କେନ୍ଦ୍ରାପଡ଼ା, ୧୫/୦୨(ଶାସକ ପ୍ରଶାସକ): ଜିଲ୍ଲା ପ୍ରଶାସନ ପକ୍ଷରୁ ବିଧାନସଭାସ୍ତରୀୟ ମାଷ୍ଟର ପ୍ରଶିକ୍ଷକମାନଙ୍କର ଏକ ଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶ ଯୋଗ ଦେଇ କହିଥିଲେ “ଭାରତୀୟ ନିର୍ବାଚନ ଆୟୋଗଙ୍କ ନୀତି ନିୟମକୁ ଅକ୍ଷରେ ଅକ୍ଷରେ ପାଳନ କରିବାକୁ ହେବ । ସାଧାରଣ ନିର୍ବାଚନ-୨୦୨୪କୁ ମୁକ୍ତ, ଅବାଧ ଓ ନିରପେକ୍ଷ ସହ ଶାନ୍ତିପୂର୍ଣ୍ଣଭାବେ ସମାପନ କରିବାକୁ ସେ ସମସ୍ତଙ୍କୁ ଆହ୍ୱାନ ଜଣାଇଥିଲେ ।
ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ନିଲୁ ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ପୀତାମ୍ବର ସାମଲ, ଉପ-ଜିଲ୍ଲାପାଳ ଶ୍ରୀ ରବିନ୍ଦ୍ର କୁମାର ପ୍ରଧାନ, ଡେପୁଟି କଲେକ୍ଟର (ନିର୍ବାଚନ) ଶ୍ରୀ ରମେଶ ଚନ୍ଦ୍ର ପଣ୍ଡା ପ୍ରମୂଖ ବିଧାନସଭାସ୍ତରୀୟ ମାଷ୍ଟର ପ୍ରଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।
ପୋଲିଙ୍ଗ ପାର୍ଟି ଓ ମତଦାନ ଦିବସର ବ୍ୟବସ୍ଥା, ମତଦାନ ପାଇଁ ଆବଶ୍ୟକ ହେଉଥିବା ଉପକରଣର ବିତରଣ, ସଂଗ୍ରହ ଆଦିର ରିପୋର୍ଟିଂ, ଇଭିଏମ୍ ପ୍ରଶାସନିକ ପଦ୍ଧତି, ନିର୍ବାଚନ ସମୟରେ କ’ଣ କରିବ ଓ କ’ଣ କରିବ ନାହିଁ, ଭୋଟ ଗଣତି ଓ ଫଳାଫଳ ଘୋଷଣା ସମୟରେ ପ୍ରଶାସନିକ କର୍ତବ୍ୟ ଆଦି ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ଜିଲ୍ଲାର ସମସ୍ତ ବିଧାନସଭାସ୍ତରୀୟ ପ୍ରଶିକ୍ଷକମାନେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ।







