ବୁର୍ଲା, 22.03.2025: ବିଦ୍ୟୁତ୍ ଭିତ୍ତିଭୂମିର ନିରନ୍ତର ଉନ୍ନତିକରଣ ତଥା ପଶ୍ଚିମ ଓଡ଼ିଶାର ଜନସାଧାରଣଙ୍କୁ ନିରବଚ୍ଛିନ୍ନ ଓ ନିର୍ଭରଯୋଗ୍ୟ ବିଦ୍ୟୁତ୍ ସେବା ଯୋଗାଇ ଦେବା ଦିଗରେ ସଦାସର୍ବଦା ଚେଷ୍ଟିତ ରହିଅଛି ଟିପି ୱେଷ୍ଟର୍ଣ୍ଣ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିଡବ୍ଲ୍ୟୁଓଡିଏଲ୍) । ମାତ୍ର ଏହି ଉନ୍ନତିକରଣ କାର୍ଯ୍ୟ ତଥା ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ପାଇଁ ବିଦ୍ୟୁତ୍ ଗ୍ରାହକଙ୍କ ସହଯୋଗ ମଧ୍ୟ ଆବଶ୍ୟକ ରହିଛି ଏବଂ ଏହା କେବଳ ବିଦ୍ୟୁତ୍ ଗ୍ରାହକଙ୍କ ନିୟମିତ ମାସିକ ବିଦ୍ୟୁତ୍ ବିଲ୍ ପୈଠ ଦ୍ୱାରା ହିଁ ସମ୍ଭବ ହୋଇପାରିବ ।
ଏଠାରେ ଆମେ ସମସ୍ତ ବିଦ୍ୟୁତ୍ ଗ୍ରାହକ ତଥା ଜନସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଅଛୁ ଯେ, ଗୁଣାତ୍ମକ ବିଦ୍ୟୁତ୍ ସେବା ପାଇଁ କମ୍ପାନୀ ପ୍ରତ୍ୟେକ ମାସରେ ଗ୍ରୀଡ଼କୋ ଠାରୁ ହାରାହାରି 375 କୋଟି ଟଙ୍କାର ବିଦ୍ୟୁତ୍ ଶକ୍ତି କ୍ରୟ କରି ପଶ୍ଚିମ ଓଡ଼ିଶାର 9 ଗୋଟି ଜିଲ୍ଲାରେ ଗ୍ରାହକଙ୍କ ମଧ୍ୟରେ ବିତରଣ କରିଥାଏ । ଏହି ଅର୍ଥରାଶି ପ୍ରତ୍ୟେକ ମାସରେ ଗ୍ରୀଡ଼କୋକୁ ଅଗ୍ରୀମ ଭାବେ ପ୍ରଦାନ କରିବାକୁ ପଡ଼ିଥାଏ । ଏତଦ୍ ବ୍ୟତୀତ କମ୍ପାନୀରେ ପ୍ରତ୍ୟେକ୍ଷ ଭାବେ କର୍ମରତ ଥିବା 3335 ଜଣ କର୍ମଚାରୀଙ୍କ ମାସିକ ବେତନ ପ୍ରତ୍ୟେକ ମାସର ଶେଷ ତାରିଖ ସୁଦ୍ଧା ପ୍ରଦାନ କରାଯାଇଥାଏ । ସେହିପରି 4315 ଜଣ ଅବସରପ୍ରାପ୍ତ କର୍ମଚାରୀଙ୍କୁ ପେନସନ୍ ମଧ୍ୟ ପ୍ରତ୍ୟେକ ମାସର ପ୍ରଥମ ତାରିଖରେ ପ୍ରଦାନ କରାଯାଇଥାଏ ।
