ଅସାମୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ସାମ୍ବାଦିକ ସୁରକ୍ଷା ଆଇନ କାର୍ଯ୍ୟକାରୀ ଦାବି ।
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ସମ୍ପ୍ରତି ସାରା ରାଜ୍ୟରେ ଦିନକୁ ଦିନ ସାମ୍ବାଦିକଙ୍କ ଉପରେ ଅସାମାଜିକ ବ୍ୟକ୍ତିଙ୍କ ଆକ୍ରମଣ ଘଟଣା ବୃଦ୍ଧି ପାଉଥିବା ବେଳେ ଗତ ଶନିବାର ଦିନ ବିଳମ୍ବିତ ରାତ୍ରିରେ ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ପୁଣି ଜଣେ କର୍ତ୍ତବ୍ୟରତ ସାମ୍ବାଦିକଙ୍କ ଉପରେ ଆକ୍ରମଣ ହୋଇଛି । ଏଥର ଆକ୍ରମଣର ଶିକାର ହୋଇଛନ୍ତି "ବଡ଼ ଖବରର" ପ୍ରତିନିଧି ଜ୍ୟୋତି ରଞ୍ଜନ ମହାପାତ୍ର । ସେ ନିଜ କର୍ତ୍ତବ୍ୟ ସମ୍ପାଦନ କରି ଅଫିସରୁ ଘରକୁ ଫେରୁଥିବା ବେଳେ ଦୁର୍ବୁତ୍ତ ମାନେ ଜ୍ୟୋତି ରଞ୍ଜନଙ୍କୁ ଖଣ୍ଡାରେ ମରଣାନ୍ତକ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣ ଘଟଣାକୁ ରାଜ୍ୟ ସାମ୍ବାଦିକ ସଙ୍ଘ (ଏସୟୁଜେ) ଦୃଢ଼ ନିନ୍ଦା କରିବା ସହ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆକ୍ରମଣ ଘଟଣାକୁ ପ୍ରତିବାଦ କରି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ଉଦ୍ଧେଶ୍ୟରେ ସ୍ଥାନୀୟ ଆରକ୍ଷୀ ଅଧିକ୍ଷକ କିମ୍ବା ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କୁ ଏସୟୁଜେ ତରଫରୁ ସ୍ମାରକପତ୍ର ପ୍ରଦାନ କରି ଆସାମୀ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି । ଏହି ପରିପ୍ରେକ୍ଷୀରେ ଏସୟୁଜେ,ଓଡ଼ିଶା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବେଲଗୁଣ୍ଠା ମିଡ଼ିଆ କ୍ଲବ ସଭାପତି ଏଲ.ସତୀଶ ରେଡ୍ଡୀଙ୍କ ନେତୃତ୍ୱରେ ଗଞ୍ଜାମ ଜିଲ୍ଲା ରାଜ୍ୟ ସାମ୍ବାଦିକ ସଙ୍ଘ (ଏସୟୁଜେ) ଭଞ୍ଜନଗର ୟୁନିଟର ବହୁ କର୍ମକର୍ତ୍ତା ଓ ସଦସ୍ୟ ଆକ୍ରମଣ ଘଟଣାକୁ ତୀବ୍ର ନିନ୍ଦା କରିବା ସହ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପି.ସି.ବଡ଼ଜେନାଙ୍କୁ ରାଜ୍ୟ ପୋଲିସ ମହାନିର୍ଦେଶକଙ୍କ ଉଦ୍ଧେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରି ଆସମୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏତଦ୍ ବ୍ୟତୀତ ସାମ୍ପ୍ରତିକ ସ୍ଥିତିରେ ରାଜ୍ୟରେ ସାମ୍ବାଦିକ ମାନଙ୍କ ସୁରକ୍ଷା ବିପନ୍ନ ହେବାରେ ଲାଗିଛି । ଦିନକୁ ଦିନ ସମ୍ବାଦିକଙ୍କ ଉପରେ ଅସାମାଜିକ ବ୍ୟକ୍ତିଙ୍କ ଦ୍ୱାରା ଆକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ସତକୁ ସାମ୍ନାକୁ ଆଣୁଥିବା ସମ୍ବାଦିକଙ୍କ କଣ୍ଠରୋଧ କରିବା ପାଇଁ ଅସାମାଜିକ ବ୍ୟକ୍ତି ମାନେ ନିର୍ଭୟରେ ସାମ୍ବାଦିକଙ୍କୁ ଭୟଭୀତ କରିବା ସହ ଆକ୍ରମଣ କରୁଛନ୍ତି । ଏଭଳି ସ୍ଥିତିରେ ସମ୍ବାଦିକଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ସାମ୍ବାଦିକ ସୁରକ୍ଷା ଆଇନ ଶୀଘ୍ର ଲାଗୁ କରିବା ପାଇଁ ଗଞ୍ଜାମ ଜିଲ୍ଲା ଏସୟୁଜେ ଭଞ୍ଜନଗର ୟୁନିଟ ତରଫରୁ ସ୍ମାରକପତ୍ରରେ ଦାବି କରାଯାଇଛି । ଆକ୍ରମଣ ଘଟଣାକୁ ପ୍ରତିବାଦ କରି ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କୁ ସ୍ମାରକପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ଏସୟୁଜେ ରାଜ୍ୟ ଓ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଏଲ.ସତୀଶ ରେଡ୍ଡୀଙ୍କ ସହ ଏସୟୁଜେ ବରିଷ୍ଠ ସଦସ୍ୟ ଓ ବୟୋଜ୍ୟେଷ୍ଠ ସାମ୍ବାଦିକ ତଥା ବେଲଗୁଣ୍ଠା ମିଡ଼ିଆ କ୍ଲବ ଉପଦେଷ୍ଟା ମାଗୁଣି ମିଶ୍ର , ଏସୟୁଜେ ବରିଷ୍ଠ ସଭ୍ୟ ରାଜକିଶୋର ବିଷୋୟୀ , ଏସୟୁଜେ ବରିଷ୍ଠ ସଭ୍ୟ ତଥା ମିଡ଼ିଆ କ୍ଲବ କୋଷାଧ୍ୟକ୍ଷ ସୂର୍ଯ୍ୟନାରାୟଣ ତ୍ରିପାଠୀ, ଏସୟୁଜେ ସଭ୍ୟ ତଥା ମିଡ଼ିଆ କ୍ଲବ ସମ୍ପାଦକ ନବ କିଶୋର ମହାରଣା ,ବରିଷ୍ଠ ସଭ୍ୟ ଗୁଣ୍ଡିଚା ପ୍ରସାଦ ବେହେରା, ସୁଦାମ ଚରଣ ତ୍ରିପାଠୀ, ଧୋବା ବରଡ଼ ପ୍ରମୁଖଙ୍କ ସହ ଭଞ୍ଜନଗର କବି ସାମ୍ରାଟ ମିଡ଼ିଆ କ୍ଲବର ସାମ୍ବାଦିକ ପୁରୁଷୋତ୍ତମ ମହାପାତ୍ର, ଉଦୟନାଥ ପଣ୍ଡା, ରଞ୍ଜିତ୍ ଜେନା , ସନ୍ତୋଷ ଜେନା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।







