ହେଡଲାଇନସ୍:

ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀରେ ନିଆଯାଇଛି ୧୮ ଟି ନିଷ୍ପତ୍ତି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଧାନସଭାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିମନ୍ତ୍ରୀ ଶ୍ରୀଅଶ୍ୱିନୀକୁମାର ପାତ୍ରଙ୍କ ବିବୃତ୍ତି

ଭୁବନେଶ୍ୱର : ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀର ବିଭିନ୍ନ ଅଧିବେଶନରେ ଆଲୋଚିତ ବିଷୟ ଓ ପ୍ରବାସୀ ଓଡ଼ିଆମାନଙ୍କ ସହିତ୫-ଟି (5T)ଅଧ୍ୟକ୍ଷଙ୍କ ଆଲୋଚନାର ଆଧାରରେ ନିମ୍ନୋକ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ସବୁ ନିଷ୍ପତ୍ତିକୁ ମୁଖ୍ୟମନ୍ତ୍ରୀଙ୍କ ୫-ଟି (5T)ପଦକ୍ଷେପ ଅଧୀନରେ ସ୍ୱଚ୍ଛ ଓ ସମୟାନୁବଦ୍ଧ ଭାବେ କାର୍ଯ୍ୟକାରୀ କରାଯିବ ବୋଲି ବିଧାନସଭାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶ୍ୱିନୀକୁମାର ପାତ୍ରଙ୍କ ବିବୃତ୍ତି ମାଧ୍ୟମରେ ପ୍ରକାଶ କରିଛନ୍ତି |
ସେଇ ନିଷ୍ପତ୍ତି ଗୁଡିକ ଏହିପରି :
୧. ଓଡ଼ିଆ ଭାଷାରେ ଅନ୍ତର୍ଜାତୀୟ ଓ ଜାତୀୟ ସ୍ତରରେ ଗବେଷଣା ନିମନ୍ତେ ୧୦ କୋଟି ଟଙ୍କା ଅନୁଦାନରେ ଏକ କର୍ପସ ପାଣ୍ଠି ଗଠନ କରାଯିବ। ସତ୍ୟବାଦୀରେ ପ୍ରତିଷ୍ଠିତ ଓଡ଼ିଆ ବିଶ୍ୱ ବିଦ୍ୟାଳୟ ଜରିଆରେ ଏହା କାର୍ଯ୍ୟକାରୀ ହେବ।
୨. ଓଡ଼ିଆ ଭାଷାକୁ ଡିଜିଟାଲ ପଦ୍ଧତି ସହ ସମନ୍ଵିତ କରିବା ପାଇଁ ପ୍ରତିବର୍ଷ ଏକ ଅନ୍ତର୍ଜାତୀୟ ଡିଜିଟାଲ ଓଡ଼ିଆ ସମ୍ମିଳନୀ ଆୟୋଜନ ମାଧ୍ୟମରେ ବିଶେଷଜ୍ଞ ଓ ଭାଷାବିତ୍‌ମାନଙ୍କୁ ଏକାଠି କରାଯିବ।
୩. କମ୍ପ୍ୟୁଟର କି-ବୋର୍ଡ ଏବଂ ଫଣ୍ଟରେ ବ୍ୟବହୃତ ଲିପିର ମାନକୀକରଣ (Standardisation)ନିମନ୍ତେ ଏକ ବିଶେଷଜ୍ଞ କମିଟି ଗଠନ କରାଯିବ। ଏହି କମିଟି ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହାର କାର୍ଯ୍ୟକାରିତା ନିମନ୍ତେ ପ୍ରସ୍ତାବ ଦେବେ।
୪. ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ୧,୫୦୦ ହାଇସ୍କୁଲରେ ସ୍ଵତନ୍ତ୍ର ଭାବେ ଓଡ଼ିଆ ଶିକ୍ଷକ ନିଯୁକ୍ତି ଦେବେ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସମସ୍ତ ହାଇସ୍କୁଲ ଏହି କାର୍ଯ୍ୟକ୍ରମର ଅନ୍ତର୍ଭୁକ୍ତ ହେବେ।
