ହେଡଲାଇନସ୍:

ନିର୍ଭୟ ବାର୍ଷିକ ଉତ୍ସବରେ କହିଲେ ମୁଖ୍ୟମନ୍ତ୍ରୀ: ଗଣମାଧ୍ୟମର କଣ୍ଠରୋଧର ସମୟ ଶେଷ

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

‘ନିର୍ଭୟ’ ସତ୍ୟର ପ୍ରକୃତ ସନ୍ଧାନୀ


ଭୁବନେଶ୍ୱର: ସ୍ଥାନୀୟ ହୋଟେଲ ମେ ଫେୟାରର ଅର୍କିଡ଼ ସଭାଗୃହରେ ଶନିବାର ଦିନ ଆୟୋଜିତ ଭବ୍ୟ ଉତ୍ସବରେ ଦୈନିକ ସମ୍ବାଦପତ୍ର ନିର୍ଭୟର ୧୦ମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ନିର୍ଭୟର ସମ୍ପାଦକ ନବୀନ ଦାସଙ୍କ ପୌରହିତ୍ୟରେ ଆୟୋଜିତ ହୋଇଥିବା ମୁଖ୍ୟ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଗଣମାଧ୍ୟମର କର୍ତ୍ତବ୍ୟ ଏବଂ କାର୍ଯ୍ୟଧାରାର ଗୁରୁତ୍ୱ ବାବଦରେ ବକ୍ତବ୍ୟ ରଖିବା ବେଳେ ନିର୍ଭୟକୁ ଏକ ଆଦର୍ଶ ଗଣମାଧ୍ୟମ ବୋଲି ବତାଇଥିଲେ । ଗତ ସରକାରବେଳେ କିଛି ଗଣମାଧ୍ୟମ ସରକାରଙ୍କର ଏଚଏମଭି ବା ହିଜ୍‍ ମାଷ୍ଟର୍ସ ଭଏସ ବନିଥିଲେ । ନିର୍ଭୟ ତାହା କରିପାରିନଥିବାରୁ ବିଜ୍ଞାପନ ପାଇପାରୁନଥିଲା । କିଛି ମିଡିଆକୁ ବିଜ୍ଞାପନ ନଦେବାକୁ ହୁଇପ ହୋଇଥିଲା । ଏବେ କିନ୍ତୁ ଲୋକଙ୍କ ସରକାର କ୍ଷମତାକୁ ଆସିଛି । ଆଉ ମିଡିଆକୁ ଧମକ ନାହିଁ କି କଣ୍ଠରୋଧ କରିବାର ସମୟ ନାହିଁ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ । ଦୀର୍ଘ ୧୦ବର୍ଷ ଭିତରେ ନିର୍ଭୟ ଅନେକ ଦୁର୍ନୀତି ଏବଂ ବ୍ୟବସ୍ଥାଗତ ତ୍ରୁଟିକୁ ସାରା ରାଜ୍ୟରେ ଉଜାଗର କରି ତାହାର ଦାୟିତ୍ୱ ସମ୍ପାଦନ କରିପାରିଛି । ମଠ ମନ୍ଦିର ଭଙ୍ଗା ହେଉ, ବ୍ରହ୍ମବିଭ୍ରାଟ ହେଉ କିମ୍ବା କୋଭିଡ ପରିଚାଳନାରେ ଅନିୟମିତତା ସବୁ ନିର୍ଭୟ ପ୍ରକାଶ କରି ସାହସ ଦେଖାଇପାରିଛି । ନିଜ ନାମକରଣକୁ ସାର୍ଥକ କରି ଭୟହୀନ ନିର୍ଭୟ ଆଜି ସତ୍ୟର