ହେଡଲାଇନସ୍:

ଗୋପବନ୍ଧୁଙ୍କ ସମଗ୍ର ଜୀବନ ଦେଶବାସୀଙ୍କ ପାଇଁ ସମର୍ପିତ ଥିଲା: ରାଷ୍ଟ୍ରପତି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ୯୬ତମ ଶ୍ରାଦ୍ଧୋତ୍ସବରେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର,୬ା୭: ସ୍ବଳ୍ପ ଜୀବନକାଳ ମଧ୍ୟରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଯେଉଁସବୁ କାର୍ଯ୍ୟ କରିଛନ୍ତି, ତା’ର ମୂଲ୍ୟାୟନ ସମ୍ଭବ ନୁହେଁ। ତାଙ୍କ ପରି ଜଣେ ମହାମନୀଷୀଙ୍କ ଆଦର୍ଶରେ ଉତ୍ତରପିଢ଼ି ଅନୁପ୍ରାଣିତ ହୋଇ ଜାତି-ଦେଶପ୍ରେମ ପ୍ରଜ୍ବଳିତ କରିପାରିଲେ, ତାହା ସେହି ମହାନ ପୁରୁଷଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି।
ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ତମ ଶ୍ରାଦ୍ଧୋତ୍ସବ ଜୟଦେବ ଭବନରେ ଶନିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଲେ, ଗୋପବନ୍ଧୁଙ୍କ ସମଗ୍ର ଜୀବନ ଦେଶବାସୀଙ୍କ ପାଇଁ ସମର୍ପିତ ଥିଲା। ବ୍ୟକ୍ତିସ୍ବାର୍ଥ ଅପେକ୍ଷା ସମୂହ ସ୍ବାର୍ଥକୁ ସେ ଗୁରୁତ୍ବ ଦେଉଥିଲେ। ରାଜ୍ୟପାଳ ରଘୁବର ଦାସ କହିଲେ, ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଗୋପବନ୍ଧୁ ପ୍ରଭାବିତ ହୋଇଥିଲେ। ଗାନ୍ଧୀଙ୍କ ଅହିଂସା ଆନ୍ଦୋଳନରେ ସେ ଥିଲେ ସାରଥି। ତାଙ୍କ ଦ୍ବାରା ପ୍ରତିଷ୍ଠିତ ‘ସମାଜ’ ଏକ ବିରାଟ ଅନୁଷ୍ଠାନରେ ପରିଣତ ହୋଇଛି। ଗରିବ ପିଲାଙ୍କୁ ଶିକ୍ଷାଦାନ ପାଇଁ ‘ସମାଜ’ ପ୍ରତିବର୍ଷ ଛାତ୍ରବୃତ୍ତି ପ୍ରଦାନ କରି ସାମାଜିକ ପ୍ରତିବଦ୍ଧତାକୁ ପ୍ରମାଣିତ କରୁଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଲେ, ଗୋପବନ୍ଧୁ ଥିଲେ ସାମାଜିକ ଚେତନାର ବାର୍ତ୍ତାବହ। ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ଗରିବଙ୍କ ବିକାଶ ପାଇଁ ଅନେକ ଜନକଲ୍ୟାଣକାରୀ ଯୋଜନା ପ୍ରଣୟନ କରିଛନ୍ତି। ଓଡ଼ିଶାର ଅସ୍ମିତା ଓ ପ୍ରଗତି ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ, ଗୋପବନ୍ଧୁ ତାଙ୍କ ସମଗ୍ର ଜୀବନକୁ ଜନକଲ୍ୟାଣରେ ବିନିଯୋଗ କରିଥିଲେ। ବାଲ୍ୟକାଳରୁ ଜୀବନର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ସେ ସମାଜକୁ ସର୍ବସ୍ୱ ସମର୍ପିତ କରିଥିଲେ। ୨୦୩୬ର ନୂଆ ଓଡ଼ିଶା ଗଠନ ଦିଗରେ ଆମେ ଅଗ୍ରସର ହେଉଥିବାବେଳେ ଗୋପବନ୍ଧୁଙ୍କ ପରି ଅମୂଲ୍ୟ ବ୍ୟକ୍ତିଙ୍କ ବୌଦ୍ଧିକ ସମ୍ପଦ ଓ ମୂଲ୍ୟବୋଧକୁ ପୁନଃସ୍ଥାପିତ କରିବାର ପ୍ରାସଙ୍ଗିକତା ରହିଥିବା ଶ୍ରୀ ପ୍ରଧାନ କହିଥିଲେ।
ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାଜକୁମାର ଚୋପ୍ରା କାର୍ଯ୍ୟକ୍ରମରେ ସଭାପତିତ୍ବ କରି କହିଲେ, ଗୋପବନ୍ଧୁ ଥିଲେ ଓଡ଼ିଶାର ଗାନ୍ଧୀ। ଓଡ଼ିଶାର ସାହିତ୍ୟ, ସଂସ୍କୃତି, ଭାଷା ଓ ଶିକ୍ଷାର ବିକାଶ ପାଇଁ ସେ ସାରା ଜୀବନ ସମର୍ପିତ ଥିଲେ। ଗୋପବନ୍ଧୁଙ୍କୁ ଉତ୍ତରପିଢ଼ି ନିକଟରେ ସ୍ମରଣୀୟ କରି ରଖିବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ସ୍ବତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନେବାକୁ ଶ୍ରୀ ଚୋପ୍ରା ନିବେଦନ କରିଥିଲେ।
ସ୍ବାଗତ ଭାଷଣ ଦେଇ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ‘ସମାଜ’ର ସମ୍ପାଦକ ଡ. ପ୍ରଭାସ ଆଚାର୍ଯ୍ୟ କହିଲେ, ଗୋପବନ୍ଧୁଙ୍କ ପରି ମହାମନୀଷୀଙ୍କ ପାଇଁ ଏ ଜାତି ଗର୍ବିତ। ତାଙ୍କୁ ମରଣୋତ୍ତର ଭାରତ ରତ୍ନ ଦେବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପଦକ୍ଷେପ ନେବାକୁ ସେ ନିବେଦନ କରିଥିଲେ। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ବିଦ୍ୟାର୍ଥୀଙ୍କୁ ଅନ୍‌ଲାଇନରେ ଡ. ରାଧାନାଥ ରଥ ଛାତ୍ରବୃତ୍ତି ପ୍ରଦାନ କରିଥିଲେ। ଏହି ଅବସରରେ ‘ଗୋପବନ୍ଧୁଙ୍କ ଶ୍ରାଦ୍ଧସଂଖ୍ୟା’କୁ ଅତିଥିମାନେ ଲୋକାର୍ପିତ କରିଥିଲେ। କାର୍ଯ୍ୟକ୍ରମକୁ ଉପସ୍ଥାପନା କରିଥିଲେ ଅଧ୍ୟାପକ ଡ. ମୃତ୍ୟୁଞ୍ଜୟ ରଥ।

0
0
0
s2sdefault