ହେଡଲାଇନସ୍:

ବାତଜ୍ଵର ନିରାକରଣ ନିମନ୍ତେ ଏକକାଳୀନ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ଆସନ୍ତା୧୦ ତାରିଖ ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ଆମ୍ଭ ନୟାଗଡ଼ ଜିଲ୍ଲାର ଦଶପଲ୍ଲା ବ୍ଲକରେ ଫାଇଲେରିଆ ବା ବାତଜ୍ଵର ନିରାକରଣ ନିମନ୍ତେ ‘ଏକକାଳୀନ ସାମୁହିକ ଔଷଧ ସେବନ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ‘ଡି.ଇ.ସି’ ବଟିକା ସହ ‘ଆଲ୍‌ବେଣ୍ଡାଜୋଲ’ ବଟିକା ବୟସ ଅନୁପାତରେ ଗୋଟିଏ ମାତ୍ରାର ଔଷଧ ଲୋକମାନଙ୍କୁ ପ୍ରଶିକ୍ଷିତ ଓ ଦକ୍ଷ ଔଷଧ ପ୍ରଦାନକାରୀମାନେ ପ୍ରତ୍ୟକ୍ଷ ଭାବରେ ଖାଇବାକୁ ଦେବେ । ଏହି ଔଷଧ ପ୍ରଦାନକାରୀମାନେ ହେଲେ – ଆଶାକର୍ମୀ, ଅଙ୍ଗନୱାଡିକର୍ମୀ ଓ ସ୍ୱେଚ୍ଛାସେବୀ । ଏହି ଔଷଧ ଏକ ନିରାପଦ ଔଷଧ ଅଟେ ଏବଂ ଏହାର ସାଧାରଣତଃ କୈାଣସି ପାର୍ଶ୍ବ ପ୍ରତିକ୍ରିୟା ନାହିଁ । ଏହାକୁ ଯେକୌଣସି ସମୟରେ କିଛି ଖାଦ୍ୟ ଖାଇବା ପରେ ଖାଇବା ଉଚିତ୍ I ଯାହାଙ୍କ ଦେହରେ ପୂର୍ବରୁ ଫାଇଲେରିଆ କୀଟାଣୁ ଥୁବେ ଏହି ଔଷଧ ଖାଇଲା ପରେ ସେହି କୀଟାଣୁ ଗୁଡିକ ତୁରନ୍ତ ମରିଯିବା ହେତୁ ସାମାନ୍ୟ କିଛି ପାର୍ଶ୍ଵ ପ୍ରତିକ୍ରିୟା ଦେଖାଦେଇପାରେ, ଯଥା:- ଦେହରେ ନାଲି ନାଲି ଫଳିଯିବା, ସାମାନ୍ୟ ମୁଣ୍ଡ ବୁଲେଇବା, ବାନ୍ତି ବାନ୍ତି ଲାଗିବା କିମ୍ବା ବାନ୍ତି ହେବା, କୌଣସି ଗଣ୍ଠି ପାଖ ହଠାତ୍ ଫୁଲିଯିବା, ଯାହାକିଛି ସମୟ ପରେ ଆପେ ଆପେ ଭଲ ହୋଇଯାଇଥାଏ । ଏହା କୌଣସି କ୍ଷତିକାରକ ବା ଖରାପ ଲକ୍ଷଣ ନୁହେଁ । ଯାହାଙ୍କ ଠାରେ ସେପରି ଦେଖାଦେବ ତାଙ୍କର ଆଶୁ ଚିକିତ୍ସା ବ୍ୟବସ୍ଥା ମଧ୍ୟ ରହିଛି । ସେଥି ପାଇଁ ଜନସାଧାରଣ ବିଚଳିତ ନହେବା ଏବଂ ଔଷଧ ପ୍ରତ୍ୟାଖାନ ନକରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଆସନ୍ତା ୧୦ ତାରିଖ ଦିବା ୧୦ ଘଟିକା ସମୟରେ ଦଶପଲ୍ଲା ସ୍ଥିତ ଆଦର୍ଶ ବିଦ୍ୟାଳୟ ସ୍କୁଲ ପ୍ରାଙ୍ଗଣରେ ବାତଜ୍ଵର ନିରାକରଣ ନିମନ୍ତେ ଏକକାଳୀନ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମର ଶୁଭ ଉଦ୍ଦଘାଟନ କରାଯିବ ବୋଲି ସୂଚନା ଦିଆଯାଇଛି। ଏହି କାର୍ଯ୍ୟକ୍ରମର ବ୍ୟାପକ ସଚେତନତା ପାଇଁ ରୋଟାରୀ କ୍ଲବ ନୟାଗଡ଼ କାର୍ଯ୍ୟ କରୁଛି।

0
0
0
s2sdefault