ପିଠା କାର୍ଯ୍ୟକ୍ରମରେ କ୍ୟାନ୍ସର ହସ୍ପିଟାଲ ଦାବୀ ।
ବିଜେପୁର/ଶାସକପ୍ରଶାସକ-ପଶ୍ଚିମଓଡ଼ିଶାରେ ଦିନକୁ ଦିନ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି, ଖାସ କରି ବରଗଡ଼ ଜିଲ୍ଲାରେ ରୋଗୀଙ୍କ ସଂଖ୍ୟା ବଢିବା ଚିନ୍ତାର ବିଷୟ । ଏହାର କାରଣ ଏପର୍ଯ୍ୟନ୍ତ ଜଣା ପଡି ନାହିଁ ଯାହାକି ଅଞ୍ଚଳ ବାସୀଙ୍କ ମନରେ ଚିନ୍ତା ସୃଷ୍ଟି କରୁଛି । ଏ ଅଂଚଳର କ୍ୟାନ୍ସର ରୋଗୀମାନେ ଚିକିତ୍ସା ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି,ତେଣୁ ବରଗଡ଼ ଜିଲ୍ଲାରେ ଏକ ସ୍ଥାୟୀ କ୍ୟାନ୍ସର ଡାକ୍ତରଖାନା ନିର୍ମାଣ ପାଇଁ ଅଂଚଳର ବିଭିନ୍ନ ସଂଗଠନ ବାରମ୍ବାର ଦାବୀ ଜଣାଇବା ସତ୍ବେ ସରକାର ଏପର୍ଯ୍ୟନ୍ତ ଦାବୀଗୁଡିକୁ ଅଣଦେଖା କରି ଆସୁଛନ୍ତି।ନିଜର ସୁଖ ଦୁଃଖରେ ଭାଗିଦାର ହେବା ପାଇଁ କେତେ ଆଶାରଖି ନିର୍ବାଚିତ କରିଥିବା ଲୋକ ପ୍ରତିନିଧି ମାନେ ଲୋକଙ୍କ ଏତେ ଅସୁବିଧା ଥିବା ସତ୍ୱେ ନିଦା ବିଷ୍ଣୁ ସାଜିଛନ୍ତି, ଯାହା କି ଅତ୍ୟନ୍ତ ଉଦବେଗର ବିଷୟ ।
ବିଜେପୁର ବ୍ଳକ ଯୋଖିପାଲି ଗ୍ରାମ ପଂଚାୟତ ସ୍ତରରେ ହେଉଥିବା "ପିଠା" କାର୍ଯ୍ୟକ୍ରମରେ ଯୋଖିପାଲିର ୟୁବ ସଂଗଠନ ୟୁଥ ଏଙ୍ଗେଷ୍ଟର କର୍ମକର୍ତ୍ତା ମାନେ ବିଜେପୁର ବିଧାୟିକା ଶ୍ରୀମତୀ ରୀତା ସାହୁଙ୍କୁ ବରଗଡ ଜିଲ୍ଲାରେ ଟାଟା ମେମୋରିଆଲ କ୍ୟାନ୍ସର ହସପିଟାଲ ନିର୍ମାଣ ଦାବୀରେ ଏକ ଦାବିପତ୍ର ପ୍ରଦାନ କରିଥିଲେ ଏବଂ ସରକାରଙ୍କୁ ଯଥା ଶୀଘ୍ର ଏଥିପ୍ରତି ଧ୍ୟାନ ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଅନୁରୋଧ କରିଥିଲେ । ପୂର୍ବରୁ ଅନେକ ଥର ସରକାରଙ୍କୁ ଅନୁରୋଧ କରିଥିବା ସତ୍ୱେ ସରକାରଙ୍କ ଏଭଳି ବୈମାତୃକ ମନୋଭାବ ଆଗାମୀ ଦିନରେ ଆନ୍ଦୋଳନର ରୂପ ନେବ ବୋଲି ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଯୋର ଧରିଛି। ଏହି ଦାବିପତ୍ର ଦେବା ବେଳେ ସଂଗଠନର ସଦସ୍ୟ ରାଜେଶ ମହାପାତ୍ର, ଗୋବର୍ଧନ ବରିହା, ମନୋଜ ମହାନନ୍ଦ, ଲଷ୍ମୀକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ |