ପୁରୀ (ଅନିମେଶ ପଟ୍ଟନାୟକ): ଆଜି ପବିତ୍ରି ପଙ୍କୋଦ୍ଧାର ଏକାଦଶୀ । ଏହି ଅବସରରେ ଭକ୍ତି ମୟ ହୋଇ ଉଠିଛି ପୁରୀ ସ୍ଥିତ ଶ୍ରୀ ଲୋକନାଥ ଦେବ ମନ୍ଦିର । ଶିବ ନାମ ନେଇ ବାବା ଲୋକନାଥଙ୍କ ଦିବ୍ୟ ଲିଙ୍ଗର ଦର୍ଶନ କରୁଛନ୍ତି ଲକ୍ଷାଧିକ ଭକ୍ତ । ଦିନ ତମାମ ପ୍ରଚଣ୍ଡ ଖରା ଥିଲେ ମଧ୍ୟ ଭକ୍ତଙ୍କ ଲମ୍ବା ଧାଡ଼ି ଲାଗିଥିଲା । ପୋଲିସ ପ୍ରଶାସନ, ମନ୍ଦିର ପ୍ରଶାସନ ଓ ସ୍ୱେଛାସେବୀ ଅନୁଷ୍ଠାନ ପକ୍ଷରୁ ଭକ୍ତମାନଙ୍କ ପାଇଁ ବ୍ୟାପକ ସହାୟତା ଯୋଗାଇ ଦିଆଯାଇଥିଲା ।
ବର୍ଷ ତମାମ ବାବା ଲୋକନାଥ ଗମ୍ଭିରାର ଜଳ ମଧ୍ୟରେ ବୁଡ଼ି ରହିଥାନ୍ତି । ଫଳ, ଫୁଲ, ଖିର, ବେଲପତ୍ର ଆଦି ଦେଇ ବର୍ଷ ତମାମ ପୁଜା କରିଥାନ୍ତି ଭକ୍ତଗଣ । ପଙ୍କୋଧାର ଏକାଦଶୀରେ ଗମ୍ଭିରା ଭିତରୁ ବର୍ଷ ଯାକର ସମର୍ପଣ ନୈବେଦ୍ୟ ସବୁକୁ କଢାଯାଇଥାଏ । ଫଳରେ ମାତ୍ର ଅଳ୍ପ କେଇ ଘଣ୍ଟା ଯାଏଁ ବାବା ଲୋକନାଥଙ୍କ ଦିବ୍ୟ ଲିଙ୍ଗର ଦର୍ଶନ ମିଳିଥାଏ । ଏହି କାର୍ଯ୍ୟରେ ଲୋକନାଥଙ୍କ ପାଳିଆ ସେବକ ମାନେ ନିୟୋଜିତ ହୋଇଥାନ୍ତି । ବିଶ୍ୱାସ ରହିଛି ଏହି ଗମ୍ଭିରାରୁ ବାହାରିଥିବା ଏହି ପଙ୍କକୁ ଶରୀରରେ ଲଗାଇଲେ ବଡ ବଡ ରୋଗରୁ ଆରୋଗ୍ୟ ଲାଭ ହୋଇଥାଏ । କୁହାଯାଏ ସନ୍ତାନ ପ୍ରାପ୍ତି ପାଇଁ ମନୋସ୍କାମନା କରି ଏହି ଦିନ ଲୋକନାଥ ଦେବଙ୍କ ପୂଜା କଲେ ସନ୍ତାନ ପ୍ରାପ୍ତି ମଧ୍ୟ ହୋଇଥାଏ ।
ଅନ୍ୟ ପଟେ ପଙ୍କୋଧାର ଓ ଜାଗର ପର୍ବ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଏହି ପବିତ୍ର ପଙ୍କୋଦ୍ଧାର ଏକାଦଶୀ ପାଇଁ ପୁରୀ ପୋଲିସ ତରଫରୁ ଜଣେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ୫ ଜଣ ଡିଏସପି, ୧୫ ଜଣ ଇନିସ୍ପେକଟର, ୪୧ ଜଣ ଏସଆଇ/ଏଏସଆଇ, ୭୨ ଜଣ ହାବିଲଦାର/କନେଷ୍ଟବଳ, ୮୨ ଜଣ ହୋମଗାର୍ଡ, ୬ ପ୍ଲାଟୁନ ୧ ସେକ୍ସନ ଫୋର୍ସ ନିୟୋଜିତ କରାଯାଇଛି ବୋଲି ପୁରୀ ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।