ହେଡଲାଇନସ୍:

ଓଡ଼ିଶାରେ ପ୍ରଥମ: କିମ୍‍ସରେ ଟିଏମଭିଆର ଜରିଆରେ ହାର୍ଟ ଭାଲଭ ସଫଳ ଅସ୍ତ୍ରୋପଚାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର,୧୦।୧: ହୃଦରୋଗ ଚିକିତ୍ସା କ୍ଷେତ୍ରରେ କିମ୍‍ସକୁ ମିଳିଛି ଆଉ ଏକ ସଫଳତା। କିମ୍‍ସରେ ଟ୍ରାନ୍ସକ୍ୟାଥେଟର ମିଟ୍ରାଲ ଭାଲଭ୍ ରିପ୍ଲେସମେଣ୍ଟ (ଟିଏମଭିଆର) ପ୍ରକ୍ରିୟାରେ ଜନୈକ ୬୯ ବର୍ଷ ବୟସ୍କ ରୋଗୀଙ୍କଠାରେ ସଫଳ ହୃତପିଣ୍ଡ ଭାଲଭ୍‌ର ଅସ୍ତ୍ରୋପଚାର କରାଯାଇପାରିଛି। ରୋଗୀଙ୍କ ହୃତପିଣ୍ଡ ଭାଲଭ୍ କ୍ଷତିଗ୍ରସ୍ତ ହେବା ପରେ ସେ ରାଜ୍ୟ ବାହାରେ ବିଭିନ୍ନ ଚିକିତ୍ସାଳୟରେ ଡାକ୍ତରଙ୍କ ସହ ପରାମର୍ଶ କରିଥିଲେ। କିନ୍ତୁ ତାଙ୍କ ରୋଗର ଉପଶମ ହୋଇ ନ ଥିଲା। ୧୭ ବର୍ଷ ପୂର୍ବେ ନୂଆଦିଲ୍ଲୀର ଏକ ହସପିଟାଲରେ ତାଙ୍କ ଦୁଇଟି କ୍ଷତିଗ୍ରସ୍ତ ହୃତପିଣ୍ଡ ଭାଲଭ୍‌ରେ ଟିସୁ ପ୍ରୋସଥେଟିକ୍ସ ଅସ୍ତ୍ରୋପଚାର କରାଇଥିଲେ। ମାତ୍ର ଏଥିରେ ତାଙ୍କ ରୋଗ ସମ୍ପୂର୍ଣ୍ଣ ଉପଶମ ନ ହେବାରୁ ନିକଟରେ ସେ କିମ୍‍ସ ହୃଦ୍‌ରୋଗ ବିଭାଗର ସହକାରୀ ପ୍ରଫେସର ଡା. ଅନୁପମ ଜେନାଙ୍କ ସହ ପରାମର୍ଶ କରିଥିଲେ। ଡା. ଜେନାଙ୍କ ପରାମର୍ଶ କ୍ରମେ ସେ କିମ୍‍ସରେ ଅସ୍ତ୍ରୋପଚାର କରାଇଥିଲେ। ରୋଗୀଙ୍କଠାରେ ଅନିୟନ୍ତ୍ରିତ ମଧୁମେହ ଓ କ୍ରୋନିକ୍ କିଡନୀ ରୋଗ ଭଳି ଜଟିଳ ଶାରୀରିକ ସମସ୍ୟା ଥିଲା। ଏହା ସତ୍ତ୍ୱେ ଡା. ଅନୁପମ ଜେନାଙ୍କ ନେତୃତ୍ୱରେ ଡାକ୍ତରୀ ଦଳ ରୋଗୀଙ୍କ (ଟିଏମ୍‌ଭିଆର୍‌) ପ୍ରଣାଳୀରେ ସଫଳତାର ସହ ଅସ୍ତ୍ରୋପଚାର କରିଥିଲେ। ଏବେ ରୋଗୀ ସୁସ୍ଥ ଅଛନ୍ତି । ଏଭଳି ଅତ୍ୟାଧୁନିକ ହୃଦ୍‍ଯନ୍ତ୍ର ଅସ୍ତ୍ରୋପଚାର ଓଡ଼ିଶାରେ ପ୍ରଥମ ଥର ପାଇଁ ହୋଇଥିବା ଡା. ଜେନା ଦାବି କରିଛନ୍ତି। ଏହା ସହିତ ସେ କହିଛନ୍ତି, ଓଡ଼ିଶାରେ ଏହି ସୁବିଧା ଉପଲବ୍‍ଧ ହେଉଥିବାରୁ ଏଣିକି ଏଭଳି ସମସ୍ୟାର ସମ୍ମୁଖୀନ ହେଉଥିବା ହୃଦ୍‍ରୋଗୀଙ୍କୁ ଆଉ ବାହାର ରାଜ୍ୟକୁ ଯିବାକୁ ପଡ଼ିବ ନାହିଁ। ଏହି ସଫଳତା ପାଇଁ କିଟ୍‌, କିସ୍ ଓ କିମ୍‌ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଡାକ୍ତରୀଦଳକୁ ପ୍ରଶଂସା କରିବା ସହ ରୋଗୀଙ୍କ ଆରୋଗ୍ୟ କାମନା କରିଛନ୍ତି।

0
0
0
s2sdefault