ହେଡଲାଇନସ୍:

ଦାମଙ୍କୁ ଗଛରେ ଚଢାଇ ଛେଦି ଦେଲେ କି ଜୟ !

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି)- ପୂର୍ବତନ ମନ୍ତ୍ରୀ ଦାମବାବୁ ଓ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଯୋଡ଼ିକୁ ନେଇ ବାରିପଦା ସହରର ଜନସାଧାରଣଙ୍କ ମଧ୍ୟ ଚର୍ଚ୍ଚା ଯୋର ଧରିଛି । କେହି କେହି ଜଗା- ବଳିଆ ଯୋଡ଼ି ବୋଲି କହୁଥିବା ବେଳେ କେତେକ ରାମ-ଲକ୍ଷ୍ମଣ ଯୋଡ଼ି ବୋଲି କହିବାରେ ଲାଗିଛନ୍ତି । ତେବେ ଏହି ଯୋଡ଼ିରେ ନା ରହିଛି ଜଗା-ବଳିଆ ଅଥବା ରାମ-ଲକ୍ଷ୍ମଣଙ୍କ ଭାତୃତ୍ୱ ଭାବ । ହାବଭାବ ଭିନ୍ନ ଦିଗକୁ ଇସାରା କରୁଛି । ଏହା ବୈଜୟନ୍ତଙ୍କ ଦାମବାବୁଙ୍କୁ ଗଛ ଚଢ଼ାଇ ମୂଳ ଚ୍ଛେଦନ ବୋଲି ଜନସାଧାରଣରେ ହେଉଥିବା ଚର୍ଚ୍ଚାରୁ ଜଣାପଡ଼ିଛି ।

ଅକ୍ଟୋବର ୨୨ରେ ବାରିପଦା ଛଉ ପଡ଼ିଆରେ ମୟୂରଭଞ୍ଜ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦୁର୍ନୀତି-ଭ୍ରଷ୍ଟାଚାର ବିରୋଧରେ ଏକ ଜନସମାବେଶର ଆୟୋଜନ କରାଯାଇଥିଲା । କମିଟିର ଆବାହକ ତଥା ସାଧାରଣ ସମ୍ପାଦକ ଅବନୀ ମହାନ୍ତଙ୍କ ସୂତ୍ରରୁ ପ୍ରାପ୍ତ ସୂଚନା ଆଧାରରେ ଉକ୍ତ ସମାବେଶରେ ଯୋଗ ଦେବା ନିମନ୍ତେ ପୂର୍ବତନ ମନ୍ତ୍ରୀ ଦାମବାବଙ୍କୁୁ ନିୟୋତା ଦିଆ ଯାଇଥିଲା । ଏହାପରେ ଦାମବାବୁଙ୍କ ସୁପାରିଶ କ୍ରମେ ପୂର୍ବତନ ସାଂସଦ ବୈଜୟନ୍ତବାବୁଙ୍କୁ ମଧ୍ୟ କମିଟି ପକ୍ଷରୁ ଅତିଥି କରାଯାଇଥିଲା । କମିଟିର ଆବାହକ ଶ୍ରୀମହାନ୍ତଙ୍କ କହିବା ଅନୁସାରେ, ବିଜଦରୁ ଦାମବାବୁଙ୍କୁ ବହିଷ୍କାର କରାଯିବା ପରେ ସେ ବିଜଦ ସରକାରରେ ଦୁର୍ନୀତି ବିଷୟରେ କହିବା ଆରମ୍ଭ କରିଥିଲେ ଓ ମୟୂରଭଞ୍ଜ ମିଳିତ କ୍ରିୟାନୁଷ୍ଠାନ କମିଟି ଦୁର୍ନୀତି-ଭ୍ରଷ୍ଟାଚାର ବିରୋଧରେ ମହାସଂଗ୍ରାମ ଆରମ୍ଭ କରିଥିବାରୁ ଉଭୟଙ୍କ ଲକ୍ଷ ଗୋଟାଏ ରହିଥିଲା । ତେଣୁ କମିଟି ଦାମବାବୁଙ୍କୁ ଅତିଥି କରିବା ସଂଗେସଂଗେ ଦାମବାବୁଙ୍କ କହିବା ଅନୁସାରେ ବୈଜୟନ୍ତବାବୁଙ୍କୁ ମଧ୍ୟ ଅତିଥି କରିଥିଲୁ । ସମାବେଶରେ ଯୋଗ ଦେବା ନିମନ୍ତେ ଅକ୍ଟୋବର ୨୦ରେ ଉଭୟ ଆସି ବାଲେଶ୍ୱରରେ ବିଶ୍ରାମ ନେବାପରେ ୨୧ରେ ବାରିପଦା ଆସୁଥିଲେ । ମାତ୍ର ରାସ୍ତାରେ ବୈଜୟନ୍ତବାବୁ ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ କଳମାରୁ ଭୂବନେଶ୍ୱର ଫେରିଯାଇଥିଲେ । ପୁଣି ଆମ ନିକଟକୁ ଆସିଥିବା ମେସେଜରୁ ଜଣାପଡେ଼ ଦିଲ୍ଲୀରୁ ଜରୁରୀ ଡ଼କରା ଆସିବାରୁ କାର୍ଯ୍ୟକ୍ରମରେ ଯୋଗ ଦେଇନପାରି ଫେରିଯିବାକୁ ବାଧ୍ୟ ହୋଇଥିଲେ ବୋଲି କହିଥିଲେ ।

