ମରଣୋତ୍ତର ଭାବେ ପାଇଲେ ବିଦ୍ୟୁତ୍ ଲତା ଶିକ୍ଷା ସମ୍ମାନ।
କେନ୍ଦୁଝର,ତା୨୨/୪ - ଆଜି ଥିଲା ଜିଲ୍ଲାର ବରିଷ୍ଠ ସାରସ୍ଵତ ସାଧିକା ଗାଳ୍ପିକା କବୟିତ୍ରୀ ବିଜୟଲକ୍ଷ୍ମୀ ଦୀକ୍ଷିତଙ୍କ ଏକାଦଶାହ ଦିବସ। କେନ୍ଦୁଝର ବଡ଼ଦାଣ୍ଡରେ ପରିବାର ପକ୍ଷରୁ ଏକ ସ୍ମୃତି ସଭା ଦିନ ୧୧ଟାରେ ଆୟୋଜନ କରାଯାଇଥିଲା। ପ୍ରଚଣ୍ଡ ଖରା ସତ୍ତ୍ୱେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ବିଜୟଲକ୍ଷ୍ମୀ ଦିଦିଙ୍କ ଛାତ୍ରଛାତ୍ରୀ ଶୁଭେଚ୍ଛୁ ସହଯୋଗୀ ମାନେ ଆସି ଯୋଗ ଦେଇଥିଲେ। ଦିଦିଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ପୁଷ୍ପ ଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ସ୍ମୃତି ସଭା ଆରମ୍ଭରେ ପଣ୍ଡିତ ମଧୁସୂଦନ ମିଶ୍ର ଦିବଂଗତ ଆତ୍ମାର ଶାନ୍ତି ଲାଗି ବେଦ ମନ୍ତ୍ର ପାଠ କରିଥିଲେ। ଏହି ସଭାରେ ସାହିତ୍ୟିକ ସାହିତ୍ୟିକା କବି କବୟିତ୍ରୀ ମାନେ ଯୋଗ ଦେଇ ନିଜ ବକ୍ତବ୍ୟ ତଥା କବିତା ମାଧ୍ୟମରେ ବିଜୟଲକ୍ଷ୍ମୀ ଦିଦିଙ୍କ ଅବଦାନ ଓ ମହନୀୟତା ଉପରେ ଆଲୋକପାତ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସୂଚନା ଯୋଗ୍ୟ କି ଶ୍ରୀମତୀ ବିଜୟଲକ୍ଷ୍ମୀ ଦୀକ୍ଷିତ ୧୯୪୯ ମସିହାରେ ପୁରୀ ଜିଲ୍ଲା କଣାସରେ ଜନ୍ମଗ୍ରହଣ କରି ଉଚ୍ଚଶିକ୍ଷା ଲାଭ କରିଥିଲେ। କେନ୍ଦୁଝର ପୁରୁଣା ବଜାର ବଡଦାଣ୍ଡର ଡାକ୍ତର ସଞ୍ଜୀବ କୁମାର ଦୀକ୍ଷିତଙ୍କୁ ବିବାହ କରି କେନ୍ଦୁଝରକୁ କର୍ମକ୍ଷେତ୍ର କରିଥିଲେ। ଜଣେ ଆଦର୍ଶ ବିଜ୍ଞାନ ଶିକ୍ଷୟିତ୍ରୀ ଭାବେ ସେ ଟାଉନ୍ ଗାର୍ଲ୍ସ ହାଇସ୍କୁଲ,ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ,ପୁରୁଣା ସିଟି ସ୍କୁଲ ତଥା ଡିଏନ୍ ହାଇସ୍କୁଲରେ ଶିକ୍ଷକତା କରି ଅଗଣିତ ଛାତ୍ରଛାତ୍ରୀଙ୍କୁ ମଣିଷ କରି ଗଢିଥିଲେ। ପାଠ ପଢ଼ାଇବା ସହ ସେ ସାରସ୍ଵତ ସାଧନା ସମାଜସେବା କ୍ଷେତ୍ରରେ ଅଗ୍ରଣୀ ଥିଲେ। ମିଳିନୀ ସାହିତ୍ୟ ସଂସଦର ବରିଷ୍ଠତମ ସଦସ୍ୟା ଥିଲେ ଏଥି ସହ ଜିଲ୍ଲା ଲେଖିକା ସଂସଦ ପ୍ରତିଷ୍ଠା କରିଥିଲେ। ସେହିପରି ଜିଲ୍ଲା ନାଗରିକ ମଞ୍ଚ ଓ ସାଂସ୍କୃତିକୀ ଅନୁଷ୍ଠାନର ପ୍ରତିଷ୍ଠାତା ସଦସ୍ୟା ଥିଲେ। ଜୀବନର ଶେଷ ସମୟ ଯାଏ ସେ କର୍ମ ମୁଖର ଥିଲେ ସାରସ୍ଵତ ସାଧନା ସହ ଆଧ୍ୟାତ୍ମିକ ଚେତନାରେ ମନୋନିବେଶ କରିଥିଲେ। ସେ ଶିକ୍ଷକତା ଲାଗି ରାଜ୍ୟପାଳଙ୍କ ପାଖରୁ ପୁରସ୍କାର ପାଇଥିଲେ। ସେହିପରି ୨୦୦୯ରେ ନିଶା ଲାଗି ଇସ୍ତାହାର,୨୦୨୩ରେ କାୟା କଳ୍ପ କଥା ଓ ୨୦୨୪ରେ ବିକଶିତ ଭାରତର ବିନ୍ଧାଣୀ ପରି ୩ଟି ପୁସ୍ତକ ଲେଖି ପ୍ରକାଶିତ କରିଥିଲେ। ବିଭିନ୍ନ ପତ୍ରପତ୍ରିକା ସାହିତ୍ୟିକ ସାମାଜିକ ଅନୁଷ୍ଠାନ ଲାଗି ସେ ନିୟମିତ ଲେଖା ଦିଅନ୍ତି ଏଥି ସହ କେନ୍ଦୁଝର ରେଡିଓରେ ସାହିତ୍ୟ ଚର୍ଚ୍ଚା କରିଛନ୍ତି। ପ୍ରତିବର୍ଷ କେନ୍ଦୁଝର ଶ୍ରୀ ବଳଦେବ ଜୀଉଙ୍କ ରଥଯାତ୍ରାରେ ସେ ଅତି ସୁନ୍ଦର ଧାରା ବିବରଣୀ ପ୍ରଧାନ କରନ୍ତି। ଆଜି ସ୍ମୃତି ସଭାରେ ଏହି ସବୁ ଆଲୋଚନା ହୋଇ ଭାବ ଗମ୍ଭୀର ପରିବେଶ ସୃଷ୍ଟି ହୋଇଥିଲା। ପରିବାର ପକ୍ଷରୁ ତାଙ୍କ ସ୍ଵାମୀ ଡାକ୍ତର ସଞ୍ଜୀବ କୁମାର ଦୀକ୍ଷିତ ଓ ପୁଅଝିଅ ଜ୍ୱାଇଁ ବୋହୂ ନାତି ନାତୁଣୀ ସମସ୍ତେ ଉପସ୍ଥିତ ରହିଥିଲେ। ସଭା ମଞ୍ଚରେ ତାଙ୍କର ଏକ ପୁସ୍ତକ ଉନ୍ମୋଚନ ହୋଇଥିଲା। ବିତ୍ୟୁତଲତା ବଳ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମରଣୋତ୍ତର ଭାବେ ଦିଦିଙ୍କୁ ବିଦ୍ୟୁତ୍ ଲତା ଶିକ୍ଷା ସମ୍ମାନ ପ୍ରଦାନ କରାଯାଇଥିଲା। ଆଜିର ସ୍ମୃତି ସଭାକୁ ବରିଷ୍ଠ କବି ଚିନ୍ତାମଣି ମହାଳିକ ସଂଯୋଜନା କରିଥିଲେ ବରିଷ୍ଠ କବି ଦେବାଶିଷ ଚକ୍ରବର୍ତ୍ତୀ,ସଙ୍କର୍ଷଣ ଜେନା,କୃଷ୍ଣ ଚନ୍ଦ୍ର ମହାନ୍ତି, ଇନ୍ଦୁମତି ପାତ୍ର, ଚିତ୍ତ ମିଶ୍ର,ଶୋଭନା ଜେନା,ପିନାକୀ ମିଶ୍ର,ଚିନ୍ମୟ ସାହୁ, ଜୁବୁଲି ମିଶ୍ର,କଳ୍ପନା ମହାନ୍ତି,ଜଗନ୍ନାଥ ଜେନା,ଅନନ୍ତ ମିଶ୍ର,ରିତାଞ୍ଜଳି ସାହୁ,ବୀଣାପାଣି ଜେନା, ଆର୍ଯ୍ୟବାଳା ମହାପାତ୍ର,ଅର୍ଜୁନ ଚରଣ ବେହେରା,ପୁଷ୍ପାଞ୍ଜଳି ଆଚାର୍ଯ୍ୟ,ବିଜୟଲକ୍ଷ୍ମୀ ମହାନ୍ତି, ମମତା ରାଣୀ ଦାସ ଆଦି ଯୋଗ ଦେଇ ନିଜ ବକ୍ତବ୍ୟ ଓ କବିତା ମାଧ୍ୟମରେ ବିଜୟଲକ୍ଷ୍ମୀ ଦିଦିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।