ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ୟୁନିଫାଏଡ୍ ଅଟୋମେସନ୍ ସିଷ୍ଟମ୍ ( ୟୁଏଏସ୍) ଲାଗୁ ପୂର୍ବରୁ ବିଦ୍ୟାଳୟରେ ଭିତ୍ତିଭୂମି ସୁଦୃଢ଼ କରିବାକୁ ବେଲଗୁଣ୍ଠା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ତରଫରୁ ଦାବି କରାଯିବା ସହିତ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରିଣୀଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି I ସୂଚନା ଥାଉକି ୟୁନିଫାଏଡ୍ ଅଟୋମେସନ୍ ସିଷ୍ଟମ୍ ( ୟୁଏଏସ୍) ରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବିଦ୍ୟାଳୟକୁ ଯିବା ଆସିବା ସମୟ, ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଆଦି ପଞ୍ଜୀକରଣ କରିବାକୁ ପଡିଥାଏ I କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହି ପ୍ରକ୍ରିୟା ପାଇଁ ସରକାରଙ୍କ ତରଫରୁ ବହୁ ବିଦ୍ୟାଳୟକୁ ଟାବଲେଟ୍ ଯୋଗାଇ ଦିଆଯାଇନଥିବା ବେଳେ କାହାକୁ ମଧ୍ଯ ମୋବାଇଲ୍ ଯୋଗାଇ ଦିଆଯାଇ ନାହିଁ I ଯେଉଁ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଟାବଲେଟ୍ ଯୋଗାଇ ଦିଆଯାଇଛି ତାହାକୁ କାର୍ଯ୍ୟକ୍ଷମ କରିବା ପାଇଁ ସିମ୍ କିମ୍ବା ଇଣ୍ଟରନେଟ୍ ର ବ୍ୟବସ୍ଥା କରାଯାଇ ନାହିଁ I କିଛି ବିଦ୍ୟାଳୟରେ ନେଟୱର୍କ୍ ର ସୁବିଧା ନଥିବା ବେଳେ ସମସ୍ତ ବିଦ୍ୟାଳୟରେ ଶ୍ରେଣୀ ଅନୁଯାୟୀ ଶିକ୍ଷକର ଅଭାବ ରହିଛି I ସେହିପରି କୌଣସି ବିଦ୍ୟାଳୟରେ ଇଣ୍ଟେରନେଟ୍ କିମ୍ବା ୱାଇଫାଇର ବ୍ୟବସ୍ଥା ନ କରି ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅନଲାଇନ୍ ରେ କାମ କରିବାକୁ ବାଧ୍ୟ କରାଯାଉଅଛି l ଏହା ସହିତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଆବଶ୍ଯକ ପଦୋନ୍ନତି ପ୍ରକ୍ରିୟାକୁ ତ୍ଵରାନ୍ୱିତ କରିବା ପାଇଁ ମଧ୍ୟ ଦାବି କରାଯାଇଛି I ସମସ୍ତ ସମସ୍ୟାର ଶତପ୍ରତିଶତ ସମାଧାନ ନହେବା ପର୍ଯ୍ୟନ୍ତ ବିଦ୍ୟାଳୟରେ ୟୁଏଏସ୍ ବ୍ୟବସ୍ଥା ଲାଗୁ ନକରିବା ପାଇଁ ଶିକ୍ଷକ ସଂଘ ତରଫରୁ ଦାବି କରାଯାଇଛି I ଏହି ପ୍ରରିପ୍ରେକ୍ଷୀରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ସଭାପତି ମୃତ୍ୟୁଞ୍ଜୟ ପଣ୍ଡାଙ୍କ ନେତୃତ୍ୱରେ କାର୍ଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ସେଠୀ, ମନୋଜ କୁମାର ପଟ୍ଟନାୟକ,ଉପସଭାନେତ୍ରୀ ସ୍ନେହଲତା ପତି, ସଂଗଠନ ସମ୍ପାଦକ ଆକୁଳ ସାହୁ, ଟୁକୁନା ବେହେରା,କୋଷାଧ୍ୟକ୍ଷ ଶଙ୍କର ନାରାୟଣ ସେଠୀ,ଉପଦେଷ୍ଟା ଅଚ୍ୟୁତ ବ୍ରହ୍ମା, ଛାୟାକାନ୍ତ ମହାପାତ୍ରଙ୍କ ସମେତ ବ୍ଳକ୍ ର ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଏକତ୍ରିତ ହୋଇ ଏବିଇଓ ଗୋବିନ୍ଦ ଚନ୍ଦ୍ର ପାଢୀ ଏବଂ ପ୍ରତିଭା ରଥଙ୍କ ଉପସ୍ଥିତିରେ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଲୋପାମୁଦ୍ରା ରଥଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଥିଲେ I
ରାଜ୍ୟ
ପ୍ରଥମେ ଭିତ୍ତିଭୂମି , ପରେ ୟୁଏଏସ୍ ପୋର୍ଟାଲ୍ ପାଇଁ ଦାବି ; ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ତରଫରୁ ଗୋଷ୍ଠୀ ଶିକ୍ଷା ଅଧିକାରିଣୀଙ୍କୁ ସ୍ମାରକ ପତ୍ର ପ୍ରଦାନ
- Hits: 222