କିନ୍ତୁ ଘଟଣାକୁ ଭିନ୍ନ ରୂପରେ ଦେଖିବାକୁ ଲାଗିଛନ୍ତି ବାରିପଦାବାସୀ । ଦାମବାବୁଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ବୈଜୟନ୍ତବାବୁ ଯୋଗ ଦେବେ ବୋଲି ପ୍ରଚାର କରାଯାଉଥିଲେ ମଧ୍ୟ ବୈଜୟନ୍ତବାବୁ ଅନୁପସ୍ଥିତ ରହୁଛନ୍ତି । ଏହି ଅନୁପସ୍ଥିତିକୁ ଦାମବାବୁଙ୍କ ସହିତ ବୈଜୟନ୍ତଙ୍କ ସମଦୂରତ୍ୱ ରକ୍ଷା ବୋଲି କୁହାଯାଉଛି । ଯଦି ଦାମବାବୁ ଓ ବୈଜୟନ୍ତବାବୁ ଏକ ହୋଇ ବିଜେଡ଼ିର ଭ୍ରଷ୍ଟାଚାର ବିରୋଧରେ ସଂଗ୍ରାମ ଚଳାଇଥାନ୍ତେ ତେବେ ଉଭୟଙ୍କୁ ପ୍ରତ୍ୟେକ ସମାବେଶରେ ଦେଖିବାକୁ ମିଳୁଥାନ୍ତା । କିନ୍ତୁ ତାହା ସମ୍ଭବ ହୋଇପାରୁ ନ ଥିବାରୁ ବୈଜୟନ୍ତ ବାବୁ ଦାମବାବୁଙ୍କୁ ବିଜଦ ବିରୋଧରେ ବ୍ୟବହାର କରୁଥିବା ଦିଗ ପ୍ରତି ସାଧାରଣ ଜନତା ଅଙ୍ଗୁଳି ଉଠାଉଛନ୍ତି । ପୂର୍ବତନ ସାଂସଦ ବୈଜୟନ୍ତ ଦାମବାବୁଙ୍କ ବିବାଦୀୟ ମନ୍ତବ୍ୟକୁ ଭୟ କରୁଛନ୍ତି କି ଏବଂ ନିଜର ଭାବମୂର୍ତ୍ତିରେ ଆଞ୍ଚ ଆସିବା ଭୟରେ ଦାମବାବୁଙ୍କ ସହିତ ଗୋଟାଏ ମଞ୍ଚରେ ଜାଣିଶୁଣି ଯୋଗ ଦେଉନାହାନ୍ତି କି । ଏହି ଭଳି ବିଭିନ୍ନ ପ୍ରଶ୍ନ ବାରିପଦାବାସୀଙ୍କ ମଧ୍ୟରେ ଉଙ୍କି ମାରୁଥିବା ବେଳେ ବାରିପଦା ମଞ୍ଚରେ ବୈଜୟନ୍ତ ଯୋଗ ନ ଦେବା ଗୋଟାଏ ପକ୍ଷେ ଭଲ ହୋଇଛି । ନଚେତ ତାଙ୍କୁ ୮ ଶହ କୋଟିର ବିଦ୍ୟୁତ ଶୁଳ୍କ ବକେୟାକୁ ନେଇ ଜନସାଧାରଣ ପଚାରିଥିବା ପ୍ରଶ୍ନର ଉତ୍ତର ରଖିବାକୁ ପଡ଼ିଥାନ୍ତା । ବୈଜୟନ୍ତ ଏ ବିଷୟରେ ବୋଧେ ଅନୁମାନ କରି ଥିଲେ ଯେ ପ୍ରଶ୍ନବାଣର ସମ୍ମୁଖୀନ ହେବାକୁ ପଡିବ | ସେଥିପାଇଁ ବୋଧ ହୁଏ ସେ ଆସିଲେ ନାହିଁ ନା ଦାମ ବାବୁଙ୍କ ସହ ବିବାଦୀୟ ମଂଚରେ ଉପସ୍ଥିତ ହେବାକୁ ଚାହିଁଲେ ନାହିଁ ! ତେଣୁ ଅଧା ବାଟରୁ ଆସି ଫେରିଗଲେ ଡବଲ ବେନିଫିଟ | ଆୟୋଜକ ଓ ଦାମ ବାବୁ ଜାଣିବେ ସେ ଆସୁଥିଲେ, ଦେହ ଖରାପ ଯୋଗୁ ପଳାଇଲେ | ସେପଟେ ଦାମ ବାବୁଙ୍କ ସହ ବିବାଦୀୟ ସଭାରେ ଯୋଗଦାନକୁ ଏଡାଇ ଦେଇ ହେବ !! ସେହିପରି ବରିଷ୍ଠ ସାମ୍ବାଦିକ ରବି ଦାସ ମଧ୍ୟ ମଞ୍ଚରେ ଅନୁପସ୍ଥିତ ରହିଥିଲେ ।

0
0
0
s2sdefault