ହେଡଲାଇନସ୍:

୧୨ତମ ମୋ ସ୍କୁଲ ପରିଚାଳନା ପରିଷଦ ବୈଠକ : ୩୨୭୩ଟି ବିଦ୍ୟାଳୟ ପାଇଁ ୧୧୮କୋଟିରୁ ଉର୍ଦ୍ଧ ଆର୍ଥିକ ସହାୟତା ରାଶି ପ୍ରଦାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଆକାଂକ୍ଷୀ ପାଠ୍ୟକ୍ରମର ସୁପରିଚାଳନା ଓ ତତ୍ତ୍ୱାବଧାନକୁ ଗୁରୁତ୍ୱ

ଭୁବନେଶ୍ୱର,୮ା୨: ‘ମୋ ସ୍କୁଲ ଅଭିଯାନ’ର ୧୨ତମ ପରିଚାଳନା ପରିଷଦର ବୈଠକ ତୋଷାଳୀ ଭବନସ୍ଥିତ ମୋ ସ୍କୁଲ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡି଼କରେ ଆକାଂକ୍ଷୀ ପାଠ୍ୟକ୍ରମର ସଠିକ୍ ପ୍ରଚଳନ, ତତ୍ତ୍ୱାବଧାନ ଓ ପର୍ଯ୍ୟାଲୋଚନା ସହ ‘ମୋ ସ୍କୁଲ’ ପ୍ରକଳ୍ପ ସମ୍ବନ୍ଧରେ ବିଭିନ୍ନ ଆଲୋଚନା ହୋଇଥିଲା । ‘ମୋ ସ୍କୁଲ ଅଭିଯାନ’ର ଅଧ୍ୟକ୍ଷା ଶ୍ରୀମତୀ ସୁସ୍ମିତା ବାଗ୍‌ଚୀ ଏହି ପରିଚାଳନା ପରିଷଦ ବୈଠକର ସଭାପତିତ୍ୱ କରି ବିଦ୍ୟାଳୟମାନଙ୍କରେ ଶିକ୍ଷାର୍ଥୀ କ୍ଲବ୍‌ର ସୁପରିଚାଳନା ସମ୍ପର୍କରେ ପର୍ଯ୍ୟାଲୋଚନା କରିଥିଲେ । ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚମାନର ଶିକ୍ଷା ସୁନିଶ୍ଚିତ କରିବା ପାଇଁ କ୍ଲବ୍‌ର ସଠିକ୍ ପ୍ରଚଳନକୁ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ଏହାସହ କ୍ଲବ୍ ପାଠ୍ୟକ୍ରମର ଏକ ଅଂଶ ଭାବରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷଣୀୟ ଭ୍ରମଣ (ଏକ୍ସପୋଜର ଭିଜିଟ୍ )ର ସୁବିଧା ଯୋଗାଇ ଦେବା ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯିବ । ଚଳିତ ଶିକ୍ଷା ବର୍ଷଠାରୁ ଆରମ୍ଭ ହୋଇଥିବା ଏହି କ୍ଲବ୍ ସିଷ୍ଟମକୁ ଅଧିକ ପ୍ରସାରିତ କରିବା ପାଇଁ ଆଗାମୀ ଶିକ୍ଷା ବର୍ଷଠାରୁ ସହଭାଗିତାକୁ ଅଧିକ ସଦୃଢ଼ କରାଯିବ । ଏହାସହ ୪ଟି କ୍ଲବ୍ ପ୍ରଚଳନରେ ସହଯୋଗ କରିଥିବା ସହଯୋଗୀମାନଙ୍କ ସହ ପ୍ରତି ୨ ମାସକୁ ଥରେ ସମୀକ୍ଷା ବୈଠକର ଆୟୋଜନ କରାଯିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ଶ୍ରୀମତୀ ଅଶ୍ୱଥୀ ଏସ୍‌. ଗୁରତ୍ୱାରୋପ କରିଥିଲେ ।

‘ମୋ ସ୍କୁଲ’ ମାଧ୍ୟମରେ ବିଭିନ୍ନ କର୍ପୋରେଟ୍ ସଂସ୍ଥା ସହଯୋଗରେ ଶିକ୍ଷାର୍ଥୀ କ୍ଲବ୍‌କୁ ଗୁରୁତ୍ୱ ଦେଇ ଛାତ୍ରଛାତ୍ରୀମାନଙ୍କର ଆକାଂକ୍ଷାକୁ ବାସ୍ତବ ରୂପ ଦିଆଯାଇପାରିବ ବୋଲି ଶ୍ରୀମତୀ ବାଗ୍‌ଚୀ ମତବ୍ୟକ୍ତ କରିଥିଲେ । ସେ କହିଥିଲେ, ନିରନ୍ତର ଭାବରେ ବିଦ୍ୟାଳୟ ଶିକ୍ଷଣ ଓ ଭିତ୍ତିଭୂମିରେ ବିକାଶ କରାଯାଉଛି । ଏ ଦିଗରେ ୫-ଟି ଉଚ୍ଚ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମ ବେଶ୍ ସଫଳ ହୋଇପାରିଛି । ଏହି ରୂପାନ୍ତରଣ କାର୍ଯ୍ୟକ୍ରମ ନିକଟ ଅତୀତରେ ଚତୁର୍ଥ ପର୍ଯ୍ୟାୟ ଶେଷ କରିଛି । ବିଦ୍ୟାଳୟ କମିଟିଗୁଡ଼ିକ ସହାୟତାରେ ଏହି ରୂପାନ୍ତରିତ ବିଦ୍ୟାଳୟଗୁଡ଼ିକର ଉପଯୁକ୍ତ ରକ୍ଷଣା ବେକ୍ଷଣା ଦିଗରେ ଆଗାମୀ ଦିନମାନଙ୍କରେ ‘ମୋ ସ୍କୁଲ’ କାର୍ଯ କରିବା ବୋଲି ପରିଚାଳନା ପରିଷଦ ନିଷ୍ପତି ନେଇଛି ।

