ସବୁଜ ପରିବେଶ ଓ ସୁସ୍ଥ ଜଳବାୟୁ ନିମନ୍ତେ ଏକମାତ୍ର ବିକଳ୍ପ ଚାରାରୋପଣ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ସବୁଜ ପରିବେଶ ଓ ସୁସ୍ଥ ଜଳବାୟୁ କୁ ନିରବଚ୍ଛିନ୍ନ ରଖିବା ନିମନ୍ତେ ଏକମାତ୍ର ବିକଳ୍ପ ଚାରାଗଛ ରୋପଣ। ଯେପରି ଭାବରେ ଦିନକୁ ଦିନ ଆଧୁନିକ ମାନବ ସମାଜ ଉନ୍ନତି ସ୍ତରକୁ ଅଗ୍ରଗତି ହେଉଛି, ସେହିପରି ଭାବରେ ତାକୁ ଦୃଷ୍ଟିରେ ରଖି ଶିଳ୍ପ, କଳକାରଖାନା, କୋଠାବାଡ଼ି, ରାସ୍ତାଘାଟ ର ମଧ୍ୟ ଅଭିବୃଦ୍ଧି ଘଟିବାରେ ଲାଗିଛି। ଏଥିପାଇଁ ସବୁଜ ବଳୟର ଅବକ୍ଷୟ ହେବାରେ ଲାଗିଛି,ତଥାପି ବର୍ତ୍ତମାନ ର କ୍ଷତିକୁ ଭରଣା କରାଯାଇ ପାରିବ ନାହିଁ। କିନ୍ତୁ ଏକମାତ୍ର ବିକଳ୍ପ ଚାରାରୋପଣ କରି ସୁସ୍ଥ ଜଳବାୟୁ ଓ ସବୁଜବଳୟ କୁ ବଞ୍ଚାଇ ରଖିବାର ସଚେତନତା ସୃଷ୍ଟି କରିବା ସେହି ଦୃଷ୍ଟିରୁ ବିଭିନ୍ନ ସ୍ତରରେ ବନମହୋତ୍ସବ କାର୍ଯ୍ୟକ୍ରମ ମାନ ଆୟୋଜିତ କରାଯାଉଛି।

ଭଞ୍ଜନଗର ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧୀନସ୍ଥ ସ୍ଥାନୀୟ "ସୋମନାଥ ଅଭ୍ୟାସ ଉଚ୍ଚ ବିଦ୍ୟାଳୟ" ଠାରେ ୭୬ ତମ ବନମହୋତ୍ସବ ପାଳନ ସହିତ "ଏକ ବୃକ୍ଷ ମାଁ ଙ୍କ ନାମରେ " କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବର୍ତ୍ତମାନ ଆଧୁନିକ ଯୁଗରେ ଯନ୍ତ୍ର ଦାନବର ଦାଉରେ ପରିବେଶ ନଷ୍ଟ ହେବାରେ ଲାଗିଛି। ଆଧୁନିକିକରଣ, ସହରିକରଣ, ଜଗତିକରଣ ଯୋଗୁଁ ଜଙ୍ଗଲ ନଷ୍ଟ ଓ ଧ୍ଵଂସ ହେବା କାରଣରୁ ଦିନକୁ ଦିନ ବୃକ୍ଷ ସଂଖ୍ୟା କମିବାରେ ଲାଗିଛି। ଏହାର କୁପ୍ରଭାବ ସାରା ବିଶ୍ବରେ ଅନୁଭୂତ ହେଉଛି। ଫଳରେ ପ୍ରକୃତିରେ ଅବକ୍ଷୟ, ତାପମାତ୍ରାରେ ବୃଦ୍ଧି, ସବୁଜ କୋଠରୀ ପ୍ରଭାବ, ଅମ୍ଳବର୍ଷା, ଓଜନ ସ୍ତରରେ କ୍ଷୟ, ଅନୀୟମିତ ବୃଷ୍ଟିପାତ, ପରିବେଶ ସନ୍ତୁଳନତା ହ୍ରାସ ଓ ଜୈବ ବିବିଧତା ନଷ୍ଟ ଭଳି ପ୍ରାକୃତିକ ବିପର୍ଯ୍ୟୟ ଦେଖାଦେଉଛି। ଏହାର ମୁକାବିଲା ଓ ପ୍ରତିକାର କରିବା ପାଇଁ ସରକାରୀ, ବେସରକାରୀ ସଂସ୍ଥା ଓ ବିଭିନ୍ନ ସ୍ବେଛାସେବୀ ସଂସ୍ଥା ତଥା ଅନୁଷ୍ଠାନ ମାନଙ୍କ ଦ୍ଵାରା ଅନେକ ପଦକ୍ଷେପ ହାତକୁ ନିଆଯାଉଛି। ଏଥି ପାଇଁ ସବୁ ସ୍ତରରେ ଉଦ୍ୟମ ସହିତ ବ୍ୟାପକ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି। ସଂପ୍ରତି ସାରା ଭାରତରେ ବନମହୋତ୍ସବ ପାଳନ ସହିତ "ଏକ ବୃକ୍ଷ ମାଁ ଙ୍କ ନାମରେ" କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଉଅଛି। ଏହି କ୍ରମରେ ବିଭିନ୍ନ ପ୍ରାକୃତିକ ସମସ୍ୟାର ପ୍ରତିକାର, ପରିବେଶ ସୁରକ୍ଷା, ପ୍ରକୃତି ସଂରକ୍ଷଣ, ବୃକ୍ଷ ଚାରା ରୋପଣ ତଥା ଜନଜାଗରଣ ସୃଷ୍ଟି ପାଇଁ ଭଞ୍ଜନଗର ବିଇଡି କଲେଜ୍ ନିକଟସ୍ଥ ସୋମନାଥ ଅଭ୍ୟାସ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନେ ଅଣ୍ଟା ଭିଡିଛନ୍ତି। ସେଥିପାଇଁ ଉଚ୍ଚ ପଦସ୍ଥ ଅଧିକାରୀ ମାନଙ୍କ ନିର୍ଦ୍ଦେଶ, ଭଞ୍ଜନଗର ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀମତି ଲୋପାମୁଦ୍ରା ରଥଙ୍କ ଆଦେଶ ଓ ସୁପାରିଶ କ୍ରମେ ତଥା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ କାର୍ଯ୍ୟାଳୟ ସହଯୋଗରେ ବିଦ୍ୟାଳୟ ତରଫରୁ ଜଙ୍ଗଲ ସୁରକ୍ଷା ଶୋଭାଯାତ୍ରା ସହିତ ବନମହୋତ୍ସବ ସଚେତନତା ସଭା ଆୟୋଜନ ଏବଂ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ ସଂପାଦନ କରାଯାଇଛି।
କାର୍ଯ୍ୟକ୍ରମ ର ପ୍ରଥମ ପର୍ଯ୍ୟାୟରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଏକ ବିରାଟ ଶୋଭାଯାତ୍ରାରେ ବାହାରି ସୋମନାଥ ଅଭ୍ୟାସ ଉଚ୍ଚ ବିଦ୍ୟାଳୟ ଠାରୁ ବି.ଇ।ଡି କଲେଜ, ମେଇନ୍ ରୋଡ଼, ଲଣ୍ଡେଇ ସାହି ଓ ରାମ ମନ୍ଦିର ସାହି ପରିକ୍ରମା କରି ବିଦ୍ୟାଳୟରେ ଶୋଭାଯାତ୍ରା ଶେଷ କରିଥିଲେ। ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ କାଳୀଚରଣ ପରିଡାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଖେଳ ଶିକ୍ଷକ ପ୍ରବୀଣ କୁମାର ଖାଡଙ୍ଗା, ସଂସ୍କୃତ ଶିକ୍ଷକ ବାସୁଦେବ ମିଶ୍ର, ବିଦ୍ୟାଳୟ କର୍ମଚାରୀ ରବିନ୍ଦ୍ର ପ୍ରଧାନ ଓ ପ୍ରଶାନ୍ତ ଚୌଧୁରୀ ସକ୍ରିୟ ଅଂଶଗ୍ରହଣ କରିଥିଲେ। ପୂର୍ବତନ ରେଞ୍ଜ ଅଫିସର ତଥା ସମାଜସେବୀ ଶ୍ ଅନୁପମ ବାନାର୍ଜୀ, ପ୍ରକୃତି ବନ୍ଧୁ ଦ୍ଵିତୀକୃଷ୍ଣ ଲେଙ୍କା, ସି.ଆର.ସି.ସି ମନୋଜ କୁମାର ଗୌଡ଼ ଏହି ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ। ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ କାର୍ଯ୍ୟାଳୟ ତରଫରୁ ବନପାଳକ ବବୁଲ୍ କୁମାର ସେଠୀ, ଗାର୍ଡ ସଙ୍ଗୀତା ପଟ୍ଟନାୟକ, ବନ ସୁରକ୍ଷା ବାହିନୀର କର୍ମଚାରୀ ସାଗର ସାହୁ, ମିଥୁନ ପ୍ରଧାନ ଓ ସଞ୍ଜୟ କୁମାର ସ୍ବାଇଁ ସହଯୋଗ କରିଥିଲେ। ପରିବେଶ ସୁରକ୍ଷା ସମ୍ବନ୍ଧିତ ବିଭିନ୍ନ ସ୍ଲୋଗାନ ଦେଇ ବିଦ୍ୟାଳୟର ଭାର ପ୍ରାପ୍ତ ପ୍ରଧାନ ଶିକ୍ଷକ କାଳୀଚରଣ ପରିଡ଼ା ଓ ପ୍ରକୃତି ବନ୍ଧୁ ତଥା ପରିବେଶ ପ୍ରେମୀ ଦ୍ଵିତୀକୃଷ୍ଣ ଲେଙ୍କା ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ।
କାର୍ଯ୍ୟକ୍ରମର ଦ୍ବିତୀୟ ପର୍ଯ୍ୟାୟରେ ବିଦ୍ୟାଳୟ ମଧ୍ୟରେ ବନମହୋତ୍ସବ ପାଳନ ସହିତ ସଚେତନତା ସଭା ଆୟୋଜନ କରାଯାଇଥିଲା। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ କାଳୀଚରଣ ପରିଡାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସଭାରେ ମୂଖ୍ୟ ଅତିଥି ରୂପେ ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ହିମାଂଶୁ ଶେଖର ମହାନ୍ତି ଯୋଗଦେଇ ସମସ୍ତଙ୍କୁ ଜୀବନ ଯାପନ କରିବାପାଇଁ ବୃକ୍ଷ ର ଆବଶ୍ୟକତା, ପରିବେଶ ସୁରକ୍ଷା ଓ ପ୍ରକୃତି ସଂରକ୍ଷଣ ତଥା ବର୍ତ୍ତମାନ ସମୟରେ ଜଙ୍ଗଲର ସ୍ଥିତି ଓ ପରିସଂଖ୍ୟାନ ଉପରେ ଉଦବୋଧନ ଦେଇଥିଲେ। ଅନ୍ୟାନ୍ୟ ବରେଣ୍ୟ, ସମ୍ମାନିତ ଅତିଥି ଓ ବକ୍ତା ଭାବେ ମଞ୍ଚାସୀନ ଥିଲେ ମୁଜାଗଡ ରେଞ୍ଜ ଅଫିସର ବିମ୍ବାଧର ସାହୁ, କେନ୍ଦ୍ରୀୟ ବନାଞ୍ଚଳ‌ ଅଧିକାରୀ ପୃଥ୍ୱୀରାଜ ପ୍ରଧାନ, ଏ.ବି.ଇ.ଓ ଶ୍ରୀଯୁକ୍ତ ଗଜେନ୍ଦ୍ର କୁମାର ସେଠୀ, ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଦନମୋହନ ରଥ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ତଥା ସମ୍ବାଦ ସାହିତ୍ୟ ଘରର ସଂପାଦକ ସନ୍ତୋଷ କୁମାର ଯେନା, ପୂର୍ବତନ ରେଞ୍ଜ ଅଫିସର ତଥା ସମାଜସେବୀ ଅନୁପମ ବାନାର୍ଜୀ, ସିଆରସିସି ତଥା ପ୍ରକୃତି ବନ୍ଧୁ ଦ୍ଵିତୀକୃଷ୍ଣ ଲେଙ୍କା, ସି.ଆର୍.ସି.ସି ମନୋଜ କୁମାର ଗୌଡ଼। ମଞ୍ଚାସୀନ ସମସ୍ତ ଅତିଥି ବୃକ୍ଷର ମହତ୍ତ୍ୱ, ଆବଶ୍ୟକତା ଓ ଉପକାରିତା ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇବା ସହ ବୃକ୍ଷ ଚାରା ରୋପଣ ଉପରେ ଗୁରୁତ୍ଵ ଦେବାପାଇଁ ଆହ୍ୱାନ ଦେଇ ଅନୁରୋଧ କରିଥିଲେ। ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ସୁଷମା ଦିଗାଲ୍ ଅତିଥି ପରିଚୟ ପ୍ରଦାନ କରିଥିଲେ। ସନ୍ତୋଷ କୁମାର ଜେନା ସଭା ସଂଯୋଜନା କରିଥିବା ବେଳେ ଅନୁପମ ବାନାର୍ଜୀ ମୁଖ୍ୟବକ୍ତା ରୂପେ କାର୍ଯ୍ୟ ନିର୍ବାହ କରିଥିଲେ ଓ ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ପ୍ରକାରର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ମାଧ୍ୟମରେ ଆକୃଷ୍ଟ କରିବା ସହ ମନୋରଞ୍ଜନ ର ଖୋରାକ୍ ଯୋଗାଇଥିଲେ। ଏହି ଅବସରରେ ଛାତ୍ରୀ ମାନଙ୍କ ଦ୍ବାରା ଅଭିନୀତ ନାଟକ ସମସ୍ତଙ୍କୁ ବିମୋହିତ କରିଥିଲା। ଏହି ପରିପ୍ରେକ୍ଷୀରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା କୃତି ଶିକ୍ଷାର୍ଥୀମାନଙ୍କୁ ସମ୍ମାନିତ କରାଯାଇଥିଲା। ସଭା ଶେଷରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ତଥା ସଭାପତି ବିଦ୍ୟାଳୟ ତରଫରୁ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।
କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ କାର୍ଯ୍ୟାଳୟ ତରଫରୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ଫଳ ବୃକ୍ଷ ଚାରା ବଣ୍ଟନ କରାଯାଇଥିଲା। ଉପସ୍ଥିତ ସମସ୍ତ ଅତିଥି ଛାତ୍ରଛାତ୍ରୀ ମାନଙ୍କ ଗହଣରେ ବିଦ୍ୟାଳୟ ପ୍ରାଙ୍ଗଣରେ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ "ଏକ ବୃକ୍ଷ ମାଁ ଙ୍କ ନାମରେ" କାର୍ଯ୍ୟକ୍ରମ ସଂପାଦନ କରିଥିଲେ। ବୃକ୍ଷ ସମ୍ପର୍କିତ ବିଭିନ୍ନ ନାରାବାଜି ଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହିତ ଏହି କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିଥିଲେ ଶ୍ରୀ କାଳୀଚରଣ ପରିଡ଼ା ଓ ଶ୍ରୀ ଦ୍ଵିତୀକୃଷ୍ଣ ଲେଙ୍କା। ପରିଶେଷରେ ପ୍ରକୃତି ବନ୍ଧୁ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ପରିବେଶ ସୁରକ୍ଷା ପାଇଁ ଶପଥ ପାଠ କରାଇଥିଲେ। ପ୍ରକୃତି ବନ୍ଧୁ ତଥା ପରିବେଶ ପ୍ରେମୀ ଦ୍ଵିତୀକୃଷ୍ଣ ଲେଙ୍କାଙ୍କ ପ୍ରେରଣା ଓ ଆହ୍ଵାନ କ୍ରମେ ଏବଂ ବିଦ୍ୟାଳୟର ଭାର ପ୍ରାପ୍ତ ପ୍ରଧାନ ଶିକ୍ଷକ କାଳୀଚରଣ ପରିଡ଼ାଙ୍କ ଉଦ୍ୟମ, ତତ୍ତ୍ୱାବଧାନ ଓ ପରିଚାଳନା ରେ ଏହି ପବିତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ପାଚିକା ସହାୟିକା ଓ ଅଭିଭାବକ ଉପସ୍ଥିତ ରହି ସମସ୍ତ ପ୍ରକାରର ସାହାଯ୍ୟ ଓ ସହଯୋଗ କରିଥିଲେ।

0
0
0
s2sdefault