ହେଡଲାଇନସ୍:

ବାତ୍ୟା ‘ଦାନା’କୁ ସଫଳତାର ସହ ମୁକାବିଲା କଲା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଉତ୍ସର୍ଗୀକୃତ ସେବା ପାଇଁ ସ୍ୱାସ୍ଥ୍ୟକର୍ମୀଙ୍କୁ ସାଧୁବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର-ତା ୨୫.୧୦.୨୦୨୪- ରାଜ୍ୟବାସୀଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦୂରଦୃଷ୍ଟିସମ୍ପନ୍ନ ବଳିଷ୍ଠ ନେତୃତ୍ୱ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ, ବିଭାଗୀୟ କମିଶନର ତଥା ଶାସନ ସଚିବ, ରାଜ୍ୟ ଓ ଜିଲ୍ଲାସ୍ତରର ବରିଷ୍ଠ ଅଧିକାରୀଙ୍କ ଠାରୁ ଆରମ୍ଭ କରି ତୃଣମୂଳସ୍ତରରେ କାର୍ଯ୍ୟରତ ସ୍ୱାସ୍ଥ୍ୟକର୍ମୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ଉତ୍ସର୍ଗୀକୃତ ସେବା ମନୋଭାବ ଓ ସମ୍ମିଳିତ ନିରନ୍ତର ଉଦ୍ୟମ ମାଧ୍ୟମରେ ରାଜ୍ୟ ସରକାର ବିଶେଷ କରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ବାତ୍ୟା ‘ଦାନା’କୁ ପ୍ରତିହତ କରି ସମସ୍ତଙ୍କର ସାଧୁବାଦର ପାତ୍ର ହୋଇପାରିଛି ।
ବାତ୍ୟା ଆସିବାର ଅବ୍ୟବହିତ ପୂର୍ବରୁ ୧୪ଟି ଜିଲ୍ଲାର ୩୪ହଜାର ୮୦ଜଣ ଗର୍ଭବତୀ ମହିଳାଙ୍କ ଏକ ତାଲିକା ପ୍ରସ୍ତୁତ କରାଯାଇଥିଲା । ଚଳିତ ସପ୍ତାହରେ ପ୍ରସବ ତାରିଖ ଥିବା ୯ହଜାର ୮୭୭ ଜଣ ମହିଳାଙ୍କ ମଧ୍ୟରୁ ୪ହଜାର ୭୯୭ଜଣ ମହିଳାଙ୍କୁ ନିକଟସ୍ଥ ଡ଼ାକ୍ତରଖାନାର ପ୍ରସବ କେନ୍ଦ୍ର/ମା’ଗୃହକୁ ସ୍ଥାନାନ୍ତର ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ପ୍ରକୃତପକ୍ଷେ ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ ୬୨ଜଣଙ୍କୁ ଏହିପରି ମୋଟାମୋଟି ୪୮୫୯ ମହିଳାଙ୍କୁ ପ୍ରସବ କେନ୍ଦ୍ର/ମା’ଗୃହକୁ ବିଭାଗ ପକ୍ଷରୁ ସ୍ଥାନାନ୍ତରଣ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୨୨୦୧ଜଣ ମହିଳା ସନ୍ତାନ ପ୍ରସବ କରିଛନ୍ତି । ତା’ ମଧ୍ୟରୁ ୧୮୫୮ଜଣ ସାଧାରଣ ପ୍ରସବ ଏବଂ ୩୪୩ଜଣ ଅସ୍ତ୍ରୋପଚାର ମାଧ୍ୟମରେ ଶିଶୁ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି । ଏହି ସମସ୍ତ ମହିଳାଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କରେ ରଖାଯାଇ ସେମାନଙ୍କ ପ୍ରସବ ପରବର୍ତ୍ତୀ ଅବସ୍ଥାର ଯତ୍ନ ନିଆଯାଉଛି । ଆନନ୍ଦର କଥା, ମା’ ଓ ଶିଶୁମାନେ ସମ୍ପୂର୍ଣ୍ଣ ସୁସ୍ଥ ଓ ସୁରକ୍ଷିତ ଅଛନ୍ତି ।
ବାତ୍ୟା ସମୟରେ କୌଣସି ପ୍ରସବଜନିତ ମାତୃ ମୃତ୍ୟୁ ହୋଇନାହିଁ । ଏହା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଗୁଣାତ୍ମକ ଏବଂ ଉତ୍ସର୍ଗୀକୃତ ସେବା ମନୋଭାବକୁ ପ୍ରମାଣିତ କରୁଛି । ପାଣିପାଗ ଅନୁକୂଳ ହେବା ଏବଂ ସେମାନଙ୍କ ରହିବାର ସୁବନ୍ଦୋବସ୍ତ ହେବା ପର୍ଯ୍ୟନ୍ତ ସେମାନଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ରହିବାର ବ୍ୟବସ୍ଥା କରାଯାଇଛି ।