ପ୍ରକୃତ ସନ୍ଧାନୀ ସାଜିଛି । ଶାସକ ଧାରା ବିରୋଧରେ ଯାଇ ଦୁର୍ନୀତିକୁ ଉଦଘାଟନ କରିବା ସହଜ କଥା ନୁହେଁ । ହେଲେ ନିର୍ଭୟ ଚାପରେ ନଆସି ସାହସର ସହ ସବୁର ମୁକାବିଲା କରିଚାଲିଛି ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ମାଝୀ ।
ନିର୍ଭୟ ସମ୍ପାଦକ ନବୀନ ଦାସଙ୍କୁ ତାଙ୍କ ସତ୍ୟନିଷ୍ଠତା ପାଇଁ ପ୍ରଶଂସା କରିବାକୁ ଯାଇ ମୁଖ୍ୟମନ୍ତ୍ରୀ କହିଥିଲେ ନିର୍ଭୟ ଭାବେ କଥା ରଖିବା, କେବେ ବି ସହଜ ବିଷୟ ନୁହେଁ । ତାଙ୍କ ପ୍ରାକ୍‍ ବିଧାୟକ ଜୀବନରେ କିପରି ନିର୍ଭୟ ସମ୍ପାଦକଙ୍କ ସହଯୋଗ ଓ ପରାମର୍ଶ ହାସଲ କରିଆସିଥିଲେ ତାହାର ସେ କରିଥିଲେ ଅବତାରଣା । ନିର୍ଭୟର ସମସ୍ତ ବିଭାଗ ସହ ନିର୍ଭୟ ଗୁମର କଥାକୁ ମଧ୍ୟ ଉଚ୍ଚପ୍ରଶଂସା କରି ସେ ଏହାର ଜଣେ ଦର୍ଶକ ବୋଲି କହିଥିଲେ ପ୍ରଚଣ୍ଡ କରତାଳି ମଧ୍ୟରେ । ସମ୍ପାଦପତ୍ର ସମାଜର ଦର୍ପଣ, ସେ ଉତ୍କଳ ଦୀପିକା ହେଉ ବା ବର୍ତ୍ତମାନର ନିର୍ଭୟ ସମସ୍ତେ ସାମାଜିକ କ୍ଷେତ୍ରରେ ନିଜର ଦାୟିତ୍ୱ ନିର୍ବାହ କରିଚାଲିଛନ୍ତି । ନିଜ ୧୦୦ଦିନର ପୂର୍ତ୍ତି ଅବସରରେ କିପରି ପ୍ରତିଶ୍ରୁତି ପାଳନର ଧାରା ଆରମ୍ଭ କରାଯାଇସାରିଛି ତାହାର ପୂର୍ଣ୍ଣ ବିବରଣୀ ଦେଲାବେଳେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମଗୁଡିକୁ ପ୍ରଶଂସା କରିଥିଲେ ଯେ, ସେମାନଙ୍କ ଯୋଗୁ ଲୋକ ସରକାର, ଲୋକଙ୍କ ମୁଖ୍ୟମନ୍ତ୍ରୀ ଏବଂ ଲୋକଙ୍କ ବଜେଟ ଭଳି ସକରାତ୍ମକ ଖବର ପ୍ରକାଶ ପାଇପାରିଛି । ଗଣମାଧ୍ୟମଗୁଡିକ ନିଜ ଏଜେଣ୍ଡା ହାସଲ ଦିଗରେ କାର୍ଯ୍ୟ ନକରି ଗଠନମୂଳକ ଖବର ଏବଂ ସତ୍ୟାସତ୍ୟ ଯାଞ୍ଚ କରି ସମ୍ବାଦ ପରିବେଷଣ କରିବା ପାଇଁ ପରାମର୍ଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ।

ଅହଂକାରର ପରାଜୟ ଘଟିଛି


ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଇଷ୍ଟର୍ଣ୍ଣ ମିଡିଆ ଗ୍ରୁପର ଅଧ୍ୟକ୍ଷ ସୌମ୍ୟ ରଞ୍ଜନ ପଟ୍ଟନାୟକ ନିର୍ଭୟ ତାହାର ନାମ ଯଥାର୍ଥ କରିପାରିଥିବାରୁ ବଧେଇ ଜଣାଇଲା ବେଳେ କହିଥିଲେ ସାମ୍ବାଦିକର ଧର୍ମ ଡରାଇବା ନୁହେଁ ଶ୍ରଦ୍ଧା ହାସଲ କରିବା । ବେଳେବେଳେ ସଫଳତା ଅହଂକାର ସୃଷ୍ଟି କରେ ବୋଲି କହିଥିଲେ ସୌମ୍ୟ ରଞ୍ଜନ । ମୁଦ୍ରିତ ଗଣମାଧ୍ୟମର ଭବିଷ୍ୟତ ଆଶଙ୍କାରେ ଥିଲା ବେଳେ ଡିଜିଟାଲ ଗଣମାଧ୍ୟମ ଆଜିର ଆହ୍ୱାନ ହୋଇଛି । ସମୟ ସହ ତାଳ ଦେଇ ଚାଲିବା ଗଣମାଧ୍ୟମର ଦାୟିତ୍ୱ ହେବା ଦରକାର । ସେ କହିଥିଲେ ଜନାଦେଶକୁ ବୁଝିବା ଓ ବିଶ୍ଲେଷଣ କରିବାର ସାହସ ଓ ମାନସିକତା ରହୁନାହିଁ । ଟଙ୍କା ଥିଲେ, କ୍ଷମତା ଥିଲେ ସବୁକିଛିକୁ ନିୟନ୍ତ୍ରିତ କରାଯାଇପାରିବ ବୋଲି ମନକୁ ଆସିଯାଉଛି । ଏଥରର ନିର୍ବାଚନ ବାର୍ତ୍ତା ଦେଇଛି ଅହଂକାରର ସବୁବେଳେ ପତନ ଘଟିଥାଏ । ସେ କହିଥିଲେ ସବୁବେଳେ ମାଟି ବଡ଼, ପାର୍ଟି ନୁହେଁ ।

