ହେଡଲାଇନସ୍:

ପର୍ଯ୍ୟଟକମାନଙ୍କ ନିମନ୍ତେ  ଶିମିଳିପାଳ ଅଭୟାରଣ୍ୟ ନଭେମ୍ବର ୧ରୁ ଖୋଲିବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲୀପ ମହାନ୍ତି )-ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ଶିମିଳିପାଳ ଅଭୟାରଣ୍ୟ ୦୧/୧୧/୨୦୧୮ ଗୁରୁବାରଠାରୁ ପର୍ଯ୍ୟଟକମାନଙ୍କ ନିମନ୍ତେ ଖୋଲିବ ବୋଲି କ୍ଷେତ୍ର ନିର୍ଦ୍ଧଶକ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ତଥା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି ।  ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶିମିଳିପାଳ ଅଭୟାରଣ୍ୟ ମଧ୍ୟକୁ ପର୍ଯ୍ୟଟକମାନଙ୍କ ପ୍ରବେଶ ନିମନ୍ତେ ବାରିପଦା ଓ ଯଶୀପୁର ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କାର୍ଯ୍ୟାଳୟରୁ ଅନୁମତି ମିଳିପାରିବ । ଏଥି ସହିତ ପ୍ରତ୍ୟେକ ଦିନ ପିଠାବଟା ରେଞ୍ଜର ଲୁଲୁଙ୍ଗ ଫାଟକ ଦେଇ ୨୫ ଗୋଟି ଓ ଯଶୀପୁରର କାଳିଆଣି ଫାଟକ ମଧ୍ୟ ଦେଇ ୩୫ ଗୋଟି ଚାରିଚକିଆ ଯାନର ପ୍ରବେଶ ନିମନ୍ତେ ସର୍ବପ୍ରଥମେ ଆସିଥିବା ଯାନଗୁଡ଼ିକ ମଧ୍ୟରୁ କ୍ରମାନ୍ୱୟ ଅନୁସାରେ ଅନୁମିତି ମିଳିପାରିବ । ଏଥି ନିମନ୍ତେ ପିଠାବଟା ଓ ଯଶିପୁର ବୁକିଂ କାଉଣ୍ଟରରେ ପୂର୍ବାହ୍ନ ୬ଟାରୁ ୯ଟା ପର୍ଯ୍ୟନ୍ତ ପ୍ରବେଶ ପତ୍ର ମିଳିପାରିବ । ଅଭୟାରଣ୍ୟକୁ ସ୍ୱଚ୍ଛ ନିର୍ମଳ ରଖିବା ଲକ୍ଷ ନେଇ ପର୍ଯ୍ୟଟକମାନେ ଭିତରକୁ ପ୍ରବେଶ ସମୟରେ ନିଜ ସାଥୀରେ ପ୍ଲାଷ୍ଟିକ ସାମଗ୍ରୀ, ମାଦକ ଦ୍ରବ୍ୟ, ଆମିଶ  ଆଦି  ନେବା ଉପରେ କଟକଣା ଜାରି କରାଯାଇଅଛି । ପର୍ଯ୍ୟଟକମାନେ ପ୍ରବେଶ ସମୟରେ ପ୍ରଚଳିତ ନିୟମାବଳୀ  ଅନୁସାରେ ଫାଟକରେ ଲିଖିତନାମା ଦାଖଲ କରିବେ ଏବଂ ଏହା ଉଲ୍ଲଙ୍ଘନ କଲେ ଆଇନ ଅନୁଯାୟୀ ଦଣ୍ଡିତ ହେବେ । ସେହି ପରି ପ୍ରବେଶ ଓ ପ୍ରସ୍ଥାନ ବେଳେ ଫାଟକରେ ସେମାନଙ୍କର ଯାନ, ଜିନିଷପତ୍ର ସହିତ ସେମାନଙ୍କୁ ଯାଞ୍ଚ କରାଯିବ । ଅପରାହ୍ନ ୩ଟା ପୂର୍ବରୁ ଯୋରନ୍ଦା ଓ ବରେହିପାଣି ଜଳପ୍ରପାତ ଏବଂ ୪ଟା ପୂର୍ବରୁ ଚହଲା ଛାଡ଼ିବାକୁ ହେବ । ପର୍ଯ୍ୟଟକମାନେ ଅଭୟାରଣ୍ୟ ମଧ୍ୟରୁ ସେମାନଙ୍କର ପ୍ରସ୍ଥାନ ସମୟ ଏପରି ସ୍ଥିର କରିବେ ଯେପରି ଅପରାହ୍ନ ୫ଟା ମଧ୍ୟରେ ପିଠାବଟା, ତୁଳସୀବଣି ଓ କାଳିଆଣି ତନଖି ଫାଟକକୁ ଅତିକ୍ରମ କରିପାରିବେ । କୌଣସୀ କାରଣ ବଶତଃ ଅଭୟାରଣ୍ୟ ମଧ୍ୟରେ ଯାନ ଖରାପ ହେଲେ ପର୍ଯ୍ୟଟକମାନଙ୍କୁ ବାରିପଦା ଓ ଯଶିପୁର ବସଷ୍ଟାଣ୍ଡକୁ ସ୍ଥାନାନ୍ତରିତ କରାଇବା ନିମନ୍ତେ ଅଗ୍ରୀମ ଭାବେ ୪ ହଜାର ଟଙ୍କା ଜମା ଦେବାକୁ ହେବ । ଏଥି ନିମନ୍ତେ ଯାନ ଚାଳକ ପ୍ରସ୍ତୁତ ରହିବେ । ଅଭୟାରଣ୍ୟ ମଧ୍ୟକୁ ପର୍ଯ୍ୟଟକମାନଙ୍କୁ ନେଇଯାଇଥିବା ଯାନ ବଳବତ୍ତର ରହିଥିବା ନିୟମାବଳୀକୁ ଯଦି ଦ୍ୱିତୀୟ ଥର ନିମନ୍ତେ ଉଲ୍ଲଙ୍ଘନ କରୁଥିବେ ତେବେ ତାଙ୍କୁ ପରବର୍ତ୍ତି ସମୟରେ ପ୍ରବେଶ ନିମନ୍ତେ ଅନୁମତି ମିଳିପାରିବ ନାହିଁ ।  ଚଳିତ ବର୍ଷ ଅଭୟାରଣ୍ୟ ମଧ୍ୟରେ ପର୍ଯ୍ୟଟକମାନଙ୍କର ରାତ୍ରି ରହଣି ନିମନ୍ତେ ବଫର ଏରିଆର ଜାମୁଆଣି, କୁମାରି, ରାମତୀର୍ଥ, ଗୁଡ଼ଗୁଡ଼ିଆ ଆଦି ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ବ୍ୟବସ୍ଥା ଯୋଗାଇ ଦିଆ ଯାଉଥିବା ବେଳେ କୁଆଁରୀଗାଁ ନିକଟରେ ବାଉଁଶରେ ନିର୍ମିତ କଟେଜର ବ୍ୟବସ୍ଥା କରାଯାଇଅଛି । ଏଥି ନିମନ୍ତେ ପର୍ଯ୍ୟଟକମାନଙ୍କୁ ୱେବସାଇଟ  www.ecotourodisha.com ରେ ଅଗ୍ରୀମ ଆରକ୍ଷଣ କରାଇବାକୁ ପଡ଼ିବ । ବ୍ରମଣ ପାଇଁ ଶିମିଳିପାଳ ଅଭୟାରଣ୍ୟ ଖୋଲିବାର ନିଷ୍ପତ୍ତିକୁ ମଝିରେ ମଝିରେ ଶିମିଳିପାଳ କତ୍ତୃପକ୍ଷଙ୍କ ଦ୍ୱାରା ତଦାରଖ କରାଯିବ ଓ ପାରିପାଶ୍ୱର୍ିକ ଅବସ୍ଥାକୁ ନଜରକୁ ନେଇ ପରବର୍ତ୍ତି ନିଷ୍ପତ୍ତି ନିଆଯିବ ।  ପୁଣି ଅଭୟାରଣ୍ୟକୁ ପ୍ରବେଶ ସମୟରେ ପର୍ଯ୍ୟଟକମାନେ ପ୍ରତ୍ୟେକ ଯାନରେ ଜଣେ ଲେଖାଏଁ ଗାଇଡ଼କୁ ସାଥୀରେ ନେବା ବାଧ୍ୟତା ମୂଳକ ବୋଲି କ୍ଷେତ୍ର ନିର୍ଦ୍ଧଶକ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ତଥା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଜି ବିଧିବଦ୍ଧ ଭାବେ ଏକ ନିର୍ଦ୍ଧଶନାମା ଜାରି କରାଯାଇଛି ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବୀନ୍ଦ୍ର କୁମାର ନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

0
0
0
s2sdefault