ଆବଶ୍ୟକ ଥିଲା ୧ହଜାର ମିଳିଲା ୨ ଶହ ବସ୍ତା,୧୫ରୁ ଉର୍ଦ୍ଧ୍ବ ସମିତିକୁ ମିଳିନାହିଁ ସାର
ଓଡ଼ଗାଁ,୧୨।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଏବଂ ଏନ୍ଏସି ଅଞ୍ଚଳରେ ସାର ଅଭାବ ପାଇଁ ଚାଷୀମାନେ ଚିନ୍ତାରେ ପଡ଼ି ଯାଇଥିବା ବେଳେ ଏହି ବ୍ଳକରେ ୨ରୁ ୩ ଗୋଟି ସମିତିକୁ ଛାଡ଼ି ଦେଲେ ଅନ୍ୟ କୈାଣସି କୃଷି ସେବା ସମବାୟ ସମିତିକୁ ଆଦୈା ସାର ମିଳିନଥିବା ସେମାନଙ୍କ ଚିନ୍ତାକୁ ଦୁଇଗୁଣିତ କରିଦେଇଛି । ଅନ୍ୟପକ୍ଷରେ ଯେଉଁ ସମିତିକୁ ସାର ମିଳିଛି ହଜାରେ ବସ୍ତା ଆବଶ୍ୟକତା କ୍ଷେତ୍ରରେ ମାତ୍ର ୨ଶହ ବସ୍ତା ସାର ଯୋଗାଣ ହୋଇଛି । ଫଳରେ ସାର ନେବାପାଇଁ ୨ଶହ ଜାଗାରେ ୪ଶହ ଚାଷୀ ପହଞ୍ଚିବାରୁ କୋମଣ୍ଡ ସମବାୟ ସମିତିର ସାର ବିକ୍ରୟ କେନ୍ଦ୍ର ଠାରେ ଚାଷୀ ମାନଙ୍କ ମଧ୍ୟରେ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା । ତେବେ ସମିତି ସମ୍ପାଦକ ଓ ସଭାପତି ଚାଷୀ ମାନଙ୍କୁ ବୁଝା ସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା । ପ୍ରଚାର ପ୍ରସାରର ଅଭାବରୁ ଜୈବିକ ସାର ବ୍ୟବହାର ଏକପ୍ରକାର ଲୋପ୍ ପାଇଥିବା ବେଳେ ଚାଷୀ ଜମିକୁ କମଣି କରି ଆବଶ୍ୟକ କାମ ସାରିଲା ପରେ ପ୍ରାୟ ୧ ମାସ ହେଲା ରସାୟନିକ ସାରର ଅପେକ୍ଷାରେ ଅନାଇ ବସିଛି । ଜମିରେ ସାର ପ୍ରୟୋଗ କଲେ ଧାନଗଛ ହୃଷ୍ଟ ପୃଷ୍ଟ ହୋଇ ଭଲ ଥୋଡ ଧରିବ । ଫଳରେ ଚାଷୀ ଅଧିକ ଅମଳ ପାଇପାରିବ। କିନ୍ତୁ ସାର ପ୍ରୟୋଗରେ ବହୁ ବିଳମ୍ବ କାରଣରୁ ଅମଳରେ ବାଧା ପହଞ୍ଚିବା ନିଶ୍ଚିତ । ଏଥିପ୍ରତି ସରକାରଙ୍କ ଉଦାସୀନତା ମନୋଭାବ ଚାଷିମାନଙ୍କୁ ବ୍ୟଥିତ କରିଛି । ତେବେ ପ୍ରତିବର୍ଷ ଏପରି ସମସ୍ୟା ରହିଥିବା ବେଳେ ଚାଷ ଜମି ପରିମାଣ ଆଧାରରେ ସାର ଯୋଗାଣ କରାଯାଉ, ଅଥବା ସାରକୁ ଖୋଲା ବଜାରରେ ବିକ୍ରୀ ପାଇଁ ଅନୁମତି ପ୍ରଦାନ କରାଗଲେ ଚାଷୀମାନଙ୍କ ସମସ୍ୟାରେ ପରିବର୍ତ୍ତନ ସମ୍ଭବପର ହୋଇପାରନ୍ତା । ଅନ୍ୟଥା ସରକାର ବଦଳିବ ଚାଲିଥିବ ହେଲେ ଚାଷୀର ସମସ୍ୟା ପୂର୍ବ ପରି ଲାଗିରହିଥିବ ।