ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମହେନ୍ଦ୍ର ମେଳାର ଅଷ୍ଟମ ଦିନରେ ଦଣ୍ଡନାଚର ଐତିହ୍ୟ , ସଂସ୍କୃତି ଓ ଆଧ୍ୟାତ୍ମିକ ମୂଲ୍ୟବୋଧକୁ ନେଇ ରଚିତ ଗବେଷଣାତ୍ମକ ପୁସ୍ତକ "ଋଷିପୁତ୍ର" ଶୈବ ଶାକ୍ତ ଧର୍ମ ଧାରା ର ସମନ୍ୱୟ ପର୍ବ ଦଣ୍ଡ ନାଚ , ଓଡ଼ିଶାର ମହାମହିମ ରାଜ୍ୟପାଳ ଡାକ୍ତର ହରିବାବୁ କମ୍ଭମପତି ଙ୍କ କରକମଳରେ ଉନ୍ମୋଚିତ ହୋଇଯାଇଛି।
ଏହି ଐତିହାସିକ ଓ ଗୌରବମୟ ମୁହୂର୍ତ୍ତ ଦଣ୍ଡନାଚ ପରମ୍ପରା ଏବଂ ଓଡ଼ିଆ ସାଂସ୍କୃତିକ ଐତିହ୍ୟ ପାଇଁ ଏକ ବିଶେଷ ସଫଳତା ଭାବେ ପରିଗଣିତ ହେଉଛି। ଏହି ଗୌରବମୟ ଅବସରରେ ଓଡ଼ିଶାର ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ବାଣିଜ୍ୟ , ପରିବହନ , ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ଉପସ୍ଥିତ ଥିଲେ।
ସେହିପରି ମହେନ୍ଦ୍ର ମେଳାକୁ ଆସିଥିବା ସାଧୁ-ସନ୍ଥମାନଙ୍କ ପ୍ରେରଣା , ଆଶୀର୍ବାଦ ଓ ସହଯୋଗ ଏହି କାର୍ଯ୍ୟକୁ ସଫଳ କରିବାରେ ବିଶେଷ ଭୂମିକା ଗ୍ରହଣ କରିଛି। ପୁସ୍ତକର ଲେଖକ ଲକ୍ଷ୍ମୀକାନ୍ତ ପାତ୍ର କହିଛନ୍ତି ଯେ, ଏହା କେବଳ ଏକ ପୁସ୍ତକର ଉନ୍ମୋଚନ ନୁହେଁ ବରଂ ଓଡ଼ିଶାର ଲୋକକଳା , ପରମ୍ପରା ଓ ସାଂସ୍କୃତିକ ଐତିହ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବାର ଏକ ଛୋଟ ପ୍ରୟାସ। ଦଣ୍ଡନାଚ ଭଳି ପ୍ରାଚୀନ ଲୋକ ପରମ୍ପରାର ଗବେଷଣା ଓ ସଂରକ୍ଷଣ ଆଗାମୀ ପିଢ଼ି ପାଇଁ ଏକ ମୂଲ୍ୟବାନ ଐତିହ୍ୟ ଭାବେ ରହିବ ବୋଲି ସେ ମତ ପ୍ରକାଶ କରିଛନ୍ତି। ଏହି ପୁସ୍ତକ ରେ ଓଡ଼ିଶାରେ ଶୈବ ଓ ଶାକ୍ତ ପୂଜା ପଦ୍ଧତି ର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଛି। ବିଭିନ୍ନ ଶିଳାଲେଖ , ତାମ୍ର ଫଳକ ର ତଥ୍ୟ ପ୍ରଦାନ କରି ଲେଖକ ଓଡ଼ିଶାରେ ମନ୍ଦିର ନିର୍ମାଣର କାଳ ନିରୂପଣ କରିଛନ୍ତି। ଓଡ଼ିଶାରେ ମନ୍ଦିର ନିର୍ମାଣ ପ୍ରଥମ କରି ମହେନ୍ଦ୍ରଗିରି ରେ ହୋଇଥିବାର ସେ ତଥ୍ୟ ପ୍ରଦାନ କରିଛନ୍ତି। ମହେନ୍ଦ୍ରଗିରିକୁ ସେ ଓଡ଼ିଶାରେ ଶୈବ ଓ ଶାକ୍ତ ମତାଵାଦର ଆଦ୍ୟ ସ୍ଥଳ ଭାବରେ ବର୍ଣ୍ଣନା କରିଛନ୍ତି।
ଏହି ଅବସରରେ ମହେନ୍ଦ୍ର ମେଳାକୁ ଆସିଥିବା ବୁଦ୍ଧିଜୀବୀ , ଗବେଷକ , ସାହିତ୍ୟିକ ଓ ସାଂସ୍କୃତିକ ବ୍ୟକ୍ତିତ୍ୱମାନେ ପୁସ୍ତକଟିର ଭୂୟସୀ ପ୍ରଶଂସା କରିବା ସହ ଏହା ଦଣ୍ଡନାଚର ଇତିହାସ , ପରମ୍ପରା ଓ ମହତ୍ତ୍ୱକୁ ନୂତନ ପିଢ଼ି ନିକଟରେ ପହଞ୍ଚାଇବାରେ ସହାୟକ ହେବ ବୋଲି ମତବ୍ୟକ୍ତ କରିଛନ୍ତି। ଏହି ପୁସ୍ତକର ଉନ୍ମୋଚନ ଦଣ୍ଡନାଚ ଭଳି ପ୍ରାଚୀନ ଲୋକ ପରମ୍ପରାର ସଂରକ୍ଷଣ , ଗବେଷଣା ଓ ପ୍ରଚାର-ପ୍ରସାର ଦିଗରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବା ସହ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ଅଧିକ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି।
ରାଜ୍ୟ
ଯୁବ ଲେଖକ ଲକ୍ଷ୍ମୀକାନ୍ତ ପାତ୍ରଙ୍କ ରଚିତ " ଋଷିପୁତ୍ର " ପୁସ୍ତକ ଉନ୍ମୋଚନ କଲେ ରାଜ୍ୟପାଳ
- Hits: 24







