ହେଡଲାଇନସ୍:

ଖରିଫ୍ ଋତୁ ୨୦୨୫ ନିମନ୍ତେ ଜିଲ୍ଲା କୃଷି କାର୍ଯ୍ୟ ନିର୍ଦ୍ଧାରଣ କମିଟି ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଜଗତସିଂହପୁର,ତା-୨୯.୦୭.୨୦୨୫/ସୁମନ୍ତ କୁମାର ଦାସ: ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ ଜିଲ୍ଲା କୃଷି ବିଭାଗ ଆନୁକୂଲ୍ୟରେ ଖରିଫ୍ ଋତୁ ୨୦୨୫ ନିମନ୍ତେ ଜିଲ୍ଲା କୃଷି କାର୍ଯ୍ୟ ନିର୍ଦ୍ଧାରଣ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ଜେ ସୋନାଲ କହିଲେ ଜଗତସିଂହପୁର ଜିଲ୍ଲା ଏକ କୃଷି ପ୍ରଧାନ ଜିଲ୍ଲା।ଚାଷୀ ମାନଙ୍କ ନିମନ୍ତେ ସରକାର ବହୁତ୍ ଯୋଜନା କରିଛନ୍ତି। କୃଷକ ମାନେ ଯେପରି ପ୍ରତ୍ୟେକ ଯୋଜନାର ସୁଫଳ ପାଇପାରିବେ ସେଥିପ୍ରତି କୃଷି ବିଭାଗ ଅଧିକାରୀ ମାନେ ଯତ୍ନବାନ ହେବା ଆବଶ୍ୟକ। ଜିଲ୍ଲା ରେ ଏହିସବୁ ଯୋଜନା ଗୁଡିକୁ ବିଭିନ୍ନ କୃଷକ ସମ୍ପର୍କ ମେଳା, କୃଷି ସଚେତନତା କାର୍ଯ୍ୟକ୍ରମ , ଅଡିଓ ଭିଡିଓ କ୍ଲିପ୍, ୱାଲ ପେଣ୍ଟିଂ ଆଦି ଜରିଆରେ ହିତାଧିକାରୀ ମାନଙ୍କ ପାଖରେ ପହଞ୍ଚାଇବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।ଅର୍ଗାନିକ ଫାର୍ମିଂ, ଫାର୍ମ ପଣ୍ଡ ର ସଦୁପଯୋଗ କରିବା ପାଇଁ ଭାରପ୍ରାପ୍ତ ଜିଲ୍ଲାପାଳ କହିଥିଲେ। ଭାରତ ସରକାର ଏବଂ ରାଜ୍ୟ ସରକାରଙ୍କ କୃଷି ବିଭାଗ ଦ୍ଵାରା ପରିଚାଳିତ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ସି ଏମ୍ କିଷାନ ଯୋଜନା,ପି ଏମ୍ କେ ୱାଇ ଯୋଜନା ରେ ଜିଲ୍ଲାର ଅଧିକରୁ ଅଧିକ ଚାଷୀ ଯେପରି ନିଜ ନିଜର ନାମ ପଞ୍ଜିକରଣ କରିବେ ସେଥିପ୍ରତି ବ୍ଲକ କୃଷି ଅଧିକାରୀ, ସହକାରୀ କୃଷି ଅଧିକାରୀ,ଏବଂ ସମବାୟ ବିଭାଗ ଅଧିକାରୀ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାର ଚାଷୀ ମାନଙ୍କୁ ଠିକ୍ ସମୟରେ ବିହନ ସାର ଯୋଗାଣ ଉପରେ ଗୁରୁତ୍ୱାରୋପ କରିଥିଲେ। ସମସ୍ତ ଯୋଜନା ଓ ସବସିଡି ବାବଦରେ କୃଷି ଅଧିକାରୀ ମାନେ ପଞ୍ଚାୟତ ସ୍ତରରେ ବ୍ୟାପକ ପ୍ରଚାର ପ୍ରସାର ସହିତ ଚାଷୀମାନଙ୍କୁ ସଚେତନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ବୈଠକ ରେ ଉପସ୍ଥିତ ରହି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ରାଉତ କହିଲେ ଯେ, ଜଗତସିଂହପୁର ଜିଲ୍ଲା ଏକ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଜିଲ୍ଲା ହୋଇଥିବାରୁ ପ୍ରତିବର୍ଷ ବନ୍ୟା ଓ ବାତ୍ୟାର ଆଶଙ୍କା ରହୁଛି। ତଳିଆ ଅଞ୍ଚଳରେ ପାଣି ଜମି ରହିବା କାରଣରୁ ଫସଲ କ୍ଷତି ହେବାର ଆଶଙ୍କା ରହୁଛି। ସେଥିପ୍ରତି ଦୃଷ୍ଟି ରଖି ସମସ୍ତ ସୁବିଧା କରିବାକୁ ସେ ପରାମର୍ଶ ଦେଇଥିଲେ।ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ କାର୍ତ୍ତିକ ଚନ୍ଦ୍ର ମଲ୍ଲିକ କାର୍ଯ୍ୟସୂଚୀ ଅନୁଯାୟୀ ଆଲୋଚନା କରିଥିଲେ। ବୈଠକରେ ପୂର୍ବ ବୈଠକ ର ବିବରଣୀକୁ ଦୃଢ଼ୀକରଣ କରାଯାଇଥିଲା। ରବି ଋତୁରେ ୮୭୬୮୫ ହେକ୍ଟର ଜମିରେ ହାଇବ୍ରିଡ ଧାନ, ମକା,ମୁଗ,ବିରି,କୋଳଥ , ମଟର,ବାଦାମ,ରାଶି ଆଦି ଚାଷ କରାଯାଇଥିଲା। ମୋଟ୍ ୬୮୨୪୧ ହେକ୍ଟର ଜମିରେ ଡାଲିଯାତୀୟ ଫସଲ କରାଯାଇଥିଲା। ଏତଦ୍ ବ୍ୟତୀତ ସୂର୍ଯ୍ୟମୁଖୀ,ଆଳୁ , ପିଆଜ, ଅନ୍ୟାନ୍ୟ ପନିପରିବା, ଲଙ୍କା, ରସୁଣ,ଧନିଆ, ଆଖୁଚାଷ ହୋଇଥିଲା। ଚଳିତ ଖରିଫ ଋତୁରେ ସମସ୍ତ ଫସଲ କୁ ମିଶାଇ ମୋଟ ୧୦୦୮୧୫ ହେକ୍ଟର ଜମିରେ କୃଷିକାର୍ଯ୍ୟ ନିର୍ଦ୍ଧାରଣ କରାଯାଇଛି।ସେଥିମଧ୍ୟରୁ ୮୯୨୧୦ ହେକ୍ଟର ରେ ଖାଦ୍ୟଶସ୍ୟ,୧୭୦ହେକ୍ଟର ରେ ଡାଲି ଜାତୀୟ ଫସଲ ,୯୩୦୦ ହେକ୍ଟର ରେ ପନିପରିବା,୧୪୫୦ ହେକ୍ଟର ରେ ମସଲା ଜାତୀୟ ଫସଲ, ୨୦ ହେକ୍ଟର ସବୁଜ ଗୋଖାଦ୍ୟ ,୫୯୫ ହେକ୍ଟର ରେ ଆଖୁ ଚାଷ ନିମନ୍ତେ ଲକ୍ଷ ଧାର୍ଯ୍ୟ ରହିଛି। ତାଳଦଣ୍ଡା,ମାଛଗାଁ, ମହାନଦୀ ବ୍ୟାରେଜ୍ ଡିଭିଜନ, ଉଠା ଜଳସେଚନ ପଏଣ୍ଟ, ନଳକୂପ ମାଧ୍ୟମରେ ୭୫୮୨୨ ହେକ୍ଟର ଜମିରେ ଜଳସେଚନର ସୁବିଧା ରହିଛି। ୫୨୦୦ କ୍ଵିଣ୍ଟାଲ ଧାନ ବିହନ,୪୧୨ କ୍ଵିଣ୍ଟାଲ ଧଣୀଚା ମଞ୍ଜି, ବିରି,୨କ୍ୱିଣ୍ଟାଲ ମଞ୍ଜି ପାଇଁ ଇଣ୍ଡେଣ୍ଟ ଦିଆଯାଇଛି। ଜିଲ୍ଳାର ଚାଷୀ ମାନଙ୍କୁ ସମବାୟ ଓ ବିଭିନ୍ନ ବ୍ୟାଙ୍କ୍ ଜରିଆରେ ୪୨୨୭୫୫.