ଦିବ୍ୟାଙ୍ଗ ଓ ବୟସ୍କ ବ୍ୟକ୍ତିମାନଙ୍କର ଅନ୍ତର୍ଭୁକ୍ତିକରଣ ଉପରେ ବିଶେଷ ଧ୍ୟାନ
ଭୁବନେଶ୍ୱର ତା୩୧/୦୧/୨୦୨୫ ରିଖ: ଦୀନଦୟାଳ ଅନ୍ତୋଦୟ ଯୋଜନା-ଜାତୀୟ ଗ୍ରାମୀଣ ଜୀବିକା ମିଶନ (DAY-NRLM), ଭାରତ ସରକାରଙ୍କର ଏକ ମହତ୍ତ୍ୱାକାଂକ୍ଷୀ ପ୍ରମୁଖ ଯୋଜନା, ଯାହା ୨୦୧୨ ମସିହା ଏପ୍ରିଲ ୧ ତାରିଖରୁ କାର୍ଯ୍ୟକାରୀ ହୋଇଛି । ଗ୍ରାମୀଣ ଦାରିଦ୍ର୍ୟ ହ୍ରାସ କରିବା ପାଇଁ ଏକ ସ୍ଥାୟୀ ଜୀବିକାକୁ ପ୍ରୋତ୍ସାହନ ଦେଇ, ସାମାଜିକ ଅନ୍ତର୍ଭୁକ୍ତିକରଣକୁ ବୃଦ୍ଧି ଏବଂ ସାଂଗଠନିକ ଗୋଷ୍ଠୀ ଢାଞ୍ଚା ମାଧ୍ୟମରେ ମହିଳାମାନଙ୍କୁ ସଶକ୍ତ କରିବାକୁ ଲକ୍ଷ୍ୟ ରଖିଛି। NRLM ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ତୃଣମୂଳ ସ୍ତରରେ ଗରିବ ଲୋକଙ୍କ ପାଇଁ ସ୍ୱପରିଚାଳିତ ଏବଂ ଆର୍ଥିକ ଭାବେ ସ୍ଥାୟୀ ଜୀବନ ଜୀବିକା ଯୋଗାଇ ଦେଇ, ଆତ୍ମନିର୍ଭରଶୀଳତା ବୃଦ୍ଧି କରିବା ଏବଂ ଜୀବିକା ସହାୟତା ପ୍ରଦାନ କରିବା ।
ସୂଦୃଢ଼ ସାମୁହିକ ମଞ୍ଚ ଗରିବ ପରିବାରଗୁଡ଼ିକୁ ସଶକ୍ତ କରିଥାଏ ଏବଂ ସେମାନଙ୍କୁ ନିଜର ସାମାଜିକ, ଆର୍ଥିକ ଏବଂ ଅନ୍ୟାନ୍ୟ ସମ୍ପଦ ଗଢ଼ି ତୋଳିବାରେ ସକ୍ଷମ କରିଥାଏ । ଏହା ସେମାନଙ୍କୁ ସେମାନଙ୍କ ଅଧିକାର, ଏବଂ ଜୀବିକା ସୁଯୋଗ, ସେବା (ସରକାରୀ ଏବଂ ବେସରକାରୀ କ୍ଷେତ୍ରରୁ) ପ୍ରାପ୍ତ କରିବାରେ ସହାୟତା କରିଥାଏ । ସାମାଜିକ ଅନ୍ତର୍ଭୁକ୍ତିକରଣ ପ୍ରକ୍ରିୟା ଗରିବଙ୍କ ଏକତା, ସ୍ୱର ଏବଂ କ୍ଷମତାକୁ ବୃଦ୍ଧି କରିଥାଏ । ଏହି ପ୍ରକ୍ରିୟା ସେମାନଙ୍କୁ ନିଜର ସମ୍ପଦ, ଦକ୍ଷତା ଏବଂ ପସନ୍ଦ ଆଧାରରେ ସ୍ଥାୟୀ ଜୀବିକା ଗ୍ରହଣ କରିବାକୁ ସକ୍ଷମ କରିଥାଏ । ଫଳସ୍ୱରୂପ, ସେମାନେ ଅତ୍ୟଧିକ ଦାରିଦ୍ର୍ୟତାରୁ ମୁକ୍ତି ପାଇଥାନ୍ତି ଏବଂ ପୁନର୍ବାର ଗରିବୀକୁ ଫେରି ନଥାନ୍ତି ।
ଏନ୍.ଆର୍.ଏଲ୍.ଏମ୍ ନିଶ୍ଚିତ କରିଥାଏ ଯେ ପ୍ରତ୍ୟେକ ଗ୍ରାମୀଣ ଗରିବ ପରିବାରରୁ ଅତି କମରେ ଜଣେ ମହିଳା ସଦସ୍ୟ, ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍.ଏଚ୍.ଜି) ନେଟୱାର୍କ ଅଧୀନକୁ ଅଣାଯିବା ଉଚିତ । ପରବର୍ତ୍ତୀ ସମୟରେ, ମହିଳା ଏବଂ ପୁରୁଷ ଉଭୟଙ୍କୁ ଜୀବିକା ସମସ୍ୟା ସମାଧାନ ପାଇଁ ସଂଗଠିତ କରାଯିବ, ଯେପରିକି କୃଷକ ସଂଗଠନ, ଦୁଗ୍ଧ ଉତ୍ପାଦକ ସହକାରୀ ସଂସ୍ଥା, ବୁଣାକାର ସଂଘ ଇତ୍ୟାଦି ମାଧ୍ୟମରେ। ଏହି ସମସ୍ତ ସଂସ୍ଥା ଅନ୍ତର୍ଭୁକ୍ତିକରଣ ମୂଳକ ହେବ ଏବଂ କୌଣସି ଗରିବ ଏହାରୁ ବାଦ୍ ପଡ଼ିବେ ନାହିଁ । ଏନ୍.ଆର୍.ଏଲ୍.ଏମ୍ ସମାଜର ଦୁର୍ବଳ ବର୍ଗ ଯଥା ଏସ୍ସି/ଏସ୍ଟି, ଅଳ୍ପସଂଖ୍ୟକ, ବିଶେଷ ଭାବେ ସକ୍ଷମ (ଦିବ୍ୟାଙ୍ଗ) ଆଦିଙ୍କ ଅନ୍ତର୍ଭୁକ୍ତିକରଣ ନିଶ୍ଚିତ କରିଥାଏ, ଯାହା ଦ୍ଵାରା ୧୦୦ ପ୍ରତିଶତ ଅନ୍ତର୍ଭୁକ୍ତିକରଣର ଚୂଡ଼ାନ୍ତ ଲକ୍ଷ୍ୟକୁ ଦୃଷ୍ଟିରେ ରଖାଯାଇଥାଏ ।
ଏନ୍.ଆର୍.ଏଲ୍.ଏମ୍ର ଆଭିମୁଖ୍ୟକୁ କାର୍ଯ୍ୟକାରୀ କରିବାକୁ ଯାଇ ଓଡ଼ିଶାରେ ସ୍ଥାୟୀ ଆର୍ଥିକ ସଶକ୍ତିକରଣ ଏବଂ ଅନ୍ତର୍ଭୁକ୍ତିକରଣମୂଳକ ପାଇଁ ଓଡ଼ିଶା ଜୀବିକା ମିଶନ (ଓଏଲ୍ଏମ୍) ମାଧ୍ୟମରେ ତୃଣମୂଳ ସ୍ତରରେ ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ, ଜୀବିକା ପ୍ରୋତ୍ସାହନ, ଆର୍ଥିକ ଅନ୍ତର୍ଭୁକ୍ତିକରଣ ଏବଂ କ୍ଷମତା ବିକାଶ ଆଦି ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛି।ଓଡିଶା ଜୀବିକା ମିଶନ କେନ୍ଦ୍ର ସରକାରଙ୍କ ପ୍ରମୁଖ ପଦକ୍ଷେପ 'ଲକ୍ଷପତି ଦିଦି' କାର୍ଯ୍ୟକ୍ରମକୁ ଓଡ଼ିଶାରେ କାର୍ଯ୍ୟକାରୀ କରିବାରେ ମଧ୍ୟ ବିଶେଷ ଭୂମିକା ଗ୍ରହଣ କରିଛି । ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ଗ୍ରାମୀଣ ମହିଳାମାନଙ୍କୁ ସଶକ୍ତ କରି ସେମାନଙ୍କୁ ବାର୍ଷିକ ୧ ଲକ୍ଷ ଟଙ୍କା କିମ୍ବା ତାହାଠାରୁ ଅଧିକ ଅର୍ଜନ କରିବାର ସୁଯୋଗ ପ୍ରଦାନ କରିବା । ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଅର୍ଥନୈତିକ ସେବା, ଦକ୍ଷତା ବୃଦ୍ଧି ଏବଂ ବଜାର ସଂଯୋଗ ପ୍ରଦାନ କରି ଗ୍ରାମୀଣ ମହିଳାମାନଙ୍କୁ ସଶକ୍ତ ଉଦ୍ୟୋଗୀଭାବେ ପରିଣତ କରିବା ।
ଏସ୍.ଏଚ୍.ଜି ମାଧ୍ୟମରେ ଦୀନଦୟାଳ ଅନ୍ତୋଦୟ ଯୋଜନା ଅଧୀନରେ ଥିବା ସମସ୍ତ ସୁବିଧା ଏବଂ ସେବା ପ୍ରାପ୍ତ କରିହେବ । ତେଣୁ, ଏନ୍.ଆର୍.ଏଲ୍.ଏମ୍ ସାର୍ବଜନୀନ ସାମାଜିକ ଅନ୍ତର୍ଭୁକ୍ତି ପଦ୍ଧତି ଗ୍ରହଣ କରି ପ୍ରତ୍ୟେକ ଗ୍ରାମୀଣ ଗରିବ ପରିବାରକୁ ଏସ୍.ଏଚ୍.ଜି ଅଧୀନକୁ ଆଣିଥାଏ । ତୃଣମୂଳ ସ୍ତରର ୧୦୦% ମହିଳାଙ୍କୁ (ପ୍ରତି ପରିବାରରୁ ଜଣେ) ଏସ୍.ଏଚ୍.ଜି ଅଧୀନକୁ ଆଣିବା ପାଇଁ ଓ.ଏଲ୍.ଏମ୍ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ୨୦୨୫ ମାର୍ଚ୍ଚ ୮ ତାରିଖରୁ ଆରମ୍ଭ କରି ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଓଡ଼ିଶାରେ ଏକ ବିଶାଳ ସାମାଜିକ ଅନ୍ତର୍ଭୁକ୍ତିକରଣ ଅଭିଯାନ ଆରମ୍ଭ କରିଥିଲା । ଏହି ଅଭିଯାନର ଲକ୍ଷ୍ୟ ଥିଲା କୌଣସି ଗରିବ ଏବଂ ପଛୁଆ ପରିବାରକୁ ଏସ୍.ଏଚ୍.ଜି ଅଧୀନକୁ ଆସିବା ପାଇଁ ବାଦ୍ ନ ଦେଇ ସମସ୍ତ ଯୋଗ୍ୟ ଗ୍ରାମୀଣ ପରିବାରଗୁଡ଼ିକୁ ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍.ଏଚ୍.ଜି) ଅଧୀନକୁ ଆଣିବା । ଏହା ବ୍ୟତୀତ, ବିଶେଷ ଭାବେ ସକ୍ଷମ (ଦିବ୍ୟାଙ୍ଗ) ଏବଂ ବୟସ୍କଙ୍କ ଏସ୍.ଏଚ୍.ଜି ଗଠନ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା, ଅର୍ଥାତ୍ ୫୫ ବର୍ଷ ଓ ତଦୁର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା । ଏନ୍.ଆର୍.ଏଲ୍.ଏମ୍ ନିର୍ଦ୍ଦେଶାବଳୀ ଅନୁସାରେ, ଉଭୟ ପୁରୁଷ ଏବଂ ମହିଳାଙ୍କୁ ଦିବ୍ୟାଙ୍ଗ ଏବଂ ବୟସ୍କ ଏସ୍.ଏଚ୍.ଜି ଅଧୀନରେ ଅନ୍ତର୍ଭୁକ୍ତ କରାଯାଇଥାଏ ।
ଏହି ଅଭିଯାନ ମାଧ୍ୟମରେ ଗ୍ରାମୀଣ ପରିବାର ଗୁଡିକୁ ଠାବ କରି ଯେଉଁ ସମ୍ଭାବ୍ୟ ମହିଳା ସଦସ୍ୟାମାନେ ବର୍ତ୍ତମାନ ସୁଦ୍ଧା କୌଣସି ଏସଏଚଜିର ଅଂଶ ନଥିଲେ ସେମାନଙ୍କୁ ଚିହ୍ନଟ କରି ସ୍ଵୟଂ ସହାୟକ ଗୋଷ୍ଠୀର ଅନ୍ତର୍ଭୁକ୍ତ କରିବା । ଏଥି ସହିତ ଏହି ଅଭିଯାନ ମାଧ୍ୟମରେ ନିଷ୍କ୍ରିୟ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପୁନଃସକ୍ରିୟ କରି, ତୃଣମୂଳ-ସ୍ତରୀୟ ଅନୁଷ୍ଠାନଗୁଡ଼ିକ ସହିତ ସମ୍ପୂର୍ଣ୍ଣ ସଂଯୋଗ ସୁନିଶ୍ଚିତ କରାଯାଇଥିଲା। ଏହି ଅଭିଯାନ ମାଧ୍ୟମରେ ଓଡିଶା ଜୀବିକା ମିଶନ ନୂଆ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ବ୍ୟାଙ୍କ ଆକାଉଣ୍ଟ ଖୋଲିବାକୁ ସରଳ କରି କରିବା ସହିତ ସଂଗଠିତ ଏବଂ ସ୍ଥାୟୀ ଆର୍ଥିକ ସଶକ୍ତିକରଣ ସୁନିଶ୍ଚିତ କରିଥିଲା।ଏହା ଦ୍ଵାରା ୪,୧୨,୫୪୮ ବାଦ ପଡିଯାଇ ଥିବା ଯୋଗ୍ୟ ପରିବାରକୁ ଅନ୍ତର୍ଭୁକ୍ତିକରଣ ମାଧ୍ୟମରେ ଏସଏଚଜିରେ ସାମିଲ କରାଯାଇଛି ।
ଉଲ୍ଲେଖନୀୟ ଭାବରେ, ଏହି ଅଭିଯାନ ବିଶେଷ ଭାବରେ ସକ୍ଷମ ଦିବ୍ୟାଙ୍ଗ ଏବଂ ବୟସ୍କ ସଦସ୍ୟମାନଙ୍କୁ ଏସଏଚଜିରେ ସକ୍ରିୟ ଭାବରେ ଏକୀକରଣ କରି ସାମାଜିକ ଅନ୍ତର୍ଭୁକ୍ତିକରଣ ଉପରେ ବିଶେଷ ଗୁରୁତ୍ୱ ଦେଇଥିଲା। ସେମାନଙ୍କର ସ୍ୱତନ୍ତ୍ର ଦକ୍ଷତାକୁ ଚିହ୍ନଟ କରି ଏବଂ ସେମାନଙ୍କର ସକ୍ରିୟ ଅଂଶଗ୍ରହଣ ନିଶ୍ଚିତ କରି, ମୋଟ ୧୬୬୭ ଦିବ୍ୟାଙ୍ଗ ଏବଂ ୪୯୯୫ ବୟସ୍କ ବ୍ୟକ୍ତିଙ୍କୁ ଏସଏଚଜିରେ ସାମିଲ କରାଯାଇଥିଲା । ଓଏଲଏମ ସେମାନଙ୍କର ସ୍ୱତନ୍ତ୍ର ଦକ୍ଷତା ଅନୁଯାୟୀ ଉପଯୁକ୍ତ ଜୀବିକା କାର୍ଯ୍ୟକ୍ରମ ସୁନିଶ୍ଚିତ କରୁଛି, ଯାହାଦ୍ୱାରା କେବଳ ଅର୍ଥନୈତିକ ସ୍ୱାବଲମ୍ବନ ନୁହେଁ, ବରଂ ମାନସିକ ସମ୍ମାନ, ସାମାଜିକ ସ୍ୱୀକୃତି ଏବଂ ସର୍ବାଙ୍ଗୀନ ସାମ୍ପ୍ରଦାୟିକ ଅଭିବୃଦ୍ଧି ମଧ୍ୟ ସାଧିତ ହେଉଛି ।