ବାତ୍ୟା ଦାନାର ସଫଳ ମୁକାବିଲା ପାଇଁ ତିନୋଟି ଜିଲ୍ଲା ଯଥା କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ତିନି ଜଣ ଅତିରିକ୍ତ ନିର୍ଦ୍ଦେଶକ ପାହ୍ୟାର ଅଧିକାରୀଙ୍କୁ ଜିଲ୍ଲା ଜନସ୍ୱାସ୍ଥ୍ୟ ଓ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହାୟତା ନିମନ୍ତେ ଅବସ୍ଥାପିତ କରାଯାଇଛି । ତା’ ସହିତ ଜିଲ୍ଲାଗୁଡ଼ିକରେ ୨୮ଜଣ ଡ଼ାକ୍ତର ଏବଂ ବିଭିନ୍ନ ବର୍ଗର ୪୫ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ବାତ୍ୟା ଆସିବା ପୂର୍ବରୁ ୧୨୪୦ଟି ଜେନେରେଟରକୁ ଇନ୍ଧନ ସହ ପ୍ରସ୍ତୁତ କରି ରଖାଯାଇଥିଲା । ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ସାପକାମୁଡ଼ା ଇଞ୍ଜେକ୍ସନ ଏବଂ ଅନ୍ୟାନ୍ୟ ଦରକାରୀ ଔଷଧ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ କରି ରଖାଯାଇଥିଲା । ତା’ ସହ ରକ୍ତଭଣ୍ଡାରଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣରେ ରକ୍ତ ମହଜୁଦ୍ ରଖାଯାଇଥିଲା । ୧୪ଟି ଜିଲ୍ଲାରେ ୨୪ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲାଯିବା ସହ ୨୩୮ଟି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଦଳକୁ ନିୟୋଜିତ କରାଯାଇଥିଲା । ପ୍ରତ୍ୟେକ ବାତ୍ୟା ଆଶ୍ରୟ କେନ୍ଦ୍ରରେ ଆଶାକର୍ମୀମାନଙ୍କୁ ନିୟୋଜନ କରାଯାଇଥିଲା ଏବଂ ଦିନକୁ ଦୁଇଥର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟଦଳ ଲୋକମାନଙ୍କ ଆବଶ୍ୟକତା ଅନୁଯାୟୀ ସ୍ୱାସ୍ଥ୍ୟସେବା ଯୋଗାଇ ଦେଇ ଆସୁଛନ୍ତି ।
ବାତ୍ୟା ପରବର୍ତ୍ତୀ ଅବସ୍ଥାରେ ବିଶୁଦ୍ଧ ପାନୀୟ ଜଳର ଅଭାବ ଓ ଝାଡ଼ାବାନ୍ତିର ପ୍ରକୋପକୁ ଲକ୍ଷ୍ୟ କରି ବିଭାଗ ପକ୍ଷରୁ ଯଥେଷ୍ଟ ପରିମାଣର ହାଲୋଜେନ ବଟିକା, ବ୍ଲିଚିଂ ପାଉଡର୍, ଓଆରଏସ ଏବଂ ଅନ୍ୟାନ୍ୟ ଔଷଧ ଆଶାଦିଦିଙ୍କ ପର୍ଯ୍ୟନ୍ତ ଉପଲବଧ କରାଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅଧିକାରୀ, କର୍ମଚାରୀ ବିଶେଷ କରି ତୃଳମୂଳସ୍ତରରେ କାର୍ଯ୍ୟରତ ସ୍ୱାସ୍ଥ୍ୟକର୍ମୀ ଏବଂ ଆଶାକର୍ମୀଙ୍କ ଉତ୍ସର୍ଗୀକୃତ ଜନସେବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ ଡ଼. ମହାଲିଙ୍ଗ ଅଶେଷ ସାଧୁବାଦ ଜ୍ଞାପନ କରିଛନ୍ତି । ଏହା ସହ ମୁଖ୍ୟମନ୍ତ୍ରୀଙ୍କ ଶୂନ ମୃତ୍ୟୁ ଆହ୍ୱାନକୁ ଚରିତାର୍ଥ କରିବାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମୋଟାମୋଟି ଭାବରେ ସଫଳ ହୋଇଥିବାରୁ ମନ୍ତ୍ରୀ ଡ଼. ମହାଲିଙ୍ଗ ବିଭାଗର ସମସ୍ତଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି ।

0
0
0
s2sdefault