୯୩ ଲକ୍ଷ ଋଣ ଟଙ୍କା ପ୍ରଦାନ କରାଯିବାର ଧାର୍ଯ୍ୟ ଲକ୍ଷ ରହିଛି। ଖସଡ଼ା ଧାନ ଚାଷ , ଇଣ୍ଟିଗ୍ରେଟେଡ୍ ମାଇକ୍ରୋନିଉଟ୍ରିଏଣ୍ଟ ପରିଚାଳନା, ସିଡ ଭିଲେଜ ପ୍ରୋଗ୍ରାମ,ଇ - ପେଷ୍ଟ , ସରଭେଲାନ୍ସ ମାଧ୍ୟମରେ କୀଟ ଦମନ ,ଜୈବସାର, ଭର୍ମିକମ୍ପୋଷ୍ଟ,ମିଲେଟ ମିଶନ,ଟ୍ରାକ୍ଟର ସାହାଯ୍ଯ ରେ ମଞ୍ଜି ବୁଣା ବ୍ୟବହାର ଉପରେ ପ୍ରାଧାନ୍ୟ ଦିଆଯାଇଛି।ଏବର୍ଷ ୧.୧୦ କ୍ୱିଣ୍ଟାଲ ମାଣ୍ଡିଆ ବିହନ,୦.୩୦ କ୍ଵିଣ୍ଟାଲ ଯୋୱାର,୦.୧୦ କ୍ଵିଣ୍ଟାଲ ବାଜରା ମଞ୍ଜି ଦିଆ ଯାଇଛି। ଚାଷୀ ମାନଙ୍କୁ ୯୯୫୫ କିଲୋଏନ୍ ପି କେ ସାର ଯୋଗାଇ ଦିଆଯିବାର ଲକ୍ଷ୍ୟ ରଖାଯାଇଛି ।ପ୍ୟାକ୍ସ ରେ ଅଧିକ ଚାଷୀ ଙ୍କୁ ପଞ୍ଜୀକୃତ କରାଯିବାର ପ୍ରସ୍ତାବ ରଖାଯାଇଥିଲା। ବୈଠକରେ ବିହନ ଯୋଗାଣ, ରାସାୟନିକ ସାର,ଫସଲ ସୁରକ୍ଷା, ମୁର୍ତିକା ପରୀକ୍ଷଣ, ସୌର ଜଳବିଧି, ଜାତୀୟ ଖାଦ୍ୟ ମିଶନ, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା, ଉଦ୍ୟାନ କୃଷି ଓ ମୃତ୍ତିକା ସଂରକ୍ଷଣ ଉପରେ ଆଲୋଚନା ହୋଇଥିଲା।ଏହା ବ୍ୟତୀତ ନଡ଼ିଆ,ଆମ୍ବ,କାଜୁ,ଲେମ୍ବୁ,ଅମୃତଭଣ୍ଡା, ପଣସ, କଦଳୀ, ପାନଚାଷ ଆଦି ଉଦ୍ୟାନ କୃଷି ,ମୃତ୍ତିକା ସଂରକ୍ଷଣ ସମ୍ପର୍କରେ ଆଲୋଚନା ହୋଇଥିଲା। ଏହି ବୈଠକରେ ଡି ଡି ଏମ ନାବାର୍ଡ , ଅଗ୍ରଣୀ ବ୍ୟାଙ୍କ୍ ମ୍ୟାନେଜର,ସହକାରୀ ନିର୍ଦ୍ଦେଶକ ଉଦ୍ୟାନ କୃଷି, ଅନିଲ କୁମାର ସେଠୀ ,ମୃତ୍ତିକା ସଂରକ୍ଷଣ ଅଧିକାରୀ,କୃଷି ଜିଲ୍ଲା ଅଧିକାରୀ, ତିର୍ତ୍ତୋଲ ଶ୍ରୀ ସୌଭାଗ୍ୟ କୁମାର ମହାନ୍ତି , କୃଷି ଜିଲ୍ଲା ଅଧିକାରୀ ଜଗତସିଂହପୁର ଶ୍ରୀ ବିଶ୍ୱଜିତ ପଣ୍ଡା , ବ୍ଲକ କୃଷି ଅଧିକାରୀ , ସହକାରୀ କୃଷି ଅଧିକାରୀ, କ୍ଷେତ୍ରୀୟ ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

0
0
0
s2sdefault