ସେହିପରି ବିଦ୍ୟୁତ୍ ଗ୍ରାହକଙ୍କୁ ବିଭିନ୍ନ ପ୍ରକାର ସେବା ଯୋଗାଇବା ପାଇଁ 15541 ଜଣ ପରୋକ୍ଷ କର୍ମଚାରୀଙ୍କ ବେତନ ସଠିକ୍ ସମୟରେ ପ୍ରଦାନ କରାଯାଇଥାଏ । ଏତଦ୍ ବ୍ୟତୀତ କମ୍ପାନୀ ତରଫରୁ କର୍ମଚାରୀମାନଙ୍କ ସ୍ୱାସ୍ଥ୍ୟ ବୀମା, ଜୀବନ ବୀମା, ଭବିଷ୍ୟନିଧି, ଜମା ତଥା ସରକାରୀଙ୍କ ଟିକସ୍ ନିର୍ଦ୍ଧାରିତ ସମୟ ମଧ୍ୟରେ ପୈଠ କରାଯାଇଥାଏ । ସେହିପରି କମ୍ପାନୀ ତରଫରୁ କର୍ମଚାରୀଙ୍କ ନିମନ୍ତେ ଅଫିସ୍ ଘର, ଅଫିସ୍ ଆସବାସ ପତ୍ର, ନୂତନ ବୈଦ୍ୟୁତିକ ସରଞ୍ଜାମ, ନୂତନ ଜ୍ଞାନକୌଶଳ, ଆଧୁନିକ ଯନ୍ତ୍ରପାତି, ଗ୍ରାହକଙ୍କୁ ସେବା ପ୍ରଦାନ କରିବା ନିମନ୍ତେ ଯାନବାହନ ଇତ୍ୟାଦିରେ ମଧ୍ୟ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଥାଏ । ଏହି ସମସ୍ତ ଖର୍ଚ୍ଚ ଭରଣା କରିବା ପରେ ମଧ୍ୟ କମ୍ପାନୀ ଏହାର ସାମାଜିକ ଦାୟିତ୍ୱବୋଧକୁ ପ୍ରତିପାଦନ କରିଥାଏ ।
ମାନ୍ୟବର ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆରସି)ଙ୍କ ଦ୍ୱାରା ପ୍ରଦତ୍ତ ନିର୍ଦ୍ଦେଶନାମା ମୁତାବକ ଗ୍ରାହକମାନଙ୍କୁ ରିହାତି ଏବଂ କୃଷି କ୍ଷେତ୍ରକୁ ରିହାତି ପ୍ରଦାନ କରାଯାଇଥାଏ । ଏହି ଅର୍ଥନୈତିକ ଆଦାନ ପ୍ରଦାନ ଦ୍ୱାରା ପ୍ରତ୍ୟେକ ମାସରେ ପଶ୍ଚିମ ଓଡ଼ିଶାର 9 ଗୋଟି ଜିଲ୍ଲାରେ କୋଟି କୋଟି ଟଙ୍କାର ଅର୍ଥରାଶି ସଞ୍ଚାଳିତ ହେବା ଫଳରେ ଅଞ୍ଚଳର ଅର୍ଥନୈତିକ ଅଭିବୃଦ୍ଧି ମଧ୍ୟ ଘଟିଥାଏ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏହି ସମସ୍ତ ବ୍ୟୟବରାଦ ଗ୍ରାହକଙ୍କ ଠାରୁ ପ୍ରାପ୍ୟ ମାସିକ ବିଦ୍ୟୁତ୍ ବିଲରୁ ହିଁ ଉପଯୋଗ କରାଯାଇଥାଏ । ତେଣୁ ସମସ୍ତ ବୁଦ୍ଧିଜୀବୀଙ୍କୁ ଆମେ ନିବେଦନ କରୁଅଛୁ ଯେ, ଓଡ଼ିଶାର ପଶ୍ଚିମାଞ୍ଚଳ ତଥା ସମଗ୍ର ରାଜ୍ୟର ବିଦ୍ୟୁତ୍ ଭିତ୍ତିଭୂମିର ଉନ୍ନତି ନିମନ୍ତେ ସମସ୍ତ ଗ୍ରାହକ ନିର୍ଦ୍ଧାରିତ ସମୟ ମଧ୍ୟରେ ବିଦ୍ୟୁତ୍ ବିଲ୍ ପରିଶୋଧ କରିବା ଅନିର୍ବାଯ୍ୟ ଅଟେ ।