ରାଜଗାଙ୍ଗପୁର (ବିଷ୍ଣୁ ଭୋମିକ.): ରାଜଗାଙ୍ଗପୁର ପୌରପାଳିକାରେ ସହରର ସଫେଇ ଦାୟିତ୍ବ ନେଇଥିବା ଠିକାସଂସ୍ଥା ଠିକା କର୍ମଚାରୀମାନଙ୍କର ଦରମା, ଭବିଷ୍ୟନିଧି ଓ ବୀମାରାଶି ଠିକ୍ ଭାବେ ପ୍ରଦାନ କରୁନଥିବା ଅଭିଯୋଗ ହୋଇଛି। ପୌରପାଳିକା ଠିକାସଂସ୍ଥାକୁ ବାର୍ଷିକ ୬ କୋଟି ୨୧ଲକ୍ଷ ୮ ହଜାର ୨୯୨ ଟଙ୍କାର ଟେଣ୍ଡର ପ୍ରଦାନ କରିଥିଲା । ଏହି ଠିକାସଂସ୍ଥା ପ୍ରତିଦିନ ୧ ଲକ୍ଷ ୬୬ ହଜାର ୫୦୧ ଟଙ୍କା କରି ୩୦ ଦିନରେ ମୋଟ ୪୯ ଲକ୍ଷ ୯୫ ହଜାର ୩୦ ଟଙ୍କା, ଯଦି ମାସଟି ୩୧ ଦିନିଆ ତେବେ ୫୧ଲକ୍ଷ ୬୧ ହଜାର ୫୩୧ ଟଙ୍କା ବିଲ୍କରି ନେଉଛି! କିନ୍ତୁ ଶ୍ରମିକମାନଙ୍କୁ ୨୬ ଦିନର(ରବିବାରକୁ ବାଦ୍ ଦେଇ) ଦରମା ପ୍ରଦାନ କରୁଥିବା ଅଭିଯୋଗ ହେଉଛି। ଠିକାସଂସ୍ଥାରେ ସଫେଇ ଓ ଅନ୍ୟ କର୍ମଚାରୀ ସଂଖ୍ୟା ୨୩୮ | ସେମାନଙ୍କର ପିଏଫ୍ ଓ ବୀମାରାଶି ବାବଦକୁ ଅର୍ଥ ଠିକାସଂସ୍ଥା ଦରମାରୁ କାଟି ନେଉଥିବାବେଳେ ପଇଠ କରୁନଥିବା ଜଣାପଡ଼ିଛି। ଠିକାସଂସ୍ଥା ପକ୍ଷରୁ ଦରମା, ଭବିଷ୍ୟନିଧି ଓ ବୀମାରାଶି ଅର୍ଥ ପଇଠ କରିବା ପରେ ବିଲ୍ ପାସ୍ କରିବା ପାଇଁ ନିୟମ ରହିଛି| ଯଦି ଠିକାସଂସ୍ଥା ବୀମା ଓ ଭବିଷ୍ୟନିଧି ଅର୍ଥ ପଇଠ ନକରେ ତେବେ ମୁଖ୍ୟସଂସ୍ଥା ଦାୟୀରହିବ ବୋଲି ନିୟମ ରହିଛି। କିନ୍ତୁ ପୌରପାଳିକା ଉକ୍ତ ଠିକାସଂସ୍ଥା ପ୍ରତି ଅନୁକମ୍ପା ପ୍ରର୍ଦଶନ କରିବା ସହିତ ଚଳିତଥର ବିନା ଟେଣ୍ଡରରେ ଠିକାଦେବା ପାଇଁ ମସୁଧା କରୁଥିବା ଅଭିଯୋଗ ଉଠୁଛି। ଏହି ଠିକାସଂସ୍ଥାକୁ ନ ଦେବା ଓ ଦୁର୍ନୀତି ସମ୍ପର୍କରେ ଉପନଗରପାଳ ମହମ୍ମଦ ଇରଫାନଙ୍କ ସମେତ ବିଜେପିର ୮ ଜଣ କାଉନ୍ସିଲର ଜିଲ୍ଲା ପ୍ରଶାସନକୁ ଅବଗତ କରାଇ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ଏ ସମ୍ପର୍କରେ ଠିକାସଂସ୍ଥାର ଅଧିକାରୀ ପଦ୍ମନାଭ ସାମଲଙ୍କ କହିବା ଅନୁଯାୟୀ, ସଂସ୍ଥା ୨୩୮ ନୁହେଁ, ମୋଟ ୨୭୦ ଜଣଙ୍କୁ ସଫେଇକାର୍ଯ୍ୟରେ ଲଗାଇଛି। ସମସ୍ତ ଶ୍ରମିକଙ୍କ ଦରମା, ବୀମା ଓ ପିଏଫ୍ ରାଶି ଠିକ୍ ସମୟରେ ପଇଠ କରାଯାଉଛି’ ବୋଲି ସେ କହିଥିଲେ ।
ରାଜ୍ୟ
ପୌରପାଳିକା ସଫେଇରେ ଦୁର୍ନୀତି ଅଭିଯୋଗ
- Hits: 17