ଉପାସନାଙ୍କ ପ୍ରଶ୍ନର ଉତ୍ତର ରଖିଲେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ
ଭୁୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଇଏସଆଇ ହସ୍ପିଟାଲରେ ସର୍ବାଧିକ ଡାକ୍ତର, ଫର୍ମାସିଷ୍ଟ ଓ ନର୍ସ ପଦବୀ ଖାଲି ପଡ଼ିଛି । ବିଧାନସଭାରେ ବ୍ରହ୍ମଗିରି ବିଧାୟିକା ଶ୍ରୀମତୀ ଉପାସନା ମହାପାତ୍ରଙ୍କର ଏକ ପ୍ରଶ୍ନରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ ଏହି ତଥ୍ୟ ରଖିଛନ୍ତି । ସେ କହିଛନ୍ତି ଯେ ରାଜ୍ୟରେ ୪ ଗୋଟି ଇଏସଆଇ ହସ୍ପିଟାଲ୍ କାର୍ଯ୍ୟ କରୁଛି । ସେଗୁଡ଼ିକ ହେଲା- ଇଏସଆଇ ହସ୍ପିଟାଲ୍, ଭୁବନେଶ୍ୱର(ଖୋର୍ଦ୍ଧା), ଇଏସଆଇ ହସ୍ପିଟାଲ୍, ଚୈାଦ୍ୱାର (କଟକ), ଇଏସଆଇ ହସ୍ପିଟାଲ୍ ଜେ.କେ. ପୁର(ରାୟଗଡ଼ା) ଏବଂ ଇଏସଆଇ ହସ୍ପିଟାଲ୍, କାନ୍ସବାହାଲ(ସୁନ୍ଦରଗଡ଼) ।
ଇଏସଆଇ, ଭୁବନେଶ୍ୱରରେ ସର୍ବାଧିକ ୭୩ ମଂଜୁରୀପ୍ରାପ୍ତ ଡାକ୍ତର ପଦବୀ ଥିଲା ବେଳେ ୨୪ ଡାକ୍ତର କାର୍ଯ୍ୟରତ ଅଛନ୍ତି । ୪୯ ପଦବୀ ଖାଲି ଅଛି । ୮ ଫାର୍ମାସିଷ୍ଟ ପଦବୀ ମଧ୍ୟରୁ ୫ ଖାଲି ଅଛି । ୩୨ ଷ୍ଟାଫ୍ ନର୍ସ ପଦବୀରୁ ୧୮ ପଦବୀ ଖାଲି ଅଛି ।
ଇଏସଆଇ, ଚୌଦ୍ୱାରରେ ୨୨ ଡାକ୍ତର ପଦବୀ ମଧ୍ୟରୁ ୨ ଟି ପଦବୀ ଖାଲି ଅଛି । ସେହିଭଳି ୮ ଫାର୍ମାସିଷ୍ଟ ପଦବୀ ମଧ୍ୟରୁ ଗୋଟିଏ ଖାଲି ଥିବା ବେଳେ ୨୭ ଷ୍ଟାଫ୍ ନର୍ସ ପଦବୀ ମଧ୍ୟରୁ ୧୧ ଖାଲି ପଡ଼ିଛି ।
ଇଏସଆଇ ହସ୍ପିଟାଲ୍, ଜେ.କେ.ପୁରରେ ୧୭ ଡାକ୍ତର ପଦବୀ ମଧ୍ୟରୁ ୯ ପଦବୀ ଖାଲି ଅଛି । ସେହିଭଳି ୫ ଫାର୍ମାସିଷ୍ଟ ପଦବୀଯାକ ପୂରଣ ହୋଇଥିଲା ବେଳେ ୮ ଷ୍ଟାଫ୍ ନର୍ସ ପଦବୀଯାକ ଖାଲି ପଡ଼ିଛି ।
ଇଏସଆଇ ହସ୍ପିଟାଲ୍, କାନ୍ସବାହାଲରେ ୧୭ ଡାକ୍ତର ପଦବୀ ମଧ୍ୟରୁ ୮ ପଦବୀ ଖାଲି ପଡ଼ିଛି । ସେହିଭଳି ୭ ଫାର୍ମାସିଷ୍ଟ ପଦବୀ ମଧ୍ୟରୁ ୪ ପଦବୀ ଖାଲି ଥିବା ବେଳେ ୧୫ ଷ୍ଟାଫ୍ ନର୍ସ ପଦବୀ ମଧ୍ୟରୁ ୮ ପଦବୀ ଖାଲି ପଡ଼ିଛି ।
ବ୍ରହ୍ମଗିରି ବିଧାୟିକା ଶ୍ରୀମତୀ ମହାପାତ୍ରଙ୍କର ଅନ୍ୟ ଏକ ପ୍ରଶ୍ନରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ କହିଛନ୍ତି ଯେ ୨୦୨୪ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଓଡ଼ିଶାରେ ୯, ୮୨,୩୯୦ ଇଏସଆଇ ବୀମାଭୁକ୍ତ ବ୍ୟକ୍ତି ଅଛନ୍ତି । ସେମାନଙ୍କୁ ସରକାରଙ୍କ ପକ୍ଷରୁ ଡାକ୍ତରୀ ସୁବିଧା, ଅସୁସ୍ଥତା ସୁବିଧା, ମାତୃତ୍ୱ ସୁବିଧା, ଭିନ୍ନକ୍ଷମ ଲାଭ, ନିର୍ଭରଶୀଳ ସୁବିଧା ଆଦି ବ୍ୟବସ୍ଥା ଯୋଗାଇ ଦିଆଯାଉଛି ।