ଓଡ଼ଗାଁ,୨୪।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ କୃଷି ସେବା ସମବାୟ ସମିତିକୁ ସାର ଆସୁନଥିବା ନେଇ ଗତ ଗୁରୁବାର ଦିନ କେତେକ ଚାଷୀ ମିଳିତ ଭାବେ ଓଡ଼ଗାଁ ତହସିଲଦାର ଡ. ମାନସ ରଞ୍ଜନ ଭୋଇଙ୍କ ନିକଟରେ ଅଭିଯୋଗ କରିଥିଲେ । ତେବେ ୨୪ ତାରିଖ ବୁଧବାର ଦିନ ସମ୍ପାଦକଙ୍କ ମନମୁଖୀ କାର୍ଯ୍ୟ ସମ୍ପର୍କରେ ପୁନଃ ଅଭିଯୋଗ ଜଣାଇଛନ୍ତି । ଏବଂ ସେଠାରୁ ଆସି ଓଡ଼ଗାଁ ସମବାୟ ସମିତିରେ ଏକ ତାଲା ପକାଇ ଦେଇଛନ୍ତି । ଘଟଣା ଅନୁସାରେ ଓଡ଼ଗାଁ ସମବାୟ ସମିତିକୁ ସାର ଆସିନଥିବାରୁ କେତେକ ଚାଷୀ ସମବାୟ ସମିତି ସମ୍ପାଦକଙ୍କୁ ଗତ ଗୁରୁବାର ଦିନ ପଚାରିଥିଲେ । ସାର ଲାଇସେନ୍ସ ଅବଧି ସରିଥିଲା । ଲାଇସେନ୍ସକୁ ନିୟମିତ କରିବା ପାଇଁ ଆବଶ୍ୟକୀୟ ନଥିପତ୍ର ଅନଲାଇନ ମାଧ୍ୟମରେ ଜମା କରାଯାଇଛି । ତାହାର ପ୍ରକ୍ରିୟା କରଣ କାର୍ଯ୍ୟ ଚାଲୁ ରହିଛି । କାର୍ଯ୍ୟ ସମ୍ପୁର୍ଣ୍ଣ ହେଲେ ସାର ଆଣିବା ପାଇଁ ଅନୁମତି ମିଳିବ । ଏଥିରେ ଅସନ୍ତୋଷ ପ୍ରକାଶ କରି ଚାଷୀମାନେ ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ତହସିଲଦାର ପ୍ରଥମେ ଓଡ଼ଗାଁ ସମବାୟ ସମିତି ସମ୍ପାଦକ ଓ ପରେ ଓଡ଼ଗାଁ ବ୍ଳକ କୃଷି ଅଧିକାରୀ ପ୍ରତିଭା ପ୍ରଧାନଙ୍କୁ ସୂଚନା ପ୍ରଦାନ କରିଥିଲେ । କୃଷି ଅଧିକାରୀ ସମବାୟ ସମିତିରେ ପହଁଞ୍ଚି ସମସ୍ତ ତଥ୍ୟ ସଂଗ୍ରହ କରିଥିଲେ । ଲାଇସେନ୍ସ ନବୀକରଣ ପାଇଁ ସମିତି ପକ୍ଷରୁ ସମସ୍ତ ଆବେଦନ କରାଯାଇଛି । ହେଲେ ବର୍ତମାନ ପର୍ଯ୍ୟନ୍ତ ତାହା ଗୋଷ୍ଠୀ କୃଷି କାର୍ଯ୍ୟାଳୟ ଓ୍ବେବସାଇଟରେ ପ୍ରଦର୍ଶିତ ହୋଇନାହିଁ । ପ୍ରକ୍ରିୟା କାର୍ଯ୍ୟ ଅଳ୍ପ କିଛି ଦିନ ମଧ୍ୟରେ ସରିଲେ ସାର ଆସିବ । ଅନଲାଇନ କାର୍ଯ୍ୟ ଚାଲିଥିବା ବେଳେ ପୁନର୍ବାର ବୁଧବାର ସେହି ଚାଷୀମାନେ ତହସିଲଦାରଙ୍କ ନିକଟରେ ସମବାୟ ସମିତି ସମ୍ପାଦକଙ୍କ ମନମୁଖୀ କାର୍ଯ୍ୟ ବିରୋଧରେ ଅନ୍ୟ ଏକ ଲିଖିତ ଅଭିଯୋଗ କରିଥିଲେ । ବୁଧବାର ତହସିଲଦାର ଅଭିଯୋଗ ପାଇ ସମିତି ସମ୍ପାଦକ ଓ ବ୍ଳକ କୃଷି ଅଧିକାରୀଙ୍କୁ ନିଜ କାର୍ଯ୍ୟାଳୟକୁ ଡାକି ଚାଷୀମାନଙ୍କ ସାମ୍ନାରେ ଆଲୋଚନା କରିଥିଲେ । ଅନଲାଇନ ମାଧ୍ୟମରେ ସାର ମିଳିବାକୁ ବିଳମ୍ବ ହେବା କାରଣକୁ ନେଇ କୈବଲ୍ୟପୁର ସମବାୟ ସମିତି ଆଇଡିରେ ଚାଷୀଙ୍କୁ ତୁରନ୍ତ ସାର ଯୋଗାଇ ଦେବା ନିମନ୍ତେ ତହସିଲଦାର ଦାର ନୟାଗଡ଼ ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ଚାଷୀଙ୍କୁ ସୂଚନା ପ୍ରଦାନ କରିଥିଲେ । ଆଲୋଚନା ପରେ ଚାଷୀମାନେ ସେଠାରୁ ଆସି ସମବାୟ ସମିତିରେ ପହଁଞ୍ଚି ଅଫିସ ଗେଟରେ ଏକ ତାଲା ପକାଇଥିବା ଜଣାପଡିଛି ।
ରାଜ୍ୟ
ଓଡ଼ଗାଁ ସମବାୟ ସମିତିରେ ସାର ନମିଳିବା ଘଟଣା: ସମ୍ପାଦକଙ୍କ ମନମୁଖୀ କାର୍ଯ୍ୟ ନେଇ ତହସିଲଦାରଙ୍କୁ ଅଭିଯୋଗ,
- Hits: 233











