"ଓଡିଶା ଗସ୍ତ ଅବସରରେ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଘୋଷଣା କରନ୍ତୁ ପ୍ରଧାନମନ୍ତ୍ରୀ"
ଭୁବନେଶ୍ୱର: ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଆଗମନ ଓ ସର୍ବୋପରି ପାଇକ ବିଦ୍ରୋହର ଦୁଇଶହ ବର୍ଷ ପୂର୍ତ୍ତି ଅବସରରେ ବରୁଣେଇଠାରେ ଅବସ୍ଥିତ ପାଇକ ବିଦ୍ରୋହର ସ୍ମୃତି, ସ୍ମାରକୀ ସ୍ୱରୂପ, ସ୍ମାରକୀ ମୁଦ୍ରା ପ୍ରଚଳନ, ଡ଼ାକ ଟିକେଟ ପ୍ରଚଳନ ଭଳି ପଦକ୍ଷେପକୁ ନିଖିଳ ଓଡ଼ିଶା ପାଇକ ମହାସଂଘର ରାଜ୍ୟ ସଭାପତି ଅଶୋକ କୁମାର ପାଲଟା ସିଂହ ସ୍ୱାଗତ କରିଛନ୍ତି । ଦୀର୍ଘଦିନ ଧରି ମହାସଂଘ ପକ୍ଷରୁ ଦାବି ହୋଇ ଆସୁଥିବା ପାଇକ ବିଦ୍ରୋହ ଗବେଷଣା ଚେୟାର ଉତ୍କଲ ବିଶ୍ୱବିଦ୍ୟାଳୟରେ ଖୋଲିବା ମଧ୍ୟ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ପ୍ରଧାନମନ୍ତ୍ରୀଙ୍କର ଏହିଭଳି ମହନୀୟତା ପାଇଁ ମହାସଂଘ ପକ୍ଷରୁ ଧନ୍ୟବାଦ ପ୍ରଦାନ କରାଯାଇଛି । ପରନ୍ତୁ ଭାରତବର୍ଷର ପ୍ରଥମ ଇଂରେଜ ବିରୋଧୀ ସ୍ୱାଧୀନତା ସଂଗ୍ରାମ ହେଉଛି ‘ପାଇକ ବିଦ୍ରୋହ’ । ଏହାକୁ କେନ୍ଦ୍ର ସରକାର ଯେପରି ଆଡ଼ମ୍ବର ପୂର୍ଣ୍ଣ ଭାବରେ ପାଳନ କଲେ ସେହିପରି ଏହାକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ଘୋଷଣା କରିବାରେ ମଧ୍ୟ ପକ୍ଷପାତିତା ଅବଲମ୍ବନ କଲେ । ଜାଭେଦକରଙ୍କର ଘୋଷଣା, ଘୋଷଣାରେ ରହିଗଲା । ସି.ବି.ଏସ୍.ଇ. ପାଠ୍ୟକ୍ରମରେ ଏହାକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି ଲିପିବଦ୍ଧ ନ କରିବା ମଧ୍ୟ ଏହା ପ୍ରତି ଏକ ଉପହାସ ସଦୃଶ । ମହାସଂଘର ରାଜ୍ୟ ସଭାପତି ଅଶୋକ କୁମାର ପାଲଟାସିଂହ ଆଜି ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ପତ୍ର ଲେଖି ଜଣାଇଛନ୍ତି ଭାରତର ଇତିହାସକୁ ସଂଶୋଧନ କରାଯାଇ ‘ପାଇକ ବିଦ୍ରୋହ’କୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦିଆଯାଉ । ଆଗାମୀ ଓଡ଼ିଶା ଗସ୍ତ ଅବସରରେ ମାନ୍ୟବର ପ୍ରଧାନମନ୍ତ୍ରୀ ଏହାକୁ ‘ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ’ ବୋଲି ମୁକ୍ତ ସ୍ୱରରେ ଘୋଷଣା କରନ୍ତୁ, ତେବେ ଏହା ପାଇକମାନଙ୍କ ପ୍ରତି