ମା, ମାତୃଭୂମି ଓ ମାତୃଭାଷାର ବିକଳ୍ପ ନାହିଁ


ଦେଶର ଅନ୍ୟତମ ଶିକ୍ଷାବିତ୍‍ ତଥା ଶିକ୍ଷା, ସାଂସ୍କୃତି ଉତ୍ଥାନ ନ୍ୟାସର ରାଷ୍ଟ୍ରୀୟ ସଚିବ ଡ. ଅତୁଲ କୋଠାରୀ ମୁଖ୍ୟ ବକ୍ତାଭାବେ ଯୋଗଦେଇ ଏକ ରାଷ୍ଟ୍ର, ଏକ ନିର୍ବାଚନ ଉପରେ ରଖିଥିଲେ ନିଜ ଅଭିଭାଷଣ । ସେ କହିଥିଲେ ଦେଶର ବିକାଶ ସକାଶେ ତଥା କଳାଧନକୁ ରୋକିବା ଏବଂ ରାଜନୈତିକ ଅସ୍ଥିରତା ଦୂର କରିବା ପାଇଁ ଏକାଠି ନିର୍ବାଚନର ଆବଶ୍ୟକତା ରହିଛି । ଲୋକସଭା ଓ ବିଧାନସଭା ଗୁଡିକର ନିର୍ବାଚନ ଏକାଠି ଏବଂ ସମସ୍ତ ସ୍ଥାନୀୟ ନିର୍ବାଚନ ଏକାଠି କରାଯିବା ଦରକାର । ଅଧିକ ଇଭିଏମ ମେସିନ, ଅଧିକ ସୁରକ୍ଷାବଳ ଏବଂ ଅଧିକ ନିର୍ବାଚନ ଅଧିକାରୀ ଭଳି ଅନେକ ଚ୍ୟାଲେଞ୍ଜ ଏଥିପାଇଁ ରହିଛି । ହେଲେ ତାହାକୁ ଦୂର କରାଯାଇ ଏକାଠି ନିର୍ବାଚନ କରାଯିବା ଦରକାର । ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏ ବାବଦରେ ଯେଉଁ କମିଟି ବସିଥିଲା ସେ କମିଟିକୁ ସାକ୍ଷାତ କରିଥିବା ୮୦ଭାଗ ଲୋକ ଓ ଦଳ ଏକାଠି ନିର୍ବାଚନ ଶପଥରେ ମତ ଦେଇଛନ୍ତି । ଏକ ସମୟରେ ନିର୍ବାଚନ ଦ୍ୱାରା କେନ୍ଦ୍ର ସରକାରଙ୍କ ପ୍ରଭାବ ପୂର୍ଣ୍ଣ ଭାବେ ପଡିବ ବୋଲି ଏହାକୁ ସମାଲୋଚନା କରାଯାଉଛି । ତାହା ନିରାଧାର ବୋଲି କହିଥିଲେ । ଭାରତୀୟ ଭୋଟର ଖୁବ୍‍ ପରିପକ୍ୱ ବୋଲି ସେ ଦେଇଥିଲେ ମତ । ନୂତନ ଶିକ୍ଷାନୀତି ପ୍ରଣୟନରେ ବିଶେଷ ଭୂମିକା ରଖିଥିବା ଡାକ୍ତର ଅତୁଲ କୋଠାରୀ ଓଡ଼ିଶାରେ ଏହାକୁ ତୁରନ୍ତ ଲାଗୁ କରିବାକୁ ଜୋର ଦେଇଥିଲେ । ସେ କହିଥିଲେ ମା’, ମାତୃଭୂମି ଓ ମାତୃଭାଷାର ବିକଳ୍ପ ନାହିଁ । ମାତୃଭାଷାରେ ଶିକ୍ଷାଦାନ ନିହାତି ଆବଶ୍ୟକ ବୋଲି କହି ଦେଶରେ ସବୁ ବିଷୟରେ ରାଜନୀତି ପ୍ରବେଶ ବଡ଼ ର୍ଦୁଭାଗ୍ୟଜନକ ବୋଲି ସେ କହିଥିଲେ । ଏହି ଉତ୍ସବରେ ନିର୍ଭୟର ସହଯୋଗୀ ସମ୍ପାଦକ ସମ୍ବିତ ମହାପାତ୍ର ସଂଯୋଜନା କରିଥିଲା ବେଳେ ନିଆରା ଚିକିତ୍ସକ ଡାକ୍ତର ଶଙ୍କର ରାମଚନ୍ଦାନୀଙ୍କୁ ନିର୍ଭୟ ଓଡ଼ିଶା ଗୌରବ ପ୍ରଦାନ କରାଯାଇଥିଲା । ସେହିପରି ନିର୍ଭୟ ସତୀର୍ଥ ସମ୍ମାନ ବରିଷ୍ଠ ସାମ୍ବାଦିକ ସୁବ୍ରତ ଦାସ ଏବଂ ଓଟିଭିର କାର୍ଯ୍ୟକ୍ରମ ଆପଣ ଏକା ନୁହଁନ୍ତିକୁ ପ୍ରଦାନ ହୋଇଥିଲା । ଏହି ସମାରୋହରେ ନିର୍ଭୟର ସମସ୍ତ ଖବରଦାତାଙ୍କ ସହ ରାଜ୍ୟର ବହୁ ବିଶିଷ୍ଟ ରାଜନେତା, ସାମ୍ବାଦିକ, ଶିଳ୍ପପତି ଓ ‘ନିର୍ଭୟ’ର ଅନେକ ଶୁଭେଚ୍ଛୁ ଯୋଗଦେଇଥିଲେ ।

