କେନ୍ଦୁଝର,ତା ୨୨/୮- ରାଜସ୍ୱ ଅମଲାମାନଙ୍କ ସାମୁହିକ ଛୁଟି ଦ୍ବାଦଶ ଦିବସରେ ପହଞ୍ଚିଲା। ରାଜସ୍ବ ଅମଲାମାନଙ୍କର ୧୦ ଦଫା ଦାବୀ ରାଜ୍ୟ ସରକାର ପୂରଣ କରି ନଥିବାରୁ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ଏବେ ଠପ ହୋଇଯାଇଛି। ରାଜସ୍ବ ଅମଲାଙ୍କ ଆନ୍ଦୋଳନ ଯୋଗୁଁ ସମସ୍ତ ବ୍ଲକ, ତହସିଲ, ଜିଲ୍ଲା ପରିଷଦ କାର୍ଯ୍ୟାଳୟ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ବିଭାଗ, ଉପଜିଲ୍ଲାପାଳ କାର୍ଯ୍ୟାଳୟ, ଶିଶୁ ବିକାଶ କାର୍ଯ୍ୟାଳୟ , ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା , ପରିବହନ କାର୍ଯ୍ୟାଳୟ , ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟ , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ କାର୍ଯ୍ୟାଳୟ , ଜିଲ୍ଲା ପଞ୍ଚାୟତ କାର୍ଯ୍ୟାଳୟ , ଇଲେକସନ କାର୍ଯ୍ୟାଳୟ, ଯୋଗାଣ ଅଧିକାରୀ କାର୍ଯ୍ୟାଳୟ ଗୁଡ଼ିକରେ ସମସ୍ତ ପ୍ରକାର କାର୍ଯ୍ୟ ଏକ ପ୍ରକାର ସ୍ଥାଣୁ ହୋଇଯାଇଛି। ସାଧାରଣ ଜନତା କୌଣସି କାର୍ଯ୍ୟରେ କାର୍ଯ୍ୟାଳୟ ଆସିଲେ ଅମଲା ସବୁ ସିଟ ଫାଙ୍କା ପଡିଥିବାରୁ ନିରାଶ ହୋଇ ଘରକୁ ଫେରିଯାଉଛନ୍ତି । ରାଜ୍ୟ ସରକାର ଏଥିପ୍ରତି ଧ୍ୟାନଦେଇ ତୁରନ୍ତ ଅମଲାଙ୍କ ଦାବୀ ପୂରଣ କରିଦେଲେ ଜନସାଧାରଣଙ୍କ ଅସୁବିଧାର ସବୁ ସମାଧାନ ହୋଇପାରନ୍ତା । ଏହାର ପ୍ରତି ବଦଳରେ ରାଜ୍ୟ ସରକାର ଧମକାଇବା କର୍ମଚାରୀଙ୍କ ମହଲରେ ଅଶାନ୍ତି ସୃଷ୍ଟି କରିଛି। ଏଥିରେ ସରକାର କର୍ମଚାରୀମାନଙ୍କୁ ଭୟଭୀତ କରାଇ ଛୁଟିକୁ ବାତିଲ କରିବାପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିବା ସ୍ଥଳେ କର୍ମଚାରୀମାନେ ତାଙ୍କ ଦାବୀ ପୂରଣ ଜିଦରେ ଅଟଳ ଥାଇ ଆନ୍ଦୋଳନକୁ ଆହୁରି ଜୋରଦାର କରି ସରକାରଙ୍କ ଆଦେଶକୁ ଫୁ କରିଦେଇଛନ୍ତି l ଏଥିରେ ରାଜ୍ୟର ୩୦ଗୋଟି ଜିଲ୍ଲାର ନେତୃମଣ୍ଡଳୀ ଓ ରାଜସ୍ବ କର୍ମଚାରୀ ସରକାରଙ୍କର ଏଭଳି ନିଷ୍ପତ୍ତିକୁ ଘୋର ନିନ୍ଦା କରାଯିବା ସଙ୍ଗେସଙ୍ଗେ ଏହା ଏକ ଦୁର୍ଭାଗ୍ୟଜନକ ଓ ମନ୍ତ୍ରୀଙ୍କର ଉକ୍ତି ସମସ୍ତ ରାଜସ୍ୱ ଅମଲାଙ୍କୁ ଏକ କଟାକ୍ଷ ବୋଲି ପ୍ରକାଶ କରିଛନ୍ତି। ରାଜ୍ୟ ସରକାର ଯେ ପର୍ଯ୍ୟନ୍ତ ରାଜସ୍ବ ଅମଲା ସଂଘର ରାଜ୍ୟ ନେତୃତ୍ୱ ମାନଙ୍କ ସହିତ ଆଲୋଚନା ନକରିଛନ୍ତି ସେ ପର୍ଯ୍ୟନ୍ତ ଆନ୍ଦୋଳନକୁ ତୀବ୍ରରୁ ତୀବ୍ରତର କରାଯିବ। ସମସ୍ତ ଜିଲ୍ଳାର ଅମଲାମାନେ ନିଷ୍ପତ୍ତି ନେଇଛନ୍ତି କି ସରକାର ଯେ କୌଣସି ପଦକ୍ଷେପ ନେଲେ ମଧ୍ୟ ଲେବେଲ-୯ ଓ ପଦବୀ ପୁନର୍ଗଠନ ନହେଇଛି ସେପର୍ଯ୍ୟନ୍ତ କେହି କାର୍ଯ୍ୟରେ ଯୋଗଦେବେ ନାହିଁ l କେନ୍ଦୁଝର ଜିଲ୍ଲା ମଧ୍ୟ ଏଥିରେ ସହମତି ପ୍ରକାଶ କରି ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଛି ଏବଂ ପୂର୍ବପରି ଆନ୍ଦୋଳନ ଯେପରି ଚାଲୁ ରହିଥିଲା ଠିକ୍ ସେମିତି ଆନନ୍ଦପୁର, ଚମ୍ପୁଆ ଓ ଜିଲ୍ଲାମୁଖ୍ୟାଳୟରେ ଆନ୍ଦୋଳନ ଆହୁରି ତୀବ୍ରତର କରାଯିବ ବୋଲି ସଭାପତି ଜୀତେନ୍ଦ୍ର ମହାପାତ୍ର, ସମ୍ପାଦକ ପ୍ରଭାତେନ୍ଦୁ ନାୟକ,ମିଡିଆ ସଂଯୋଜକ ପୀତବାସ ମହାନ୍ତ, କାର୍ଯ୍ୟକାରୀ ସଭାପତି ସଚିନ କୁମାର ପଣ୍ଡା, ଉପ ସଭାପତି ଜନ୍ମେଜୟ ସତପଥୀ , ମିନତି ସାହୁ, ଉପଦେଷ୍ଟା ଭୁବନେଶ୍ୱର ମହାପାତ୍ର,ସରୋଜ କୁମାର ସାହୁ , କୈଳାଶ ଚନ୍ଦ୍ର ମଲ୍ଲିକ, ସନ୍ତୋଷ କୁମାର ରଣା, ପ୍ରଭାତୀ ପ୍ରଧାନ, ଗୌରାଙ୍ଗ ଚରଣ ଜେନା ପ୍ରଭୃତି ପ୍ରକାଶ କରିଛନ୍ତି ।
ରାଜ୍ୟ
ରାଜସ୍ୱ ଅମଲା ସଂଘର ଆନ୍ଦୋଳନ ୧୨ ଦିନରେ ପହଞ୍ଚିଲା ସରକାରୀ କାର୍ଯ୍ୟ ଅଚଳପ୍ରାୟ।
- Hits: 47