ଗତ ୬ମାସ ମଧ୍ୟରେ ୩୯ହଜାରରୁ ଉର୍ଦ୍ଧ ପୁରାତନ ଛାତ୍ରଛାତ୍ରୀ ‘ମୋ ସ୍କୁଲ ଅଭିଯାନ’ ସହ ଯୋଡି଼ ହୋଇ ବିଭିନ୍ନ ଜରିଆରେ ସେବା ଓ ଶ୍ରମ ପ୍ରଦାନ କରିଆସୁଛନ୍ତି । ସୂଚନା ଥାଉକି, ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ପ୍ରାଥମିକ, ଉଚ୍ଚପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟ ‘ମୋ ସ୍କୁଲ’ ସହ ଯୋଡ଼ି ହୋଇ ଶିକ୍ଷାର ସର୍ବାଙ୍ଗୀନ ବିକାଶ ପ୍ରକ୍ରିୟାରେ ସାମିଲ ହୋଇଛି । ସେହିପରି ବିଦ୍ୟାଳୟ ପୋଷ୍ୟ ଗ୍ରହଣ କାର୍ଯ୍ୟକ୍ରମ ଅଧିନରେ ମୋଟ୍ ୧୩୮୦ଟି ବିଦ୍ୟାଳୟକୁ ସରକାରୀ ସ୍କୁଲରେ ପାଠ ପଢ଼ିଥିବା ବିଭିନ୍ନ ବିଶିଷ୍ଠ ବ୍ୟକ୍ତି ବିଶେଷ ପୋଷ୍ୟ ଭାବରେ ଗ୍ରହଣ କରି ପ୍ରତ୍ୟକ୍ଷ ତଥା ପରୋକ୍ଷ ଭାବରେ ବିଦ୍ୟାଳୟ ବିକାଶ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି । ‘ମୋ ସ୍କୁଲ’ର ବିଭିନ୍ନ ସହଯୋଗୀମାନଙ୍କ ସହଭାଗିତାରେ ପୁରାତନ ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟ ସହ ଯୋଡି ଛାତ୍ରଛାତ୍ରୀମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ କରାଯିବ । ସେମାନଙ୍କର ପାଠ୍ୟକ୍ରମ ଓ ସହ-ପାଠ୍ୟକ୍ରମ ରୁଚି ଆଧାରିତ ଭବିଷ୍ୟତ ଗଠନରେ ଏହା ବିଶେଷ ଭାବରେ ସହାୟକ ହେବ ।

ଆରମ୍ଭରେ ପୂର୍ବ ପରିଚାଳନା ପରିଷଦ ବୈଠକରେ ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ଆଲୋଚନା କରାଯାଇଥିଲା । ପରିଷଦର ଉପସଭାପତି ତଥା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ଶ୍ରୀମତୀ ଅଶ୍ୱଥୀ ଏସ୍ ବିଭିନ୍ନ ବିଦ୍ୟାଳୟରେ ଚାଲିଥିବା ପ୍ରକଳ୍ପଗୁଡି଼କର ସମୀକ୍ଷା ଓ ଆରମ୍ଭ ହୋଇନଥିବା ପ୍ରକଳ୍ପଗୁଡି଼କ ଶୀଘ୍ର ଆରମ୍ଭ କରିବା ପାଇଁ ଗୁରୁତ୍ୱ ଦେଇଥିଲେ । ବୈଠକରେ ବିଭାଗୀୟ ଅତିରିକ୍ତ ସଚିବ ଶ୍ରୀଯୁକ୍ତ ଦୁର୍ଗାପ୍ରସାଦ ମହାପାତ୍ର, ସ୍ୱତନ୍ତ୍ର ସଚିବ ତଥା ବିତ୍ତପରାମର୍ଶଦାତା ଶ୍ରୀଯୁକ୍ତ ରତିକାନ୍ତ ମହାପାତ୍ର, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ଉନ୍ନୟନ, ସଂଖ୍ୟଲଘୁ, ସଂପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ଯୁଗ୍ମ ସଚିବ ଶ୍ରୀଯୁକ୍ତ ଟୁକୁ ବାରିକ, ମୋ ସ୍କୁଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମରଜିତ ଜେନା, ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡା଼, ଢ଼େଙ୍କାନାଳ ଜିଲ୍ଲାପାଳ ଶ୍ରୀ ମନୋରଞ୍ଜନ ମଲ୍ଲିକ୍‌, ମୋ ସ୍କୁଲର ମୁଖ୍ୟ ପରିଚାଳନା ଅଧିକାରୀ ଶ୍ରୀମତୀ ରାଜଲକ୍ଷ୍‌ମୀ ଦାଶ, ଭାରପ୍ରାପ୍ତ ଆଧିକାରୀ ଡଃ ମଣୀପ୍ରସାଦ ମିଶ୍ରଙ୍କ ସମେତ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀ ଯୋଗ ଦେଇଥିଲେ ।

0
0
0
s2sdefault