‘ଓଡ଼ିଶା ଅଛି କେଉଁଠି’ ଉପରେ ବିଶେଷ ଆଲୋଚନା: ପାଣି ଏକ ବଡ଼ ସମସ୍ୟା ହୋଇ ଦେଖାଦେବ

ଆଉ ମାତ୍ର ୧୨ବର୍ଷ ପରେ ଓଡ଼ିଶା ନିଜର ସ୍ୱତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ ପାଳନ କରିବ । ଏହି ୮୮ବର୍ଷ ଭିତରେ ଓଡ଼ିଶା ଅଛି କେଉଁଠି ଶୀର୍ଷକ ଆଲୋଚନା ନିର୍ଭୟ ୧୦ମ ବାର୍ଷିକ ଉତ୍ସବ ପରେପରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଶିଷ୍ଟ ରାଜନେତା ବିଜୟ ମହାପାତ୍ର, ବିଶିଷ୍ଟ ଅର୍ଥନୀତିଜ୍ଞ ରାଜୀବ ସାହୁ ଏବଂ ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗାନ ତଥା ଗୁରୁ ପଦ୍ମଶ୍ରୀ ଅରୁଣା ମହାନ୍ତି ସାମିଲ ହୋଇଥିଲେ । ଏହି ଆଲେଚନାଚକ୍ରକୁ ପରିଚାଳନା କରିଥିଲେ ବରିଷ୍ଠ ସାମ୍ବାଦିକ ସନ୍ଦୀପ ମିଶ୍ର ।
ଏଥିରେ ଅଂଶଗ୍ରହଣ କରି ବିଶିଷ୍ଟ ରାଜନେତା ବିଜୟ ମହାପାତ୍ର କହିଥିଲେ ୨୦୩୬ କ’ଣ, ଆଉ କିଛି ବର୍ଷ ଭିତରେ ଓଡ଼ିଶାରେ ପାଣି ଏକ ବଡ଼ ସମସ୍ୟା ହୋଇ ଦେଖାଦେବ । ୧୯୫୭ ମସିହାରେ ହୀରାକୁଦ ବନ୍ଧ ନିର୍ମାଣ ହୋଇଥିଲା । ତାହାକୁ ଯେପରି ସୁରକ୍ଷା ଏବଂ ଆବଶ୍ୟକୀୟ ସଜଡା ଯିବା କଥା ତାହା ହୋଇପାରିନାହିଁ । ୧୬ଟି ଜିଲା ହୀରାକୁଦ ବନ୍ଧ ପାଣି ଉପରେ ନିର୍ଭରଶୀଳ । ଭୁବନେଶ୍ୱରକୁ ମଧ୍ୟ ଆଉ କିଛିବର୍ଷ ପରେ ପାଣି ମିଳିିିବ ନାହିଁ ବୋଲି ସେ ସତର୍କ କରାଇ ଦେଇଥିଲେ । ସରକାର ଓ ଆମ ସମସ୍ତଙ୍କୁ କିଛି ଠୋସ ଓ କଠୋର ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ସେ ଓଡ଼ିଶା ଆଗରେ ପାଣି, ବେକାରୀ ଓ ଦୁର୍ନୀତିକୁ ମୂଳ ଆହ୍ୱାନ ବୋଲି ବତାଇଥିଲେ । ବିଗତବର୍ଷ ଗୁଡିକରେ ଦୁର୍ନୀତି ବ୍ୟାପକ ହୋଇଛି ଏବଂ ସମ୍ପତ୍ତି ଆହୋରଣ କରିବାର ମାନସିକତା ଦୁର୍ନୀତିକୁ ରାକ୍ଷାସ ସଦୃଶ୍ୟ କରିସାରିଲାଣି । ଓଡ଼ିଶା ଆଜି ପର୍ଯ୍ୟନ୍ତ କୌଣସି ଗୋଟିଏ ବିଷୟକୁ ପୂର୍ଣ୍ଣ ପ୍ରାଥମିକତା ଦେଲା ନାହିଁ । ଆମେ ମିଶ୍ରିତ ପ୍ରାଥମିକତା ଦେଇ କାର୍ଯ୍ୟ କରିଆସିଲୁ । ଏହା ଆମ ପାଇଁ ଏକ ଭୁଲ୍‍ ଥିଲା ବୋଲି ସେ କହିଥିଲେ । ୨୦୩୬କୁ ଆଖି ଆଗରେ ରଖି ନୂଆ ଅଭିଯାନ ଓ ନୂଆ ଜାଗରଣ ଆରମ୍ଭ କରିବାର ଆବଶ୍ୟକତା ଉପରେ ସେ ଦେଇଥିଲେ ଜୋର । ନୃତ୍ୟାଙ୍ଗନା ଅରୁଣା ମହାନ୍ତି କହିଥିଲେ ଯେ, ଓଡ଼ିଶୀ ନୃତ୍ୟ ଏବଂ ପୋଷାକପତ୍ର ବାହାରେ ଓଡ଼ିଶାକୁ ପରିଚିତ କରାଇ ଦେଇପାରିଛି । ହେଲେ ଓଡ଼ିଶୀ ଗୀତର ସେତେଟା ଆଦୃତି ହେଉନାହିଁ ବୋଲି ସେ କ୍ଷୋଭ ପ୍ରକାଶ କରିଥିଲେ । ଆଉ ଓଡ଼ିଶୀ ଗୀତ ବୋଲା ଯାଉନାହିଁ । ଓଡ଼ିଆ ଲୋକେ ସୋନୁ ନିଗମଙ୍କ କାର୍ଯ୍ୟକ୍ରମ ସକାଶେ ହଜାର ହଜାର ଟଙ୍କାର ଟିକେଟ କିଣୁଛନ୍ତି ହେଲେ ଓଡ଼ିଶୀ ଗୀତ ଶୁଣିବାକୁ ଯାଉନାହାଁନ୍ତି । କିପରି ଓଡ଼ିଶୀ ସଂଗୀତକୁ ଲୋକାଭିମୁଖି କରାଯିବ ଏବଂ ଭାଗବତ ଟୁଙ୍ଗୀ ଗୁଡିକର ପୁନରୁଦ୍ଧାର କରାଯାଇ ଓଡ଼ିଶୀ ଗୀତ ପୁଣି ବୋଲା ଆରମ୍ଭ ହେବ ସେ ଦିଗରେ ଅଭିଯାନ ଆରମ୍ଭ କରିବାକୁ ଆହ୍ୱାନ ଦେଇଥିଲେ । ଓଡ଼ିଶୀ ନୃତ୍ୟ ସଂଗୀତ ଶିଖୁଥିବା ପିଲାମାନଙ୍କ ପାଇଁ ଚାକିରିର ସୁଯୋଗ କମୁଥିବା ଉପରେ ସେ ଦୃଷ୍ଟି ଆକର୍ଷଣ କରାଇଥିଲେ । ଓଡିଆ ସାହିତ୍ୟର କିପରି ଅଧିକ ଅନ୍ୟ ଭାଷାକୁ ଅନୁବାଦ ହୋଇପାରିବ ତାହାକୁ ସେ ଗୁରୁତ୍ୱ ଦେବା ସହ ୨୦୩୬ ବେଳେ ରାଜ୍ୟର ପ୍ରତ୍ୟେକ ସ୍କୁଲର ଓଡ଼ିଶୀ ଗୀତ ଯେପରି ବୋଲା ଯାଇପାରୁଥିବ ସେ ଦିଗରେ ସରକାରୀ ଉଦ୍ୟମ ହେବା ପାଇଁ ମଧ୍ୟ ସେ ଜୋର ଦେଇଥିଲେ ।
ଅର୍ଥନୀତି ବିଶେଷଜ୍ଞ ରାଜୀବ ସାହୁ ଏହି ଆଲୋଚନାରେ ଅଂଶ ଗ୍ରହଣ କରି କହିଥିଲେ ଯେ, ଶିଳ୍ପ ଓ ବ୍ୟବସାୟ କ୍ଷେତ୍ରରେ ଆମ ପ୍ରାଥମିକତା ଉପରେ ପୁଣି ଥରେ ଦେବାକୁ ପଡିବ ଦୃଷ୍ଟି । ମାଇନିଂ ବୁମ୍‍ ଘଟିଛି, ଅବକାରୀରୁ ଅଧିକ ଆୟ ହେଉଛି । କିନ୍ତୁ ଆନ୍ଧ୍ର ଓ ତେଲଙ୍ଗାନା ତୁଳନାରେ ଆମେ ଏବେ ବି ପଛରେ ଅଛୁ । ଆମେ ଏପରି ଶିଳ୍ପ ପ୍ରତି ଆଗ୍ରହ କରୁଛେ ଯେଉଁଥିରେ ଅଧିକ ନିବେଶ ତ ହେଉଛି ହେଲେ ନିଯୁକ୍ତି ସେଥିରେ ବେଶି ହେଉନାହିଁ । ଆମକୁ ଏପରି ଶିଳ୍ପ ଉପରେ ଜୋର ଦେବାକୁ ପଡିବ ଯେଉଁଥିରେ ନିଯୁକ୍ତି ଅଧିକ ରହିଛି । ସରକାର ବଦଳିଲେ ଶିଳ୍ପ ଓ ବ୍ୟବସାୟ ପ୍ରତି ମନୋଭାବ ନବଦଳୁ । ଗୁଜରାଟ ଯେପରି ଶିଳ୍ପ ଓ ବ୍ୟବସାୟ ପାଇଁ ବନ୍ଧୁତ୍ୱପୂର୍ଣ୍ଣ ମାହୋଲ ବନାଇପାରିଛି ସେପରି ପରିବେଶ ଓଡ଼ିଶାରେ କରାଯିବା ଉପରେ ସେ ଗୁରୁତ୍ୱ ଦେଇଥିଲେ । ଓଡ଼ିଶାର ଦକ୍ଷ କାରିଗର ଓ ଶ୍ରମିକ ସୁରଟ କି କୋଏମ୍ବାଟୁର ନଯାଇ ଯେପରି ଓଡ଼ିଶାରେ କାମ ପାଇପାରିବେ ସେ ଦିଗରେ କାର୍ଯ୍ୟ ହେବା ଉଚିତ । ପର୍ଯ୍ୟଟନରୁ ବଡ଼ ଆୟର ସମ୍ଭାବନା ଥିବା ସେ ବତାଇଥିଲେ । ଏହି ଉତ୍ସବରେ ନିର୍ଭୟର ରାୟଗଡା ଖବରଦାତା ତ୍ରିନାଥ ଖାଡ଼ଙ୍ଗା, ତାଳଚେର ଖବରଦାତା ବିଜୟ କୁମାର ଦେବତା ଏବଂ ନିର୍ଭୟ ସର୍କୁଲେସନ ବିଭାଗର ନକୁଳ ଭୋଳଙ୍କୁ ପୁରସ୍କୃତ କରାଯାଇଥିଲା । ନିର୍ଭୟର ନିଦେ୍ର୍ଧଶକ ମମତା ଦାସ ଅତିଥିମାନଙ୍କୁ ଉପହାର ପ୍ରଦାନ କରିଥିଲେ ।

 

0
0
0
s2sdefault