ଜମାକାରୀଙ୍କ ନାମରେ ଜାଲିଆତି ଋଣ ଉଠାଣ, ଥାନାରେ ଏତଲା
ଓଡ଼ଗାଁ, ୯।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବ୍ଲକ ଅଧୀନ ସୋଲ ପଟ୍ଟା ସେବା ସମବାୟ ସମିତିରେ ବ୍ୟାପକ ଆର୍ଥିକ ଅନିୟମିତତା ଏବଂ ଜମାକାରୀଙ୍କ ଅଜାଣତରେ ସେମାନଙ୍କ ନାମରେ ଋଣ ଉଠାଣ ହୋଇଥିବା ନେଇ ଶରଣକୁଳ ଥାନାରେ ଦୁଇଟି ପୃଥକ ଅଭିଯୋଗ ଦାଖଲ ହୋଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଅଭିଯୋଗକାରୀ ମାନେ ହେଲେ ସୋଲ ପଟ୍ଟା ଗ୍ରାମର ସଞ୍ଜୁ ଖଟେଇ (୬୦) ଏବଂ ଅଲ୍ଲୀ ଦେଇ (୭୭)। ସଞ୍ଜୁ ଖଟେଇଙ୍କ ଅଭିଯୋଗ ଅନୁଯାୟୀ, ଗତ ମେ ୨୮ ତାରିଖରେ ସେ ଏକ ଜନସେବା କେନ୍ଦ୍ରରେ ନିଜ ବ୍ୟାଙ୍କ ଖାତା ଯାଞ୍ଚ କରୁଥିବା ବେଳେ ତାଙ୍କ ନାମରେ ନୟାଗଡ଼ କେନ୍ଦ୍ର ସମବାୟ ବ୍ୟାଙ୍କ, ଶରଣକୁଳ ଶାଖାରେ ଏକ ଖାତା ଖୋଲାଯାଇଥିବା ଜାଣିବାକୁ ପାଇଥିଲେ। ଏହି ଖାତା ମାଧ୍ୟମରେ ଲକ୍ଷାଧିକ ଟଙ୍କାର ଋଣ ଉଠାଣ କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ଘଟଣା ସମ୍ପର୍କରେ ସମବାୟ ସମିତିର ସମ୍ପାଦକ ପଞ୍ଚାନନ ଦାଶଙ୍କୁ ଅବଗତ କରାଇଥିଲେ ମଧ୍ୟ ସେ କୌଣସି ସହଯୋଗ କରିନଥିବା ଅଭିଯୋଗ ହୋଇଛି। ପରେ ସଞ୍ଜୁ ଖଟେଇ ଗତ ମେ ୨୯ ତାରିଖରେ ଶରଣକୁଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସେହିପରି ଅଲ୍ଲୀ ଦେଇ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଦେଢ଼ ବର୍ଷ ପୂର୍ବେ ସେ କୃଷି ଋଣ ପାଇଁ ସମ୍ପାଦକଙ୍କୁ ଅନୁରୋଧ କରିଥିଲେ। ମାତ୍ର ତାଙ୍କୁ ଋଣ ମିଳିବ ନାହିଁ ବୋଲି କୁହାଯାଇଥିଲା। ପରେ ସେ ଜାଣିବାକୁ ପାଇଥିଲେ ଯେ ତାଙ୍କ ନାମରେ ଏକ ଜମା ଖାତା ଖୋଲାଯାଇ ତାହା ମାଧ୍ୟମରେ ୧ ଲକ୍ଷ ଟଙ୍କା ଋଣ ଉଠାଣ କରାଯାଇଛି। ଅଲ୍ଲୀ ଦେଇଙ୍କ କହିବାନୁସାରେ, ଧାନ ବିକ୍ରୟ ପ୍ରକ୍ରିୟା ପାଇଁ ଜଣେ ସମ୍ପର୍କୀୟ ଦିଅରଙ୍କ ଦ୍ବାରା ତାଙ୍କ ଆଧାର କାର୍ଡ ନିଆଯାଇଥିଲା ଏବଂ ସେହି ଦଲିଲକୁ ବ୍ୟବହାର କରି ତାଙ୍କ ନାମରେ ଖାତା ଖୋଲାଯାଇଥିବା ନେଇ ସନ୍ଦେହ କରାଯାଉଛି। ଉଭୟ ଅଭିଯୋଗ ଥାନାରେ ଦାଖଲ ହେବା ପରେ ସେମାନଙ୍କ ନାମରେ ଥିବା ଋଣ ରାଶିକୁ ସମ୍ପାଦକ ପଞ୍ଚାନନ ଦାଶ ଫେରସ୍ତ କରିଥିବା ଜଣାପଡ଼ିଛି। ଏହା ଘଟଣାକୁ ଆହୁରି ସନ୍ଦେହଜନକ କରିଛି।
ଇତି ମଧ୍ୟରେ ଗତ ମେ ୩୧ ତାରିଖରେ ପଞ୍ଚାନନ ଦାଶ ଅବସର ଗ୍ରହଣ କରିଥିବା ବେଳେ ସମିତିର ଦାୟିତ୍ୱ ନିୟମାନୁସାରେ ସୁପରଭାଇଜରଙ୍କୁ ନଦେଇ ଡାଟା ଏଣ୍ଟ୍ରି ଅପରେଟର ପ୍ରଦୀପ କୁମାର ନାୟକଙ୍କୁ ହସ୍ତାନ୍ତର କରିଥିବା ଅଭିଯୋଗ ମଧ୍ୟ ଉଠିଛି। ସମିତିର ଜଣେ ନିର୍ଦ୍ଦେଶକ ବିନୟ କୁମାର ବରାଡ ଏନେଇ ନୟାଗଡ଼ ଜିଲ୍ଲାପାଳଙ୍କ ସମେତ ବିଭିନ୍ନ ଉଚ୍ଚପଦସ୍ଥ ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ସମିତିରେ ହୋଇଥିବା ଆର୍ଥିକ ଅନିୟମିତତା ଏବଂ ଜାଲିଆତିର ନିରପେକ୍ଷ ତଦନ୍ତ ଦାବି ହୋଇଛି।
ଶରଣକୁଳ ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।