୫. ୧୦୦ ବର୍ଷରୁଊର୍ଦ୍ଧ୍ୱ ସ୍କୁଲ ଓ କଲେଜଗୁଡିକୁ ୧ କୋଟି ଟଙ୍କାଓ ସ୍ଵାଧୀନତା ପୂର୍ବର ବିଶ୍ୱବିଦ୍ୟାଳୟକୁ ୨କୋଟି ଟଙ୍କାର ଐତିହ୍ୟ ଅନୁଦାନ ଯୋଗାଇ ଦିଆଯିବ। ଏହା ଆମ ଓଡ଼ିଆ-ମାଧ୍ୟମ ଶିକ୍ଷା ବ୍ୟବସ୍ଥାର ସୁରକ୍ଷା ଓ ଅଭିବୃଦ୍ଧି ପାଇଁ ବ୍ୟବହୃତ ହେବ।
୬. ଏକ ଅନୁବାଦ ନୀତି ପ୍ରଣୟନ କରି ଭାରତବର୍ଷ ତଥା ବିଶ୍ଵର ଅନ୍ୟାନ୍ୟ ଭାଷାରେ ଓଡ଼ିଆ ପୁସ୍ତକର ଅନୁବାଦ ପାଇଁ ଅନୁଦାନର ବ୍ୟବସ୍ଥା କରାଯିବ।
୭.ବିଭିନ୍ନ ବିଷୟରେ ଓଡ଼ିଆ ଭାଷାର ବ୍ୟବହାରକୁ ସରଳ ଓ ସୁଗମ କରିବା ପାଇଁ ଏକ ସଂଶୋଧିତ ଶବ୍ଦାବଳୀ ଓ ଶବ୍ଦକୋଷ ପ୍ରସ୍ତୁତ କରିବା ନିମନ୍ତେଓଡ଼ିଆ ଶବ୍ଦକୋଷ କମିଟି ଗଠନ କରାଯିବ।
୮.ଓଡ଼ିଆ ଭାଷାରେ ବିଜ୍ଞାନ, ବୈଷୟିକ ଶିକ୍ଷା ଓ ଡାକ୍ତରୀ ପାଠ୍ୟକ୍ରମକୁ ପ୍ରୋତ୍ସାହିତ କରିବା ନିମନ୍ତେ ଏକ ମଧ୍ୟବର୍ତ୍ତିକାଳୀନ ନୀତି ପ୍ରଣୟନ କରାଯିବ।
୯.ବର୍ତ୍ତମାନ ଓ ଭବିଷ୍ୟତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଓଡ଼ିଆ ଭାଷାରେ ପ୍ରୟୋଜନଥିବା ପ୍ରାସଙ୍ଗିକ ପୁସ୍ତକ ପ୍ରକାଶନ ପାଇଁ ରାଜ୍ୟ ସରକାର ପ୍ରୋତ୍ସାହନ ଯୋଗାଇଦେବେ।
୧୦.ଭବିଷ୍ୟତ ପିଢ଼ିଙ୍କମଧ୍ୟରେ ଓଡ଼ିଆ ଭାଷାକୁ ଲୋକପ୍ରିୟ କରିବା ପାଇଁ ନିର୍ଦ୍ଧାରିତ ସମୟସୀମାରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଗ୍ରହଣ କରାଯିବ। ଏଥିରେ ପ୍ରତିବର୍ଷ ଓଡ଼ିଆ ଭାଷାର ୧୦୦ ଜଣ ଉଦୀୟମାନ ପ୍ରତିଭାଙ୍କୁ ଚୟନ କରାଯିବ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ସେମାନଙ୍କୁ ସମ୍ମାନିତ କରାଯିବ। ଭାଷା ବୃତ୍ତି ପୁରସ୍କାର ରାଶିର ପରିମାଣ ଓ ସଂଖ୍ୟା ବୃଦ୍ଧି କରାଯିବ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଓଡ଼ିଆ ବକ୍ତୃତା ପ୍ରତିଯୋଗିତା ପାଇଁ ‘ମୁଖ୍ୟମନ୍ତ୍ରୀ କପ୍‌’ ଆରମ୍ଭ କରାଯିବ।
୧୧.ରାଜ୍ୟରେ ଯୁବଗୋଷ୍ଠୀଙ୍କ ମଧ୍ୟରେ ପଠନ ଅଭ୍ୟାସ ବୃଦ୍ଧି ପାଇଁ ସର୍ବସାଧାରଣ ପାଠାଗାର ଅଭିଯାନ ଆରମ୍ଭ କରାଯିବ। ଭାରତବର୍ଷ ମଧ୍ୟରେ ଓ ବାହାରେ ଥିବା ଓଡ଼ିଆ ସଂଗଠନଗୁଡିକୁ ଏହି ଓଡ଼ିଆପାଠାଗାର ସ୍ଥାପନ ପାଇଁ ସହଯୋଗ ଯୋଗାଇଦିଆଯିବ।
