ନୟାଗଡ଼(ବିଶ୍ୱଜିତ ନାୟକ) :- ନୟାଗଡ଼ ଜିଲ୍ଲା ମହୋତ୍ସବ, ପଲ୍ଲିଶ୍ରୀ, କୃଷି ଓ ପୁସ୍ତକ ମେଳା ଡିସେମ୍ବର ୨୪ରୁ ୨୮ ପର୍ଯ୍ୟନ୍ତ ଷ୍ଟାଡିୟମ ପଡ଼ିଆରେ ଅନୁଷ୍ଠିତ ହେବ । ଏହାକୁ ନେଇ ଆଜି ବୁଦ୍ଧିଜୀବୀ, ସାମ୍ବାଦିକ, କଳାକାରଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲା ପରିଷଦ ସୃଜନ ସଭାଗୃହରେ ଜିଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ୍ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଜିଲ୍ଲା ପରିଷଦ ସଭାପତି ଇଂ. ଦେବାଶିଷ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ବଳ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଦେବଦତ୍ତ ପଣ୍ଡା, ଉପଜିଲାପାଳ କର୍ଣ୍ଣଦେବ ସମାଦାର, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ ପ୍ରମୁଖ ମଞ୍ଚାସୀନ ଥିଲେ। ବୈଠକରେ ପ୍ରାରମ୍ଭରେ ଜିଲ୍ଲା ମହୋତ୍ସବକୁ ନିମନ୍ତ୍ରିତ ସରସ ସୁନ୍ଦର କରିବା ଉପରେ ଆଲୋଚନା ହୋଇଥିଲା । ମହୋତ୍ସବରେ ଯୋଗ ଦେବାକୁ ଥିବା ଅତିଥିଙ୍କ ସମ୍ପର୍କରେ ଆଲୋଚନା ହୋଇଥିଲା । ମୁଖ୍ୟମନ୍ତ୍ରୀ, ରାଜ୍ୟ କ୍ୟାବିନେଟ ମନ୍ତ୍ରୀଙ୍କ ସମେତ ମହୋତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ଅଶ୍ବିନୀ ବୈଷ୍ଣବଙ୍କୁ ନିମନ୍ତ୍ରଣ କରାଯାଇଥିବା ଏଡିଏମ୍ ସୂଚନା ଦେଇଥିଲେ । ରାଜ୍ୟର ବିଭିନ୍ନ ମନ୍ତ୍ରୀଙ୍କ ସମେତ ଶିଳ୍ପପତି ଏବଂ ଶିକ୍ଷାନୁଷ୍ଠାନ ମାଲିକଙ୍କୁ ନିମନ୍ତ୍ରଣ କରାଯାଇଥିବା କୁହାଯାଇଛି। ଉପସ୍ଥିତ ସଦସ୍ୟମାନେ କଳାକାରଙ୍କ ଗ୍ରୀନ ରୁମ୍ ନିକଟରେ ଶୌଚାଳୟ ସମସ୍ୟା ରହୁଥିବା ନେଇ ଅଭିଯୋଗ ଉଠାଇଥିଲେ।
ଏଥିସହ ଗତବର୍ଷରେ ମଞ୍ଚ ଉପସ୍ଥାପକଙ୍କୁ ନେଇ ଦର୍ଶକଙ୍କ ମଧ୍ୟରେ ହୋଇଥିବା ଅସନ୍ତୋଷ ଉପରେ ବିଶେଷ ଆଲୋଚନା ହୋଇଥିଲା। ଯେଉଁଥିପାଇଁ ଚଳିତ ମହୋତ୍ସବରେ ସନ୍ଧ୍ୟା ସମୟରେ ହେଉଥିବା ସାଂସ୍କୃତିକ କାଯ୍ୟକ୍ରମରେ ସ୍ଥାନୀୟ ମଞ୍ଚ ଉପସ୍ଥାପକଙ୍କ ବଦଳରେ ବାହାର ସ୍ଥାନରୁ ମଞ୍ଚ ଉପସ୍ଥାପକ ଅଣାଯିବାକୁ ସ୍ଥିର ହୋଇଥିଲା। ସ୍ଥାନୀୟ କଳାକାରଙ୍କୁ ନେଇ ୩ଟାରୁ ୫ଟା ପର୍ୟ୍ୟନ୍ତ ଆୟୋଜିତ ହେଉଥିବା ସାଂସ୍କୃତିକ ଆଞ୍ଚଳିକ କାଯ୍ୟକ୍ରମରେ ସ୍ଥାନୀୟ ମଞ୍ଚ ଉପସ୍ଥାପକଙ୍କୁ ସୁଯୋଗ ଦିଆଯିବ ବୋଲି ଜିଲ୍ଲାପାଳ କହିଥିଲେ। କୃଷି ବିଭାଗକୁ ରାଜ୍ୟ ସରକାର ଗୁରୁତ୍ବ ଦେଉଥିବା ବେଳେ ଜିଲ୍ଲା ମହୋତ୍ସବରେ କୃଷି ମହୋତ୍ସବ ମଧ୍ୟ ପାଳନ କରାଯିବ ବୋଲି ନୟାଗଡ଼ ବିଧାୟକ କହିଥିଲେ। କୃଷି ବିଭାଗର ଷ୍ଟଲ୍ ଇକିରି ମୁଗ, ସାକେରୀ ଚାଉଳ, ଛେନାପୋଡ଼ ଆଦି ଖାଦ୍ୟ ସାମଗ୍ରୀକୁ ସ୍ଥାନ ଦେବାକୁ ନୟାଗଡ଼ ବିଧାୟକ ଗୁରୁତ୍ବ ଦେଇଥିଲେ। ଏଥିସହ ଆସ ନୟାଗଡ଼କୁ ଜାଣିବା କାଯ୍ୟକ୍ରମ ଜରିଆରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସାମିଲ କରିବା ଦିଗକୁ ନେଇ ବିଶେଷ ଆଲୋଚନା କରାଯାଇଥିଲା। ଚଳିତ ବର୍ଷ ମହୋତ୍ସବ କଳେବର ବୃଦ୍ଧି ପାଇବ ବୋଲି ଆଲୋଚନା ହୋଇଥିଲା । ମହୋତ୍ସବ ମଞ୍ଚକୁ ଷ୍ଟାଡିୟମ ପଡ଼ିଆର ବହୁ ପଛକୁ କରି ଷ୍ଟଲ ସଂଖ୍ୟା ବୃଦ୍ଧି କରାଯିବା ଉପରେ ଆଲୋଚନା ହୋଇଥିଲା । ପିଟିଏସ୍ ରାସ୍ତା କିଭଳି ମହୋତ୍ସବ ପୂର୍ବରୁ ସରିବ ସେହି ଦିଗରେ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ କିଶୋର ଶତପଥୀଙ୍କୁ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।