ସ୍ୱାଗତ କରିବା ସହ ସ୍ୱାସ୍ଥ୍ୟ ଏବଂ ପରିଭ୍ରମଣ ଅନୁଭୂତି ପଚାରିଲେ ଜିଲ୍ଲାପାଳ ।
କେନ୍ଦ୍ରାପଡ଼ା:(ପ୍ରଫୁଲ୍ଲ କୁମାର ମଲ୍ଲ) ଚଳିତ ମାସ ୧୦ ତାରିଖରେ ଭୁବନେଶ୍ୱର ଏକ ସ୍ୱତନ୍ତ୍ର ଟ୍ରେନ ଯୋଗେ ଅଯୋଧ୍ୟା -ବାରଣାସୀ ଅଭିମୁଖେ ଯାଇଥିବା କେନ୍ଦ୍ରାପଡ଼ାର ୧୦୮ ଜଣ ବରିଷ୍ଠ ନାଗରିକ ଆଜି ସନ୍ଧ୍ୟା ୮ ଟାରେ କେନ୍ଦ୍ରାପଡ଼ାରେ ପହଞ୍ଚିଛନ୍ତି | ଫେରିଲା ପରେ ଜିଲ୍ଲାପାଳ ରଘୁରାମ ଆର ଆୟର ନିଜେ ଉପସ୍ଥିତ ରହି କୋର୍ଟ ନିକଟସ୍ଥ ଭାସ୍କର ଟୋକିଜ ଛକରେ ଭୁବନେଶ୍ୱର ରେଳ ଷ୍ଟେସନରୁ ସ୍ୱତନ୍ତ୍ର ବସ ଯୋଗେ ଫେରିଥିବା ସମସ୍ତ ଯାତ୍ରୀଙ୍କୁ ସ୍ୱାଗତ କରିଛନ୍ତି | ଜିଲ୍ଲାପାଳ ବରିଷ୍ଠ ନାଗରିକଙ୍କୁ ପ୍ରଥମେ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହିତ ତୀର୍ଥ ପରିଭ୍ରମଣର ଅନୁଭୂତି ପଚାରିଥିଲେ | ତୀର୍ଥଯାତ୍ରୀଙ୍କ ମୁହଁରେ ହସ ଫୁଟିବା ସହିତ ଅତ୍ୟନ୍ତ ଆନନ୍ଦିତ ଥିବା ଜଣା ପଡୁଥିଲେ | ପରିଭ୍ରମଣ କରି ଅତ୍ୟନ୍ତ ଖୁସି ଥିବା ବରିଷ୍ଠ ନାଗରିକ ମାନେ ବ୍ୟକ୍ତ କରିବା ସହ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଦେଇଛନ୍ତି | ଫେରିଥିବା ସମସ୍ତ ଯାତ୍ରୀ କିଭଳି ନିଜ ନିଜ ଘରକୁ ସୁରକ୍ଷିତ ଭାବେ ପହଂଚିବେ ସେଥିପାଇଁ ଜିଲ୍ଲା ସାଂସ୍କୃତି ଅଧିକାରୀ ତଥା ଭାରପ୍ରାପ୍ତ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ତ୍ରିଭୁବନ ଜୟସିଂଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି || ସୂଚନା ଯେ, ତୀର୍ଥ ଯାତ୍ରାରେ ଆଳି ବ୍ଲକରୁ ଜଣେ, ଗରଦପୁର ଏବଂ ପଟ୍ଟାମୁଣ୍ଡାଇ ବ୍ଲକରୁ ୩ ଜଣ ଲେଖାଏଁ ,ରାଜନଗରରୁ ୪ ଜଣ, ରାଜକନିକାରୁ ୫ ଜଣ, ଡେରାବିଶରୁ ୧୭ ଜଣ, ମାର୍ଶାଘାଇରୁ ୧୮ ଜଣ, ମହାକାଳପଡ଼ାରୁ ୨୦ ଜଣ ଏବଂ କେନ୍ଦ୍ରାପଡ଼ାରୁ ୩୭ ଜଣ ଯାତ୍ରା ଆରମ୍ଭ କରିଥିଲେ | ସେଥିମଧ୍ୟରୁ ୬୬ ଜଣ ପୁରୁଷ ଏବଂ ୪୨ ଜଣ ମହିଳା ଥିଲେ | କେନ୍ଦ୍ରାପଡ଼ା ସମେତ ଜଗତସିଂହପୁର, ଖୋର୍ଦ୍ଧା, କଟକ, ପୁରୀ, ଢେଙ୍କାନାଳ ଜିଲ୍ଲାର ମୋଟ ୭୭୫ ଜଣ ବରିଷ୍ଠ ନାଗରିକ ଏବଂ ୨୫ ଜଣ ଏସ୍କୋର୍ଟ ଅଫିସର ଯାତ୍ରା କରିଥିଲେ | ଓଡିଶା ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୧୦ ସେପ୍ଟେମ୍ବରରେ ଭୁବନେଶ୍ୱର ରେଳ ଷ୍ଟେସନରୁ ତୀର୍ଥ ଯାତ୍ରା ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ |