ଜଳଛାୟା ମିଶନରେ ୨୫ କୋଟି ଟଙ୍କା ଦୁର୍ନୀତି ଅଭିଯୋଗର ତଦନ୍ତ କରିବ ଜିଲ୍ଲା କଂଗ୍ରେସ କମିଟି
ରାୟଗଡ: ରାୟଗଡ ଜିଲ୍ଲା ଜଳଛାୟା ମିଶନରେ ବ୍ୟାପକ ଦୁର୍ନୀତିର ତଦନ୍ତ କରିବ ଜିଲ୍ଲା କଂଗ୍ରେସ କମିଟି, ରାୟଗଡ ଜିଲ୍ଲା ଜଳ ବିଭାଜିକା ଓ ମୃତ୍ତିକା ସରଣକ୍ଷଣ ବିଭାଗ ତରଫରୁ କାଶୀପୁର ବ୍ଲକରେ ଆମ୍ବ, କାଜୁ ଚାରାରୋପଣ ଓ ରକ୍ଷଣାବେକ୍ଷଣ, ମୋ ପୋଖରୀ ଯୋଜନାରେ କୋଟି କୋଟି ଟଙ୍କା ହଡ଼ପ ସହ କଫି, ଓକ ଚାରା ନାଁ ରେ ପ୍ରାୟ ୧୮ କୋଟି ଟଙ୍କା ହେରଫେର ହୋଇଥିବା ବର୍ତ୍ତମାନ ଭିଜିଲାନ୍ସ ବିଭାଗ ତଦନ୍ତ କରୁଛି । ଏହି ଦୁର୍ନୀତି କେତେ ଦୂର ଲମ୍ବୀଛି ତାହାର ସ୍ୱତନ୍ତ୍ର ତଦନ୍ତ କରିବ ଜିଲ୍ଲା କଂଗ୍ରେସ କମିଟି l ଖବରରୁ ପ୍ରକାଶ ଯେ, ଜଲଛାୟା ମିଶନରେ ୨୦୨୩-୨୪ ଆର୍ଥିକ ବର୍ଷରେ ପ୍ରାୟ ୧୦ କୋଟି ଟଙ୍କାର ଅର୍ଥ ଅନିୟମିତତା ହୋଇଛି । କାଶୀପୁର ବ୍ଲକର ବିଭିନ୍ନ ଗ୍ରାମରେ ଆମ୍ବ, କାଜୁ ଚାରାରୋପଣ ସହ ରକ୍ଷଣାବେକ୍ଷଣ ନାଁରେ ହୋଇଛି ଏହି ଦୁର୍ନୀତି । ଗୋଟିଏ ପ୍ରକଳ୍ପକୁ ତିନି ଗୋଟି ବିଭାଗ ନିଜର ଦର୍ଶାଇ ଫଳକ ଲଗାଇ ଅନୁଦାନ ଅର୍ଥ ଲୁଟ କରାଯାଇଛି, କେଉଁଠି ଆଟିଡ଼ିଏର ପ୍ରକଳ୍ପ ତ ଆଉ କେଉଁଠି ଉଦ୍ୟାନ ବିଭାଗର ପ୍ରକଳ୍ପକୁ ନିଜର ଦର୍ଶାଇ ଜଲଛାୟା ବିଭାଗ ତରଫରୁ ବିପୁଳ ଅର୍ଥର ଆତ୍ମସାତ କରାଯାଇଛି । ଏହା ସହ ମନରେଗା ଓ ମୋ ପୋଖରୀ ଯୋଜନାରେ କୋଟି କୋଟି ଟଙ୍କା ହଡ଼ପ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି । କାଶୀପୁର ବ୍ଲକରେ ପ୍ରାୟ ୮ ଶହ ପୋଖରୀ ଖୋଲାଯାଇଥିବା କାଗଜ କାଲମରେ ଦର୍ଶାଇ ଯାଇଥିବା ବେଳେ କେବଳ ୧୦୦ ଟି ପୋଖରୀ ଖୋଲାଯାଇଥିବା ଭିଜିଲାନ୍ସ ତଦନ୍ତ ରିପୋର୍ଟରୁ ଜଣାପଡ଼ିଛି । କାଶୀପୁର ବ୍ଲକର ଡ଼ଙ୍ଗାସିଲି, ସୁରୁଗୁଞ୍ଜ, ମାଣ୍ଡିବିସି, ଚାନ୍ଦଗିରି ଗାଁରେ ବିଭିନ୍ନ ଯୋଜନାରେ ଅନିୟମିତତା ହୋଇଥିବା ଜଣାପଡ଼ିଛି ।