ପ୍ରୋଜେକ୍ଟ 'କୌଶଳ' ଅଧୀନରେ ବେରୋଜଗାର ଯୁବବର୍ଗଙ୍କୁ ଆତ୍ମନିର୍ଭରଶୀଳ ପ୍ରୟାସ
କାଶୀପୁର ରୁ ବୈକୁଣ୍ଠ ଦୁରିଆ : ରାୟଗଡ଼ା ଜିଲ୍ଲା ଟିକିରି ଅନ୍ତର୍ଗତ କଂସାରିଗୁଡା ସ୍ଥିତ ଆଦିତ୍ୟ ଆଲୁମିନା ରିଫାଇନାରୀ, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍, ଆଦିତ୍ୟ ବିର୍ଲା ଗ୍ରୁପର ସହଯୋଗୀ କମ୍ପାନୀ ପକ୍ଷରୁ ସ୍ଥାନୀୟ ଯୁବବର୍ଗଙ୍କୁ ଆତ୍ମନିର୍ଭରଶୀଳ କରିବା ନିମନ୍ତେ ପ୍ରୟାସ ଆରମ୍ଭ ହୋଇଛି । ପ୍ରକଳ୍ପ 'କୌଶଳ' ଅଧୀନରେ ସ୍ଥାନୀୟ ବେରୋଜଗାର ଯୁବକ ଯୁବତୀମାନଙ୍କୁ ଆଇଟିଆଇ ପାଠ୍ୟକ୍ରମରେ ପ୍ରବେଶ କରି ଦକ୍ଷତା ବିକାଶ କରିବା ସହିତ ଏହା ଯୁବ ସଶକ୍ତିକରଣ ଦିଗରେ କମ୍ପାନୀ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଅଛି । ଏହି କ୍ରମରେ ସ୍ଥାନୀୟ ଯୁବକମାନଙ୍କୁ ଭୁବନେଶ୍ୱର ଠାରେ ପ୍ରତିଷ୍ଠିତ କିଟ୍ ଶିକ୍ଷାନୁଷ୍ଠାନରେ ଉନ୍ନତମାନର ବୈଷୟିକ ତାଲିମ ପ୍ରଦାନ କରାଯିବ । ଏଥିସହ ଉକ୍ତ ପ୍ରଶିକ୍ଷଣ ପାଇଁ ପଞ୍ଜୀକୃତ ପ୍ରାର୍ଥୀଙ୍କୁ ରହଣି ଓ ଖାଦ୍ୟପେୟ ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯାଇଛି । ଉକ୍ତ ଅଭିଯାନ ଦ୍ଵାରା ସ୍ଵଳ୍ପ ଶିକ୍ଷିତ ଯୁବଗୋଷ୍ଠୀଙ୍କ ମଧ୍ୟରେ ଶିଳ୍ପ-ଉପଯୋଗୀ ଦକ୍ଷତା ଏବଂ ବାସ୍ତବ ଅନୁଭୂତି ଯୋଗାଇ ସେମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ବୃଦ୍ଧି କରିବା ଲକ୍ଷ ରହିଛି । ଆଜି ଆୟୋଜିତ ଉଦଘାଟନୀ କାର୍ଯ୍ୟକ୍ରମରେ ଆଦିତ୍ୟ ଆଲୁମିନା ରିଫାଇନେରୀର ୟୁନିଟ୍ ମୁଖ୍ୟ ତଥା ସଭାପତି ଶ୍ରୀ ମଜହର ବେଗ ଏବଂ ଅନ୍ୟ ବରିଷ୍ଠ ନେତୃତ୍ୱ ବୃନ୍ଦ ଉପସ୍ଥିତ ରହି ଏହାର ଆନୁଷ୍ଠାନିକ ଉଦଘାଟନ କରିଥିଲେ । ଉକ୍ତ କୌଶଳ ପ୍ରକଳ୍ପ ଅଧିନରେ ପ୍ରଥମ ପର୍ଯ୍ୟାୟରେ ୫୦ ଜଣ ସ୍ଥାନୀୟ ଯଥା, ବିଶେଷ ଭାବେ ଆଦିବାସୀ ସମ୍ପ୍ରଦାୟର ଯୁବବର୍ଗଙ୍କୁ ଦୁଇ ବର୍ଷର ପୂର୍ଣ୍ଣକାଳୀନ ଆଇଟିଆଇ ପାଠ୍ୟକ୍ରମ ଏବଂ ପରେ ଭୁବନେଶ୍ୱରରେ ଏକ ବର୍ଷର ଅନ୍-ଦି-ଜବ୍ ତାଲିମ ପାଇଁ ନାମ ପଞ୍ଜୀକରଣ କରାଯାଇଛି । ଏହି ଅବସରରେ ପ୍ରତିକ୍ରିୟା ଦେଇ ଶ୍ରୀ ବେଗ କହିଛନ୍ତି ଯେ, “ପ୍ରୋଜେକ୍ଟ କୌଶଳ ହେଉଛି ଯୁବ ପାଢୀଙ୍କ ପାଇଁ ନିରନ୍ତର ଜୀବିକା ଅର୍ଜନ ପାଇଁ ମୂଳଦୁଆ । ଏହି ଦିଗରେ ଏକ ପଦକ୍ଷେପ ସ୍ଵରୂପ ସ୍ଥାନୀୟ ପ୍ରତିଭାଙ୍କ ମଧ୍ୟରେ ବୈଷୟିକ ଦକ୍ଷତାକୁ ପ୍ରୋତ୍ସାହିତ କରି ଆମେ ସମ୍ପ୍ରଦାୟକୁ ଏହି ଅଞ୍ଚଳର ଶିଳ୍ପ ବିକାଶ ଗାଥାରେ ଅଂଶଗ୍ରହଣ କରିବା ପାଇଁ ସଶକ୍ତ କରୁଛୁ ବୋଲି ଶ୍ରୀ ବେଗ ପ୍ରକାଶ କରିଛନ୍ତି ” ତେବେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ଦ୍ଵାରା ଆଦିତ୍ୟ ଆଲୁମିନା ରିଫାଇନେରୀ ସମ୍ପ୍ରଦାୟର ବିକାଶ, ନିରନ୍ତର ଜୀବିକା ଏବଂ ଅଞ୍ଚଳର ଯୁବକମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରି ସମନ୍ୱିତ ଅଭିବୃଦ୍ଧି ପ୍ରତି ଏହାର ପ୍ରତିବଦ୍ଧତାକୁ ପୁଣି ଥରେ ଦୋହରାଇଛି ।