ପରୀକ୍ଷା ପ୍ରଣାଳୀରୁ ବାଦ ପଡିଲା ଲୋକ ସରକାରୀ ଉଚ୍ଚ ବିଦ୍ୟାଳୟ, ପଞ୍ଚରିଡା ମାନପୁର,
ଓଡ଼ଗାଁ,୨୪।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ୍ ପଞ୍ଚରିଡା ମାନପୁର ଲୋକ ନୋଡାଲ ହାଇସ୍କୁଲ ଛାତ୍ର ଛାତ୍ରୀ ମାନଙ୍କ ପର୍ଯ୍ୟାୟ କ୍ରମରେ ପରୀକ୍ଷା କରିବା ବ୍ୟତିକ୍ରମକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଛି । ପ୍ରଧାନ ଶିକ୍ଷକ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶକୁ ସିଧାସଳଖ ଭାବେ ଅବମାନନା କରିଥିବା ଅଭିଯୋଗ ହେଉଛି । ପ୍ରକାଶ ଥାଉକି ଛାତ୍ର ଛାତ୍ରୀମାନଙ୍କ ଶିକ୍ଷଣର ମାନ ନିର୍ଦ୍ଧାରଣ ନିମନ୍ତେ ନିର୍ଦ୍ଧାରିତ ସମୟରେ ବିଦ୍ୟାଳୟ ମାନଙ୍କରେ ପର୍ଯ୍ୟାୟ କ୍ରମରେ ପରୀକ୍ଷା କରାଯାଇଥାଏ । ପ୍ରତି ବର୍ଷ ପରି ଚଳିତବର୍ଷ ଜିଲ୍ଲାର ପ୍ରତ୍ୟେକ ବିଦ୍ୟାଳୟରେ ପରୀକ୍ଷା କରିବା ପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କ ପତ୍ର ସଂଖ୍ୟା ୨୫୩୫ ତା. ୪.୯.୨୫ ରିଖ ନିର୍ଦ୍ଦେଶ ଅନୁସାରେ ଓଡ଼ଗାଁ ବ୍ଲକର ସମସ୍ତ ବିଦ୍ୟାଳୟରେ ତା. ୨୨.୯.୨୫ ତାରିଖ ଠାରୁ ତା. ୨୬.୯.୨୫ ରିଖ ପର୍ଯ୍ୟନ୍ତ ଚାଲୁ ରହିଥିବା ବେଳେ ଲୋକ ବିଦ୍ୟାପିଠ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶକୁ କର୍ଣ୍ଣପାତ ନକରି ଅର୍ଥାତ୍ ଚିଠିକୁ ଖୁଲମଖୁଲା ଅମାନ୍ୟ କରିବା ଘଟଣା ଓଡ଼ଗାଁ ବ୍ଳକ ଶିକ୍ଷକ ମହଲରେ ଆଲୋଡ଼ନ ସୃଷ୍ଟି କରିଛି । ପରୀକ୍ଷା ହେଉନଥିବା ବ୍ଳକର ଏକମାତ୍ର ଲୋକ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରଶ୍ନ ପତ୍ର ଲିକ୍ ହେଉଥିବାରୁ ଆମ୍ଭେ ପ୍ରଶ୍ନପତ୍ର ନ ଆଣି ନିଜେ ପ୍ରସ୍ତୁତ କରି ପରୀକ୍ଷା କରୁଛୁ ବୋଲି କହିଛନ୍ତି । ଏବଂ ଆମର ୨ଟି ୟୁନିଟ ପରୀକ୍ଷା ସରିଛି । ୩ୟ ୟୁନିଟ୍ ପରୀକ୍ଷା ଅକ୍ଟୋବର ମାସରେ କରିବେ ବୋଲି କହିଥିଲେ । ତେବେ ଉକ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଦ୍ବାରା ପ୍ରସ୍ତୁତ ପ୍ରଶ୍ନ ପତ୍ର ଛାତ୍ର ଛାତ୍ରୀ ମାନଙ୍କ ପାଇଁ କେତେ ନିରପେକ୍ଷ ହୋଇପାରିବ ତାହା ଅନୁମାନ ସାପେକ୍ଷ । କେତେକ ଅଭିଭାବକଙ୍କ କହିବା ଅନୁସାରେ ବିଦ୍ୟାଳୟ ଶିକ୍ଷା ଦାନ ଅନୁସାରେ ପ୍ରଶ୍ନ ତିଆରି ହୁଏ । ପିଲାମାନେ ପ୍ରସ୍ତୁତ ହୋଇ ଆସି ଉତ୍ତର ଲେଖିଥାନ୍ତି । ଏଥିରୁ ପରୀକ୍ଷାର ସ୍ବଚ୍ଛତ ବିଷୟ ଜଣାପଡ଼େ । ଏ ସମ୍ପର୍କରେ ଓଡ଼ଗାଁ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କହନ୍ତି, ପଞ୍ଚରିଡା ମାନପୁର ଲୋକ ନୋଡାଲ ହାଇସ୍କୁଲରେ ପରୀକ୍ଷା ହେଉନଥିବା ଖବର ଆମ ପାଖରେ ନାହିଁ । ଯଦି ପରୀକ୍ଷା ହେଉନଥିବ ତେବେ ଆମ୍ଭେ ବ୍ଳକ ଶିକ୍ଷା ଅଧିକାରୀଙ୍କ ଦୃଷ୍ଟିକୁ ଆଣିବୁ । ମାତ୍ର ଛାତ୍ରଛାତ୍ରୀ ମାନଙ୍କ ମୂଲ୍ୟାୟନ ପରୀକ୍ଷା ରାଜ୍ୟ ତଥା ଜିଲ୍ଲାରେ ଚାଲିଥିବା ବେଳେ ଲୋକ ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏଥିରେ ବ୍ୟତିକ୍ରମ କଥା ଜାଣିବା ପରେ ଅଭିଭାବକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।