ହେବ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ଓ ପାଇକମାନଙ୍କର ବୀରତ୍ୱର ଗାଥା ବିଶ୍ୱ ଦରବାରରେ ତଥା ଭାରତ ଇତିହାସରେ ଲିପିବଦ୍ଧ ହୋଇ ରହିପାରିବ । ଆଗାମୀ ଦିନରେ ପାଇକମାନଙ୍କର ବୀରତ୍ୱ, ସାହସିକତା, ଦେଶମାତୃକାର ପ୍ରୀତି ସମ୍ପର୍କରେ ଅବଗତ ହୋଇପାରିବ । ଆଜି ସୁଦ୍ଧା ପାଇକମାନଙ୍କର ଅର୍ଥନୈତିକ ଉନ୍ନତି ହୋଇପାରି ନାହିଁ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇନାହାଁନ୍ତ୍ି । ରାଜ୍ୟ ସରକାର କଳାକାର ସହାୟତା ଯୋଜନାରେ ପାଇକଗୁରୁମାନଙ୍କୁ ସାମିଲ୍ ନକରିବା ମଧ୍ୟ ନିନ୍ଦନୀୟ । ତେଣୁ ସ୍ୱତନ୍ତ୍ର କେନ୍ଦ୍ରୀୟ ପାଇକ ଭତ୍ତା ଓ ବକ୍ସି ଜଗବନ୍ଧୁ ସ୍ୱତନ୍ତ୍ର ପାଇକ ଭତ୍ତା ପ୍ରଦାନ କରିବାକୁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି । ପାଇକ ଆଖଡ଼ାର ଉନ୍ନତି, ପାଇକ ଏକାଡେ଼ମୀ ପ୍ରତିଷ୍ଠା ପାଇକ ଆଖଡ଼ାକୁ ସ୍କୁଲ୍, କଲେଜରେ ସାମିଲ୍ କରି ଏନ୍.ସି.ସି. ସ୍କାଉଟର ମାନ୍ୟତା ପ୍ରଦାନ, ପାଇକ ରେଜିମେଣ୍ଟ ଗଠନ ଓ ପାଇକମାନଙ୍କ ପାଇଁ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କରିବାକୁ ମହାସଂଘ ପକ୍ଷରୁ ଦାବି କରାଯିବା ସହିତ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରରାଯାଇଛି । ଏହି ବୈଠରେ ରାଜ୍ୟ ସାଧାରଣ ସମ୍ପାଦକ ରମେଶ ସାମଲ, କଟକ ସଭାପତି ରାଜକିଶୋର ବେହେରା, ଭୁବନେଶ୍ୱର ସଭାପତି ଅଜୟ ନାଏକ, ଜଗତସିଂହପୁର ସଭାପତି ବିଦ୍ୟାଧର ନାଏକ, ପୁରୀ ପାଇକ ସଂଘ ଦଳବେହେରା, ମନୋରଞ୍ଜନ ପଶ୍ଚିମ କବାଟ, ଖୋର୍ଦ୍ଧା ଜିଲ୍ଲା ବରିଷ୍ଠ ପାଇକଗୁରୁ ଭାସ୍କର ସୁନ୍ଦରାୟ, ପାଇକ ଜିନ୍ ଗବେଷକ ଡଃ ପ୍ରଫେସର ଗାୟନ ସାମଲ, ଉପଦେଷ୍ଟା ଭୀମସେନ ବିଶ୍ୱାଳ, ରାଜ୍ୟ ଉପସଭାପତି ଭୀମ ପାଇକରାୟ, ରଞ୍ଜନ ବିଶୋଇ, କୋଷାଧ୍ୟକ୍ଷ ରଞ୍ଜନ ବଳିଆସିଂହ, ବଡ଼ମ୍ବା ପାଇକ ସର୍ଦ୍ଧାର ଜିତେନ୍ଦ୍ରିୟ ମାନସିଂହ, ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ପ୍ରମୋଦ କୁମାର ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ । ରାଜ୍ୟ ସଂଯୋଜକ କେଦାର ଦାସ ଏହାକୁ ସଂଯୋଜନା କରିଥିଲେ ।