୧୨. ରାଜ୍ୟ ଓ ଦେଶ-ବିଦେଶରେ ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପାଇଁ ଓଡ଼ିଆ ଭାଇଭଉଣୀମାନଙ୍କ ଭିତରେ ସ୍ଵେଚ୍ଛାକୃତ ମନୋଭାବର ବିକାଶ ଉଦ୍ଦେଶ୍ୟରେ ରାଜ୍ୟ ସରକାର ପ୍ରୋତ୍ସାହନ ଯୋଗାଇଦେବେ।
୧୩. କଟକସ୍ଥିତ ପ୍ରିଣ୍ଟିଂ ମ୍ୟୁଜିୟମକୁ ‘ଜାତୀୟ ମ୍ୟୁଜିୟମ’ରୂପେ ପରିବର୍ଦ୍ଧିତ କରାଯିବ ଏବଂ ଏଥିରେ ସାରା ବିଶ୍ୱର ମୁଦ୍ରଣପରମ୍ପରା ପ୍ରଦର୍ଶିତ କରାଯିବ।
୧୪. ଓଡ଼ିଶା ନୌବାଣିଜ୍ୟ ଏବଂ ଦକ୍ଷିଣ-ପୂର୍ବ ଏସୀୟ ପ୍ରତିଷ୍ଠାନକୁ (OIMSEAS) ଏକ ଉତ୍କର୍ଷ କେନ୍ଦ୍ରରୂପେବିକଶିତ କରାଯିବ । ଏଥିପାଇଁ ବର୍ଷକୁ ୨ କୋଟି ଟଙ୍କାର ଅନୁଦାନ ଦିଆଯିବ।
୧୫. ଓଡ଼ିଆ ଭାଷାରେ ଶିଶୁସାହିତ୍ୟର ବିକାଶ ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ ଓ ପ୍ରୋତ୍ସାହନ ଯୋଗାଇଦେବେ।
୧୬.ଭାରତ ତଥା ବିଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଚେୟାର ପ୍ରତିଷ୍ଠା ପାଇଁ ପଦକ୍ଷେପ ନିଆଯିବ। ପ୍ରାରମ୍ଭରେ ୫ଟି ବିଶ୍ୱବିଦ୍ୟାଳୟରେଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଓଡ଼ିଆ ଅଧ୍ୟୟନବିଷୟକ ଏକ ବାର୍ଷିକ ଆନ୍ତର୍ଜାତିକ ଗବେଷଣା ପତ୍ରିକା ( International Journal of Odia Studies ) ଓଡ଼ିଆବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ହେବ ।
୧୭. ଓଡ଼ିଶା ବାହାରେ ବସବାସ କରୁଥିବା ଓଡ଼ିଆମାନଙ୍କ ପାଇଁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଏକଓଡ଼ିଆ ଲର୍ଣ୍ଣିଂ ମ୍ୟାନେଜମେଣ୍ଟ ସିଷ୍ଟମ (OLMS) ପ୍ରସ୍ତୁତ କରାଯିବ । ଏହାଦ୍ଵାରା ଓଡ଼ିଶା ତଥା ଓଡ଼ିଶା ବାହାରେ ବସବାସ କରୁଥିବା ଛାତ୍ର-ଛାତ୍ରୀମାନେ ଅନଲାଇନରେ ଓଡ଼ିଆ ଭାଷା ଶିକ୍ଷା କରିବାସହିତ ସାର୍ଟିଫିକେଟ ମଧ୍ୟ ହାସଲ କରିପାରିବେ । ଏହି ସମସ୍ତ ସୁବିଧା ଓଡ଼ିଆ ଭର୍ଚୁଆଲ ଏକାଡେମୀ ଓ୍ୱେବସାଇଟରେ ଉପଲବ୍ଧ ହେବ ।
୧୮.ମୂଲ୍ୟବାନ୍‍ନଥିପତ୍ରଗୁଡିର ଉପଯୁକ୍ତ ପଞ୍ଜୀକରଣ, ସଂରକ୍ଷଣ ଓ ପ୍ରସାରଣ ପାଇଁସଂଗ୍ରହାଳୟ ଏବଂ ଅଭିଲେଖାଗାରକୁ ଯଥେଷ୍ଟ ଆର୍ଥିକ ଅନୁଦାନ ପ୍ରଦାନ କରାଯିବ।

0
0
0
s2sdefault