ସେହିପରି କଫି ଓ ସିଲଭର ଓକ ଚାରା ଲଗାଇଵା ନାଁରେ ଗତ ୩ ବର୍ଷ ମଧ୍ୟରେ ୧୮ କୋଟି ଟଙ୍କାର ଅର୍ଥ ହେରଫେର ହୋଇଥିବା ଅଭିଯୋଗ ହେଉଛି । କାଶୀପୁର ବ୍ଲକରେ କଫି ଚାଷ କରିବା ପାଇଁ ଆର୍ଥିକ ବର୍ଷ ୨୦୨୨-୨୩ ରେ ୧୧୫ ହେକ୍ଟର, ୨୦୨୩ -୨୪ ରେ ୧ ହଜାର ୬୮ ଓ ୨୦୨୪-୨୫ରେ ୩ ହଜାର ହେକ୍ଟରରେ କଫି ଚାଷ ହୋଇଥବା ଦର୍ଶାଯାଇଛି । ଗୋଟିଏ କଫି ଚାଷକୁ ତିନି ଜଣଙ୍କ ନାମରେ ହୋଇଥିବା ଦର୍ଶାଯାଇଥିବା ବେଳେ କିଛି ଚାଷୀ ଅନ୍ୟ ବ୍ଲକର ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।ଜମି, ଚାଷ, ଚାଷୀ, ବ୍ୟାଙ୍କ ଖାତା ଜାଲିଆତି କରି ଟଙ୍କା ହଡ଼ପ କରାଯାଇଛି । କଫି ଏବଂ ଓକ ଚାରା ଲଗାଇବା ପାଇଁ ଜଳବିଭାଜିକା ମିଳିଛି ୨୬ କୋଟି ୭୭ ଲଷ ୧୨ ହଜାର ଟଙ୍କା ସେଥିରୁ ପ୍ରାୟ ୧୮ କୋଟି ଟଙ୍କା ହଡ଼ପ ହୋଇଥିବା ଭିଜିଲାନ୍ସ ଟିମ ଜାଣିବାକୁ ପାଇଛି ।ଭିଜିଲାନ୍ସ ଟିମର ଏହି ତଦନ୍ତ ପରେ ଜିଲ୍ଲା କଂଗ୍ରେସ ତରଫରୁ ମଧ୍ୟ ଏକ ଟିମ ଗଠନ କରାଯାଇ ସମସ୍ତ ଦୁର୍ନୀତିର ଖୋଳତାଡ଼ କରାଯିବ ବୋଲି ପ୍ରକାଶ କରିଛନ୍ତି । ଜିଲ୍ଲା କଂଗ୍ରେସ କମିଟି କାଶୀପୁର ବ୍ଲଜର ବିଭିନ୍ନ ଗ୍ରାମକୁ ଯାଇ ଜଳ ବିଭାଜିକା ଅଧୀନରେ ହୋଇଥିବା ସମସ୍ତ କାର୍ଯ୍ୟର ତଦନ୍ତ କରି ଜଳ ବିଭାଜିକା ବିଭାଗର ଦୁର୍ନୀତିକୁ ପ୍ରମାଣିତ କରିବେ । ବିଭିନ୍ନ ଯୋଜନା ନାମରେ ପ୍ରାୟ ୨୫ କୋଟି ଟଙ୍କା ଦୁର୍ନୀତି ହୋଇଥିବା ଅଭିଯୋଗ କରିଛି ଜିଲ୍ଲା କଂଗ୍ରେସ କମିଟି । ମୋ ପୋଖରୀ ଯୋଜନାରେ ବ୍ୟାପକ ଦୁର୍ନୀତି ପ୍ରଘଟ ହେବା ପରେ ଏହାକୁ ରଫାଦଫା କରିବା ପାଇଁ ବର୍ତ୍ତମାନ ରାତାରାତି ବିଭିନ୍ନ ଜାଗାରେ ପୋଖରୀ ଖୋଲାଯାଉଥିବା ଅଭିଯୋଗ ହୋଉଛି । ଉଚ୍ଚ ସ୍ତରୀୟ ତଦନ୍ତ ସହ ସମସ୍ତ ଦୁର୍ନୀତିର ଖୋଲତାଡ଼ କରି ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେବେ ବୋଲି କଂଗ୍ରେସ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଦୂର୍ଗା ପ୍ରସାଦ ପଣ୍ଡା ପ୍ରକାଶ କରିଛନ୍ତି ।