ଏହି ଅଭିଯାନ ଉତ୍ପାଦକ ଗୋଷ୍ଠୀ ଗଠନ ଏବଂ କୃଷି, ପଶୁ ପାଳନ ଓ ଅନ୍ୟାନ୍ୟ କାର୍ଯ୍ୟ କ୍ରମ ମାଧ୍ୟମରେ ସୁଦୃଢ କରିବା ପାଇଁ ଗୁରୁତ୍ଵ ଦେଇଥିଲା।
ଏହି ଅଭିଯାନର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବିଶେଷତା ଥିଲା ଓଡିଶାର ଦୁର୍ଗମ ଗ୍ରାମଗୁଡ଼ିକରେ ଏହାର ପହଞ୍ଚ । ଭୌଗୋଳିକ ଏବଂ ଅନୁଷ୍ଠାନିକ ଅସୁବିଧାକୁ ଅତିକ୍ରମ କରି ସର୍ବାଧିକ ସାମାଜିକ ଅନ୍ତର୍ଭୁକ୍ତିକରଣ ଏବଂ ଅଂଶଗ୍ରହଣ ସୁନିଶ୍ଚିତ କରାଯାଇଥିଲା । ଯେଉଁଠାରେ ପୂର୍ବରୁ ସାଂସ୍ଥିକ ସହାୟତାର ଅଭାବ ଥିଲା , କ୍ଷେତ୍ର ସ୍ତରୀୟ କର୍ମଚାରୀମାନେ ସେହି ଗୋଷ୍ଠୀ ଗୁଡ଼ିକୁ ସକ୍ରିୟ ଭାବରେ ଯୋଗାଯୋଗ କରିଥିଲେ । ଫଳସ୍ୱରୂପ, ଗ୍ରାମୀଣ ସ୍ତରରେ ସାମାଜିକ ଅନ୍ତର୍ଭୁକ୍ତିକରଣ ମଧ୍ୟ ବୃଦ୍ଧି ପାଇଛି ।
ଏହି ଅଭିଯାନକୁ ଭିନ୍ନ ଭିନ୍ନ ସ୍ତରରେ ପୁଙ୍ଖାନୁପୁଙ୍ଖ ଭାବେ ନିରୀକ୍ଷଣ କରାଯାଇଥିଲା ଯାହା ଦ୍ୱାରା ଏହାର ଲକ୍ଷ୍ୟ ପୂରଣ ହୋଇପାରିବ । ରାଜ୍ୟ ମିଶନ ପରିଚାଳନା ୟୁନିଟ ରୋଡମ୍ୟାପ୍ ପ୍ରସ୍ତୁତ କରିଥିଲା ଏବଂ ପ୍ରତିଦିନ କାର୍ଯ୍ୟକଳାପର ନିରୀକ୍ଷଣ କରୁଥିଲା। ଜିଲ୍ଲା ମିଶନ ପରିଚାଳନା ୟୁନିଟ ଏବଂ ବ୍ଲକ୍ ମିଶନ ପରିଚାଳନା ୟୁନିଟ କ୍ଷେତ୍ର କର୍ମଚାରୀମାନଙ୍କ ସହିତ ସିଧାସଳଖ ଜଡ଼ିତ ଥିଲେ ଏବଂ ଦୈନିକ ପ୍ରଗତିକୁ ରେକର୍ଡ କରୁଥିଲେ। ଏହି ଅଭିଯାନର ଲକ୍ଷ୍ୟ ହେଉଛି ଚିହ୍ନିତ ପରିବାରଗୁଡ଼ିକର ୧୦୦% ଅନ୍ତର୍ଭୁକ୍ତିକାରଣ , ଯାହା ମହିଳା ଉଦ୍ୟୋଗୀମାନଙ୍କୁ ସମ୍ପୂର୍ଣ୍ଣ ପ୍ରାତିଷ୍ଠାନିକ ସହାୟତା ନିଶ୍ଚିତ କରିବ।
ଏଭଳି ଲକ୍ଷ୍ୟଭିତ୍ତିକ ପଦକ୍ଷେପ ମାଧ୍ୟମରେ ଓଏଲଏମ ଏକ ସ୍ୱାବଲମ୍ବୀ, ସଶକ୍ତ ଏବଂ ଅର୍ଥନୈତିକ ଭାବରେ ବିକଶିତ ଓଡିଶାର ଦୃଷ୍ଟିକୋଣକୁ ବାସ୍ତବତା ଦେବା ଦିଗରେ ଅଗ୍ରଗାମୀ ହେବା ସହ ଓଡ଼ିଶାରେ ସର୍ବାଙ୍ଗୀନ ଅଭିବୃଦ୍ଧି ଏବଂ ବିକାଶର ଭାବନାକୁ ସାକାର କରୁଅଛି ।