-
ମମତା ଯୋଜନାରେ ୬୦ ଲକ୍ଷରୁ ଅଧୂକ ମହିଳା ଉପକୃତ
-
ମମତା ସହାୟତା ବାବଦରେ ଦିଆଗଲାଣି ୨୯୦୦ କୋଟି
-
ସହାୟତା ରାଶି ୧୦,୦୦୦ ଟଙ୍କାକୁ ବୃଦ୍ଧି
-
ମହିଳା ସଶକ୍ତିକରଣକୁ ନବୀନ ସରକାରଙ୍କ ପ୍ରାଥମିକତା
ଭୁବନେଶ୍ୱର, ୧୪/୦୨/୨୦୨୪: ନବୀନ ସରକାର ଗତ ୨୪ ବର୍ଷ ଧରି ଓଡ଼ିଶାରେ ମହିଳାଙ୍କ ବିକାଶ ଓ ସଶକ୍ତକରଣ ପାଇଁ ସବୁବେଳେ କଠିନ ପରିଶ୍ରମ କରିଛନ୍ତି । ମିଶନ ଶକ୍ତି ମାଧ୍ୟମରେ ୬ ଲକ୍ଷ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ୭୦ ଲକ୍ଷ ମହିଳାଙ୍କୁ ସଶକ୍ତ କରାଯାଇଛି । ମମତା ଯୋଜନାରେ ୬୦ ଲକ୍ଷରୁ ଅଧିକ ଗର୍ଭବତୀ ମହିଳା ଓ ମା’ ଉପକୃତ ହୋଇଥିବା ବେଳେ ବିଜେଡି ସରକାର ହିତାଧୁକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଏପର୍ଯ୍ୟନ୍ତ ପ୍ରାୟ ୨୯୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ଇପ୍ସିତା ସାହୁ ଓ ସୋଫିଆ ଆଲାମ ।
ଶ୍ରୀମତୀ ସାହୁ ଓ ଶ୍ରୀମତୀ ଆଲାମ ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଓଡ଼ିଶାର କୋଟି କୋଟି ମହିଳାଙ୍କ ସଶକ୍ତକରଣକୁ ନେଇ ଏଭଳି ଏକ ଐତିହାସିକ ନିଷ୍ପତ୍ତି ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଥିବା ସରକାର ମମତା ଯୋଜନା ସହାୟତାକୁ ୫ ହଜାରରୁ ୧୦ ହଜାର ଟଙ୍କାକୁ ଦ୍ବିଗୁଣିତ କରିଛନ୍ତି । ଏହା ଓଡ଼ିଶାର ଲକ୍ଷ ଲକ୍ଷ ମା' ଓ ରାଜ୍ୟର କୋଟି କୋଟି ମହିଳାଙ୍କ ପ୍ରତି ବିଜେଡି ସରକାରଙ୍କ ଦୃଢ଼ ପ୍ରତିବଦ୍ଧତାକୁ ଦର୍ଶାଉଛି ।
ବର୍ତ୍ତମାନ ମମତା ଯୋଜନା ଅଧୀନରେ ଥିବା ମା’ମାନଙ୍କୁ ଦୁଇଟି କିସ୍ତିରେ ୫୦୦୦ ଟଙ୍କା ମିଳୁଛି । ଏବେ ସେମାନଙ୍କୁ ୬୦୦୦ ଓ ୪୦୦୦ ଟଙ୍କାର ଦୁଇଟି କିସ୍ତିରେ ୧୦,୦୦୦ ଟଙ୍କା ପ୍ରଦାନ କରାଯିବ । ୨୦୨୩ ଅଗଷ୍ଟରୁ ସମସ୍ତ ଯୋଗ୍ୟ ହିତାଧୂକାରୀଙ୍କୁ ଏହି ବନ୍ଧିତ ସହାୟତା ପ୍ରଦାନ କରାଯିବ ଏବଂ ୨୦୨୩ ଅଗଷ୍ଟରୁ ଆଜି ପର୍ଯ୍ୟନ୍ତ ହିତାଧିକାରୀଙ୍କୁ ଫେବୃଆରୀ ୨୦ରୁ ୨୫ତାରିଖ ମଧ୍ୟରେ ଅର୍ଥ ପ୍ରଦାନ କରାଯିବ ।
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶିଶୁ ମୃତ୍ୟୁ ଓ ମାତୃ ମୃତ୍ୟୁ ହାର ପୁଷ୍ଟିହୀନତା ହ୍ରାସ କରିବା ପାଇଁ ୨୦୧୧ ମସିହାରେ ମମତା ଯୋଜନା ଆରମ୍ଭ କରିଥିଲେ । ଓଡ଼ିଶାର ମମତା ଯୋଜନାର ସଫଳତା ଯୋଗୁଁ ଏହାକୁ ଜାତୀୟ ମଡେଲ ଭାବେ ଗ୍ରହଣ କରାଯାଇଛି । ୬ ମାସର ଗର୍ଭଧାରଣ ପରେ ପ୍ରଥମ କିସ୍ତି ୬୦୦୦ ଟଙ୍କା ଏବଂ ଶିଶୁକୁ ୧୦ ମାସ ପୂରିବା ପରେ ଦ୍ଵିତୀୟ କିସ୍ତି ୪୦୦୦ ଟଙ୍କା ପ୍ରଦାନ କରାଯିବ ।
ଏହା ଓଡ଼ିଶାର ମହିଳା ସଶକ୍ତିକରଣ ପ୍ରତି ବିଜେଡି ସରକାରଙ୍କ ଦୃଢ଼ ପ୍ରତିବଦ୍ଧତାକୁ ଦର୍ଶାଉଛି । ଆଜି ଓଡ଼ିଶା ମହିଳା ସଶକ୍ତିକରଣ କ୍ଷେତ୍ରରେ ଏକ ଜାତୀୟ ମାନଦଣ୍ଡ ଏବଂ ମାଇଲଖୁଣ୍ଟ ଭାବେ ସ୍ବୀକୃତି ପାଇଛି ଏବଂ ମମତା ଯୋଜନା ସହାୟତାକୁ ଦ୍ବିଗୁଣିତ କରିବା ଏହି ଯାତ୍ରାରେ ଆଉ ଏକ ସଫଳତା ବୋଲି ବିଜେଡ଼ିର ଦୁଇ ପ୍ରବକ୍ତା କହିଛନ୍ତି ।







