ଭଞ୍ଜନଗର ରୁ {ଉଦୟନାଥ ପଣ୍ଡା}: ଆଜିର ଦୁନିଆରେ ସମସ୍ତେ ତେଲ ଲୁଣ ସଂସାର ପାଇଁ ସ୍ଵାର୍ଥ ପଛରେ ଧାଇଁ ଥାନ୍ତି, ହେଲେ ସମାଜରେ ଏମିତି କିଛି ବ୍ୟକ୍ତି ବିଶେଷ ଅଛନ୍ତି ଯେଉଁମାନେ ନିଃସ୍ଵାର୍ଥପର ଭାବରେ କାର୍ଯ୍ୟ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜିଥାନ୍ତି ଓ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଥାନ୍ତି। ଜନସାଧାରଣଙ୍କୁ ନୂତନ ସମ୍ଭାବନା ଗୁଡିକର ବାର୍ତ୍ତା ପ୍ରେରଣ କରିବାର ଏକ ମାଧ୍ୟମ ହୋଇଥାନ୍ତି। ଏହି ପରି ଜଣେ ବ୍ୟକ୍ତି ହେଉଛନ୍ତି ଗଂଜାମ ଜିଲ୍ଲା ଭଂଜନଗର ବ୍ଲକର ବରିଷ୍ଠ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଏସ୍ ଧନଞ୍ଜୟ ।
ତାଙ୍କୁ ଜାଣିବା ପାଇଁ ନାମ ହିଁ ଯଥେଷ୍ଟ। ନାମ ଯେପରି କାମ ତାଠାରୁ ଟିକେ ଅଧିକା। କର୍ମ ହିଁ ତାଙ୍କର ଏକମାତ୍ର ପରିଚୟ। ନାମ ଧନଞ୍ଜୟ , ହାତରେ ସିନା ତାଙ୍କର ଧନୁତୀର ନାହିଁ, ହେଲେ କଲମ ରୂପକ ତୀର କୁ ସେ ସଠିକ ପରିଚାଳନା କରି ଲକ୍ଷ ଭେଦ କରି ସମସ୍ତଙ୍କ ହୃଦୟକୁ ଜୟ କରିଛନ୍ତି। ଆଜି ସେ ପହଞ୍ଚି ପାରିଛନ୍ତି ସଫଳତାର ପାଦଦେଶରେ।
ପ୍ରଶାସନିକ ଦକ୍ଷତା, ନିରବଚ୍ଛିନ୍ନ ପ୍ରଚେଷ୍ଟା, କାର୍ଯ୍ୟ ରୂପାୟନ ପନ୍ଥା, କର୍ମ ତତ୍ପରତା, କର୍ତ୍ତବ୍ୟ ନିଷ୍ଠା, କର୍ମପରାୟଣତା, ଦାୟିତ୍ଵ ବୋଧ, ସମୟାନୁବର୍ତ୍ତିତା , କଠିନ ପରିଶ୍ରମ, ସମୟପଯୋଗୀ ପଦକ୍ଷେପ, କାର୍ଯ୍ୟ ନିପୁଣତା, ପରିମାର୍ଜିତ ବ୍ୟବହାର, ଉତ୍ସର୍ଗୀକୃତ ସେବା ତଥା ନିଷ୍ଠା, ତ୍ୟାଗ ଓ ଆନ୍ତରିକତା ପାଇଁ ଆଜି ସେ ପହଞ୍ଚି ପାରିଛନ୍ତି ସଫଳତାର ଶୀର୍ଷରେ । ବିଜୟ ର ଆଉ ଏକ ପାହାଚ ଚଢିଛନ୍ତି ସେ। କର୍ମମୟ ଜୀବନର ତୀବ୍ର ପ୍ରତିଯୋଗିତାରେ ସେ ଅତିକ୍ରମ କରିଛନ୍ତି ଗୋଟିଏ ମାଇଲ ଖୁଣ୍ଟ। ସେ ୟୁଡାଇସ୍ କାର୍ଯ୍ୟ ହେଉ, କିମ୍ବା ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ତଦାରଖ ଅଥବା ମୋ ସ୍କୁଲ୍ ଯୋଜନା କାର୍ଯ୍ୟକାରୀ ଅବା ଏଫ୍ ଏଲ୍ ଏନ୍ ପାଠ୍ୟକ୍ରମ ପରିଚାଳନା ତଥା ତାଲିମ ଶିବିର ସଂଯୋଜନା ଏବଂ ସଫଳ ରୂପାୟନ କରିବା ସବୁଥିରେ ରେ ସେ ପାରଙ୍ଗମ। ସରକାରଙ୍କ ସମସ୍ତ କାର୍ଯ୍ୟ ସଂପାଦନ ଓ ହାସଲ କରିବାରେ ସେ ଧୂରନ୍ଧର। ଯେଉଁଥିପାଇଁ ତାଙ୍କୁ ଆଜି ଓଡ଼ିଶାର ଶ୍ରେଷ୍ଠ ୧୦ ଜଣ ବିଇଓ ଙ୍କ ମଧ୍ୟରେ ତୃତୀୟ ସ୍ଥାନ ଅଧିକାର କରିବାର ସୌଭାଗ୍ୟ ମିଳିଛି । ସମଗ୍ର ରାଜ୍ୟରେ ଗଂଜାମ ଜିଲ୍ଲାରୁ ମୂଖ୍ୟ ମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବା ପାଇଁ ସେ ଯୋଗ୍ୟ ବିବେଚିତ ହୋଇଛନ୍ତି। ଓଡ଼ିଶାର ସୁନାମଧନ୍ୟ ମୂଖ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଭୁବନେଶ୍ବର ସ୍ଥିତ କଳିଙ୍ଗ ଷ୍ଟାଡିୟମ ଠାରେ ଏକ ସ୍ବତନ୍ତ୍ର ଭବ୍ୟ ସମାରୋହରେ ତାଙ୍କୁ ଫୁଲତୋଡା, ଉପଢୌକନ, ମାନପତ୍ର ଫଳକ ଓ ଟ୍ରଫି ପ୍ରଦାନ କରି ସମ୍ମାନିତ କରିଛନ୍ତି। ଏଥିପାଇଁ ବିଭିନ୍ନ ମହଲରୁ ତାଙ୍କୁ ପ୍ରଶଂସା ର ସୁଅ ଛୁଟିଛି। ଆଲୋଚନା ପରିପ୍ରେକ୍ଷୀରେ ଏହି ସଫଳତାର ଶ୍ରେୟ ସେ ଭଂଜନଗର ଶିକ୍ଷା ପରିବାରର ଏବିଇଓ ତଥା ବିଆରସିସି ଶ୍ରୀଯୁକ୍ତ ସୂର୍ଯ୍ୟ ନାୟକଙ୍କ ସମେତ ସମସ୍ତ ସିଆରସିସି, ସମସ୍ତ ପ୍ରଧାନ ଶିକ୍ଷକ, ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ , ବିଇଓ ଅଫିସ ର ସମସ୍ତ କର୍ମଚାରୀଙ୍କୁ ତଥା ସମସ୍ତ ଅଞ୍ଚଳବାସୀଙ୍କୁ ଦେଇଛନ୍ତି। ଭଂଜନଗର ବ୍ଲକ ଶିକ୍ଷା ପରିବାରର ଦଳଗତ କାର୍ଯ୍ୟ, ମିଳିତ ଉଦ୍ୟମ, ନିରବଚ୍ଛିନ୍ନ ପ୍ରଚେଷ୍ଟା ଓ ଆନ୍ତରିକ ସଦିଚ୍ଛା ପୂର୍ଣ୍ଣ କାର୍ଯ୍ୟ ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି ସେ ମତ ପ୍ରକାଶ କହିଛନ୍ତି। ଏହି ସଫଳତାରେ ଭଂଜନଗର ବ୍ଲକ ର ସମସ୍ତ ଜନସାଧାରଣଙ୍କ ସହଯୋଗର ହାତ ଥିବାରୁ ସେ ସମସ୍ତଙ୍କୁ ସାଧୁବାଦ ଓ କୃତଜ୍ଞତା ଜଣାଇଛନ୍ତି। ପ୍ରକାଶ ଥାଉକି ଉପେନ୍ଦ୍ରଭଞ୍ଜ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ତଥା ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ର ଶିକ୍ଷକ ଶ୍ରୀ ଶ୍ୟାମାପ୍ରସାଦ ମିଶ୍ର ଇଂରେଜ ଭାଷା ପାଇଁ ଓ ବାହାଡା ପଦର ହାଇସ୍କୁଲର ହୃଷୀକେଶ ନାୟକ ହିନ୍ଦୀ ଭାଷା ଏବଂ ଗୋପୀନାଥପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏଲିମେଣ୍ଟାରୀ ବର୍ଗରେ ମୂଖ୍ୟ ମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଛନ୍ତି।







