଅଧ୍ୟକ୍ଷ ଅରବିନ୍ଦ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ସନ୍ତୋଷ ସିଂ ସାଲୁଜା, ଜଗନ୍ନାଥ ପଟ୍ଟନାୟକ, ସୁରେଶ ରାଉତରାୟ, ସସ୍ମିତା ବେହେରା, ଅଭୟ ସାହୁ, ଭୁଜବଳ ମାଝୀ, ହମିଦ ହୁସେନ, ସତ୍ୟଭୂଷଣ ସାହୁ, ସସ୍ମିତା ବେହେରା, ଲଲଂଟେନ୍ଦୁ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହାପରେ ଏକ ବିଶାଳ ଶୋଭାଯାତ୍ରାରେ ଦଳୀୟ ନେତୃବୃନ୍ଦ ଓ କର୍ମୀଙ୍କ ଗହଣରେ ଯାଇ ପ୍ରାର୍ଥୀ ଶ୍ରୀ ମାଝୀ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଶେଷରେ ସାଈ କଲେଜ ପରିସରରେ ଆୟୋଜିତ କର୍ମୀ ସମ୍ମିଳନୀକୁ ଦଳୀୟ ନେତୃବୃନ୍ଦ ସମ୍ବୋଧନ କରିଥିଲେ।

0
0
0
s2sdefault