ହେଡଲାଇନସ୍:

ଚଉଦ ନାହାକା ବୁଲିବା ସହ ପ୍ରଥମ ଭୂଇଁ ଛଅ କାଠିରେ ପାଖୁଡା ସଂଯୋଗ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୁରୀ,୯/୮- ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥଖଳାରେ ତିନିରଥ ର ନିର୍ମାଣ କାର୍ଯ୍ଯ ଯୋରସୋର ରେ ଆଗେଇ ଚାଲିଛି । ରଥ ନିର୍ମାଣର ୫୦ ତମ ଦିବସରେ ମଙ୍ଗଳବାର ରଥ ନିର୍ମାଣକାରୀ ସେବକ ମାନେ ରଥଖଳା ଠାରେ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ଆଜି ଚଉଦ ନାହାକା ବୁଲିବା ସହ ପ୍ରଥମ ଭୂଇଁ ଛଅ କାଠିରେ ପାଖୁଡା ସଂଯୋଗ ଜାରି ରହିଛି । ରଥ ଚାଳିରେ ତିନିରଥ ର ପ୍ରଥମ ଭୂଇଁ ଫ୍ରେମ୍ ପ୍ରସ୍ତୁତି ଶେଷ ହେବାସହ ଭୂଇଁ ଫ୍ରେମ୍ ର ବିଭିନ୍ନ ଅଂଶ ଦୁଡ଼ିକରେ ନମ୍ବରିଙ୍ଗ କାର୍ଯ୍ୟ ଶେଷ ହୋଇଥିଲା । ଏଥିସହ ବାକି ରହିଯାଇଥିବା ଯୋକା ଗୁଡ଼ିକର ତିନିରଥରେ ଫିଟିଙ୍ଗ କାର୍ଯ୍ୟ ଶେଷ ହୋଇଥିଲା । ତିନିରଥର ପ୍ରଥମ ଭୂଇଁ ଫ୍ରେମ୍ ଖୋଲାଯିବା ପରେ ମହାରଣା ସେବକ ମାନେ ଭୋଇ ସେବକଙ୍କ ସହଯୋଗରେ ତିନିରଥର ଚାରି ନାହାକା ରେ ପ୍ରଥମ ଭୂଇଁ ର ଚଉତା ବା ଛ ' କାଠି ସେଟିଙ୍ଗ ବା ସଂଯୋଗ ହୋଇଅଛି । ପ୍ରଥମ ଭୂଇଁ ର ଏହି ଛ ' କାଠି ବା ଓରା ରେ ୪ ଗୋଟି ଖମ୍ବୀ ସଂଯୋଗ ହୋଇ ଚାରି ପାର୍ଶ୍ୱରେ ୨୪ ଟି ପାଖୁଡ଼ା ଏବଂ ୧୬ ଟି ଚ୍ଛିଆଣ, ପାଖୁଡାକୁ ଧରିରଖିବା ପାଇଁ ୨୪ ଟି ଭୂଇଁ ଖମ୍ବୀ ଚାରି ପାର୍ଶ୍ୱରେ ସଂଯୋଗ ହେବ। ସେଥିପାଇଁ ତାର ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇଛି। ଆସନ୍ତାକାଲି ତିନିରଥର ୧୪ ନାହାକା ବୁଲିବା ପରେ ପ୍ରଥମ ଭୂଇଁ ର ବାକି ଅଂଶ ସଂଯୋଗ ହେବ । ମହାରଣା ସେବକ ମାନଙ୍କୁ ୪ ଫୁଟ ଲମ୍ବର ନଡ଼ିଆ ଗର ବା ଖଦି ଓରା ଯୋଗାଇ ଦିଆଯିବା ପରେ ମହାରଣା ସେବକ ମାନେ ସେହି ନଡ଼ିଆ ଗରର ଉଭୟ ପାର୍ଶ୍ୱକୁ ଚିତା ବା ବାରିଦିରେ ହାଣି ସମତଳ କରି ଭୋଇ ସେବକଙ୍କ ସହାୟତାରେ ତିନିରଥ ଦଣ୍ଡା ପକାଇଲାପରେ ତାର ବିନ୍ଧ କାପ କରାଯାଇ ସେଟିଂ କଲାପରେ, ୧୪ ନାହାକା ବୁଲିବା ସହ ପ୍ରଥମ ଭୂଇଁ ଛ ' କାଠିରେ ପାଖୁଡ଼ା ସଂଯୋଗ ହେବ। ଶେଷ ହୋଇଛି ତିନିରଥ ଚାରି ନାହାକା ର ଝାଙ୍କ ସଳଖା କାର୍ଯ୍ୟ ।ଭୋଇ ସର୍ଦ୍ଦାର ରବି ଭୋଇଙ୍କ ତତ୍ତ୍ଵାବଧାନରେ ସାଥୀ ଭୋଇ ସେବକ ମାନେ ମିଶି ତିନିରଥ ର ଚାରି ନାହାକା ର ଝାଂକ ସଳଖା କାର୍ଯ୍ୟ ଶେଷ କରିଛନ୍ତି । ତିନିରଥ ପାଞ୍ଚ ଦଣ୍ଡା ଗରଗରା ରେ ସଂଯୋଗ ହୋଇଥିବା ଚାରି ନାହାକା କୁ ସିଧା କରି ରଖିବା ପାଇଁ ସେଥିରେ ଖିଲ ବାଡ଼ିଆ କାର୍ଯ୍ୟ ଶେଷ କରିଛନ୍ତି । ଆଜି ତିନିରଥର ମୁଖ୍ୟ ମହାରଣା ତଥା ସହଯୋଗୀ ମହାରଣା ସେବକ ଏବଂ ଭୋଇ ସେବକଙ୍କ ସହଯୋଗରେ ଆରମ୍ଭ ହୋଇଛି ତିନିରଥର ମାଝୀ ଭୂଇଁ ବା ଦ୍ୱିତୀୟ ଭୂଇଁ ଫ୍ରେମ୍ ନିର୍ମାଣ କାର୍ଯ୍ୟ।ରୂପକାର ସେବକ ମାନେ ତିନିରଥର ୮ଟି ଲେଖାଏଁ ନାଟ ଗୋଡ଼ରେ କନ୍ଦର୍ପ ରୂପ ଖୋଦେଇ ସହ ଆଜି ଆରମ୍ଭ କରିଛନ୍ତି ତିନିରଥର ଚାର ପରିଛାରେ ଚିତ୍ର ଖୋଦେଇ କାର୍ଯ୍ୟ।ଦୋଳବେଦୀ ଅସ୍ଥାୟୀ କମାର ଶାଳ ରେ ଓଝା କମାର ସେବକ ମାନେ ତିନିରଥର ଭୂଇଁ ନିର୍ମାଣ ପାଇଁ ଚଣାକ କଣ୍ଟା ,ପ୍ରଥମ ଭୂଇଁ କଣ୍ଟା ନିର୍ମାଣ ଶେଷ କରି ତିନିରଥର ପୋଟଳ କଣ୍ଟା ସହ ଦ୍ୱିତୀୟ ଭୂଇଁ କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି।ଦୋଳବେଦୀ ଠାରେ ପାହି ମହାରଣା ମାନେ ଅଣସର ଏବଂ ରଥ ଯାତ୍ରା ସେବା ନୀତି ପାଇଁ କାଠ ନିର୍ମିତ ସରଞ୍ଜମ ନିର୍ମାଣ ଯାରି ରଖିଛନ୍ତି।
ତିନିରଥ ର ମହାରଣା ସେବକ ୭୬ ଜଣ, ଭୋଇ ସେବକ ୭୭ ଜଣ, ରୂପକାର ସେବକ ୨୧ଜଣ, ଓଝା କମାର ସେବକ୨୦ଜଣ, କରତୀ ସେବକ ୪ଜଣ ,ତୁମ୍ବ ବିନ୍ଧ କାରିଗର ୨ଜଣ ,ପାହି ମହାରଣା ୨ଜଣ ,ରଥଖଳା ସହାୟକ ୧ଜଣ ମୋଟ ୨୦୩ ଜଣ ତିନିରଥର ନିର୍ମାଣକାରୀ ସେବକ ମହାପ୍ରଭୁଙ୍କ ତିନିରଥ ନିର୍ମାଣ କାର୍ଯ୍ଯରେ ନିମଗ୍ନ ରହିଛନ୍ତି ।

0
0
0
s2sdefault