ହେଡଲାଇନସ୍:

ଭଞ୍ଜନଗରରେ "ଆମ ସଂସ୍କୃତି, ଆମ ଖେଳନା କର୍ମଶାଳା: ୨୦୨୪" ଉଦଯାପିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଂଜନଗର ଗୋଷ୍ଠୀ ଶିକ୍ଷାଧିକାରୀ ଅଧିନସ୍ଥ ବଡକୋଦଣ୍ଡା ଜବାହର ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ "ଆମ ସଂସ୍କୃତି ଆମ ଖେଳନା କର୍ମଶାଳା - ୨୦୨୪" ର ଆଜି ୨୪ ଏପ୍ରିଲ୍ ବୁଧବାର ଦିନ ଉଦଯାପିତ ହୋଇଯାଇଛି।

ବଡକୋଦଣ୍ଡା ଓ ଲାଲସିଂ କ୍ଲଷ୍ଟର ର ମିଳିତ ସହଯୋଗରେ ଦୁଇ ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମର ଆଜି ଥିଲା ଶେଷ ଦିବସ। ଉତ୍କଳୀୟ କଳାକିର୍ତ୍ତୀ, ଐତିହ୍ୟ, ସସ୍କୃତି ଓ ପରମ୍ପରା ର ସୁରକ୍ଷା, ବିକାଶ ଓ ପ୍ରଚାର ପ୍ରସାର ତଥା ଶିକ୍ଷାର୍ଥୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଦକ୍ଷତା, ଲୁକ୍କାୟିତ ପ୍ରତିଭା ଓ ସୃଜନଶୀଳତା ଗୁଣର ବିକାଶ ତଥା ଉନ୍ମୋଚନ ପାଇଁ ଏବଂ ପାଠ୍ୟକ୍ରମ ସହିତ ଆମର କଳା, ସଂସ୍କୃତି ଓ ଐତିହ୍ୟ କୁ ଯୋଡିବା ଉଦ୍ଦେଶ୍ୟରେ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ଗତ ଦୁଇବର୍ଷ ହେଲା ଏହି କାର୍ଯ୍ୟକ୍ରମ ଜାରି ରହିଛି।
ବଡକୋଦଣ୍ଡା କ୍ଲଷ୍ଟର ସିଆରସିସି ଶ୍ରୀ ମୋହନ ସାହୁ ଓ ଲାଲସିଂ କ୍ଲଷ୍ଟର ସିଆରସିସି ଶ୍ରୀ ଦ୍ଵିତୀକୃଷ୍ଣ ଲେଙ୍କାଙ୍କ ମିଳିତ ଉଦ୍ୟମ ଓ ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ବଡକୋଦଣ୍ଡା ଜବାହର ନୋଡାଲ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ଜେନା ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜ୍ୱଳନ ସହ ଉଦଘାଟନ କରି ଏହି କର୍ମଶାଳା ର ମୂଳ ଲକ୍ଷ ଓ ଉଦ୍ଦେଶ୍ୟ ସଂପର୍କରେ ବକ୍ତବ୍ୟ ରଖିଥିଲେ। ଆଜିର ଏହି ଉଦଯାପନୀ ଉତ୍ସବରେ ଅବସରପ୍ରାପ୍ତ ଏବିଇଓ ତଥା ଓଡ଼ିଶା ଅଲଷ୍ଠା ସଂଘ ର ମୁଖ୍ୟ ଉପଦେଷ୍ଟା ଶ୍ରୀ ଜଗବନ୍ଧୁ ଯେନା ଓଡ଼ିଶାର କଳା, ସାହିତ୍ୟ, ସଂସ୍କୃତି, ଐତିହ୍ୟ ଓ ଭାସ୍କର୍ଯ୍ୟ ବିଷୟରେ ଆଲୋକପାତ କରିବା ସହ ଏକ ସୁସ୍ଥ ସମାଜ ଗଠନ ରେ ଶିକ୍ଷାର୍ଥୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଭୂମିକା ,କର୍ତ୍ତବ୍ୟ ଓ ଦାୟିତ୍ଵ ସଂପର୍କରେ ମତ ଉପସ୍ଥାପନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ସିଆରସିସି ତଥା ବର୍ତ୍ତମାନ କ୍ଷତ୍ରିୟବରପୁର ମହାବିଦ୍ୟାଳୟର ଓଡ଼ିଆ ବିଭାଗ ଅଧ୍ୟାପକ ତ୍ରିନାଥ ବେହେରା, ବିରିପଦର ୟୁପି ସ୍କୁଲର ପ୍ରଧାନ ଶିକ୍ଷକ ରାଜେଶ କୁମାର ପ୍ରଧାନ, ବଡକୋଦଣ୍ଡା ଉଚ୍ଚ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ମନୋରଞ୍ଜନ ପଣ୍ଡା ଏବଂ ଗଣେଶ ପଣ୍ଡା ନିଜ ନିଜର ମତାମତ ରଖିଥିଲେ। ଉପସ୍ଥିତ କଳାକାର, ମୃତ୍ତିକା ଓ କାଷ୍ଠ ଶିଳ୍ପୀ ମାନେ ମଧ୍ୟ କଳା, ସଂସ୍କୃତି ଓ ଐତିହ୍ୟ ର ସୁରକ୍ଷା, ବିକାଶ ଓ ପ୍ରଚାର ପ୍ରସାର ଦିଗରେ ନିଜ ଆଭିମୁଖ୍ୟ ପ୍ରଦାନ କରିଥିଲେ।
ଏହି ଅବସରରେ ଉତ୍କଳୀୟ ହସ୍ତକଳା ଓ ଲୋକକଳାର ବିକାଶ ଦିଗରେ ଉଦ୍ୟମ ଜାରି ରଖିଥିବା ହେତୁ ଶିଳ୍ପୀ ସୁରେନ୍ଦ୍ର ପ୍ରଧାନ, ସୁଶାନ୍ତ ସ୍ଵାଇଁ, ମିଟୁ କୁମାର ଜେନା, ସନ୍ତୋଷ ବିଷୋୟୀ ଏବଂ ଅଶୋକ କୁମାର ଭୂୟାଁ ଙ୍କୁ ଉପଢୌକନ, ପୁଷ୍ପଗୁଚ୍ଛ ଓ ସମ୍ବର୍ଦ୍ଧନା ପତ୍ର ଦେଇ ସମ୍ମାନୀତ କରାଯାଇଥିଲା। ଶିକ୍ଷା ଓ ଶିକ୍ଷାୟତନ ର ବିକାଶ, ପ୍ରତ୍ୟେକ କାର୍ଯ୍ୟ ରେ ସକ୍ରିୟ ଅଂଶଗ୍ରହଣ କରି ଦାୟିତ୍ଵ ନିର୍ବାହ, ସମାଜ ପ୍ରତି ଉତ୍ସର୍ଗୀକୃତ ସେବା, ଶିକ୍ଷାର୍ଥୀ ଙ୍କ ପ୍ରତିଭା, ଦକ୍ଷତା ଓ ସୃଜନଶୀଳତା ର ବିକାଶ ପାଇଁ ନିରନ୍ତର ଉଦ୍ୟମ ତଥା ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ପାଇଁ ବଡକୋଦଣ୍ଡା ଜବାହର ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ଜେନା ଙ୍କୁ ବଡକୋଦଣ୍ଡା କ୍ଲଷ୍ଟର ସିଆରସିସି ଓ ଲାଲସିଂ କ୍ଲଷ୍ଟର ସିଆରସିସି ତଥା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ତରଫରୁ ସମ୍ବର୍ଦ୍ଧନା ପତ୍ର, ଉପଢୌକନ ଓ ପୁଷ୍ପଗୁଚ୍ଛ ଦ୍ଵାରା ସମ୍ମାନିତ କରାଯାଇଥିଲା। ଆଜିର ଏହି କର୍ମଶାଳାରେ ଭାଗନେବା ସହ ନିଜର ଉତ୍କର୍ଷତା ପ୍ରଦର୍ଶନ କରିଥିବା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପ୍ରମାଣ ପତ୍ର ଦେଇ ସମ୍ମାନୀତ କରାଯାଇଥିଲା। ବଡକୋଦଣ୍ଡା ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସମସ୍ତ ପ୍ରକାରର ସାହାଯ୍ୟ ସହଯୋଗ କରିଥିଲେ।

0
0
0
s2sdefault