-
ବିସ୍ରା ଛକରେ ୧୨୬ତମ ଶହୀଦ ଦିବସ ପାଳିତ, ୧୦ ଏକର ଜମି ଆବଣ୍ଟନ କାର୍ଯ୍ୟକାରୀ କରିବାକୁ ଦାବି
-
ବିର୍ସା ମୁଣ୍ଡା ଷ୍ଟାଚ୍ୟୁ କମିଟିର ରାଜ୍ୟ ସରକାରଙ୍କୁ ଅନୁରୋଧ
-
ଲମ୍ବିତ ଜମି ହସ୍ତାନ୍ତର ପ୍ରକ୍ରିୟା ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ଦାବି
ରାଉରକେଲା,(ବସନ୍ତ କୁମାର ଜେନା): ମହାନ ସ୍ୱାଧୀନତା ସଂଗ୍ରାମୀ ଏବଂ ଆଦିବାସୀ ଜନନାୟକ ବୀର ବିର୍ସା ମୁଣ୍ଡାଙ୍କ ୧୨୬ତମ ଶହୀଦ ଦିବସ ଅବସରରେ ସୋମବାର ବିର୍ସା ଛକସ୍ଥିତ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଭାବବିହ୍ୱଳ ଶ୍ରଦ୍ଧାଞ୍ଜଳି ଜଣାଯାଇଥିଲା। ବିର୍ସା ମୁଣ୍ଡା ଷ୍ଟାଚ୍ୟୁ କମିଟି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରଶାସନିକ ଅଧିକାରୀ, ଜନପ୍ରତିନିଧି, ସମାଜସେବୀ ଓ ବିଶିଷ୍ଟ ନାଗରିକମାନେ ଯୋଗଦେଇଥିଲେ।
କମିଟିର ସମ୍ପାଦକ ପ୍ରଫେସର ବିଜୟ କୁମାର ଟୋପ୍ପୋଙ୍କ ନେତୃତ୍ୱରେ ଆୟୋଜିତ ଏହି ସମାରୋହରେ ପାନପୋଷ ଉପଜିଲ୍ଲାପାଳ ଚନ୍ଦ୍ରକାନ୍ତ ମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ। ଏହାସହ ରାଉରକେଲା ମହାନଗର ନିଗମର ଯୁଗ୍ମ ଆୟୁକ୍ତ ପରୁନ୍ଧୀ ନାୟକ, ସମାଜସେବୀ ହରିହର ରାଉତରାୟ, ଜିଲ୍ଲା ପରିଷଦ ସଦସ୍ୟ ରାଜେଶ ମୁଖର ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୀମା ଫାତିମା ପ୍ରମୁଖ ବିଶିଷ୍ଟ ଅତିଥିମାନେ ବୀର ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
ଏହି ଅବସରରେ ବିଭିନ୍ନ ସାମାଜିକ, ରାଜନୈତିକ ଓ ସାଂସ୍କୃତିକ ସଙ୍ଗଠନର ପ୍ରତିନିଧିମାନେ ବୀର ବିର୍ସା ମୁଣ୍ଡାଙ୍କ ସଂଘର୍ଷ, ତ୍ୟାଗ ଏବଂ ଆଦିବାସୀ ସମାଜର ଉନ୍ନତି ପାଇଁ ତାଙ୍କ ଅବଦାନକୁ ସ୍ମରଣ କରି ତାଙ୍କ ଆଦର୍ଶରେ ଚାଲିବାକୁ ଆହ୍ୱାନ ଦେଇଥିଲେ।
କାର୍ଯ୍ୟକ୍ରମକୁ କମିଟିର ଯୁଗ୍ମ ସମ୍ପାଦକ ପ୍ରସନ୍ନ କୁମାର ତ୍ରିପାଠୀ ପରିଚାଳନା କରିଥିଲେ। ସେ କହିଥିଲେ ଯେ, ବୀର ବିର୍ସା ମୁଣ୍ଡାଙ୍କ ଜୀବନ ଦେଶପ୍ରେମ, ସାମାଜିକ ସଚେତନତା ଏବଂ ଜନସେବାର ଏକ ପ୍ରେରଣାଦାୟକ ଉଦାହରଣ। କମିଟିର ସମ୍ପାଦକ ପ୍ରଫେସର ବିଜୟ କୁମାର ଟୋପ୍ପୋ କହିଥିଲେ ଯେ, କମିଟି ପକ୍ଷରୁ ନିରନ୍ତର ଜନହିତକାରୀ କାର୍ଯ୍ୟ କରାଯାଉଛି ଏବଂ ଆଦିବାସୀ ସମାଜର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ପ୍ରଶଂସନୀୟ।
ସେ ଆହୁରି କହିଥିଲେ ଯେ, ରାଜ୍ୟ ସରକାର ବିର୍ସା ମୁଣ୍ଡା ଷ୍ଟାଚ୍ୟୁ କମିଟିକୁ ୧୦ ଏକର ଜମି ପ୍ରଦାନ କରିବାକୁ ଘୋଷଣା କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାହାର କାର୍ଯ୍ୟକାରୀକରଣ ହୋଇନାହିଁ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିକଟରେ ସମସ୍ତ ଆବଶ୍ୟକ ଦସ୍ତାବିଜ ପୂର୍ବରୁ ଦାଖଲ କରାଯାଇଥିଲେ ମଧ୍ୟ ଜମି ହସ୍ତାନ୍ତର ପ୍ରକ୍ରିୟା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନାହିଁ। ତେଣୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଏହି ପ୍ରସଙ୍ଗରେ ଶୀଘ୍ର ହସ୍ତକ୍ଷେପ କରି ଆବଣ୍ଟିତ ଜମିର ହସ୍ତାନ୍ତର ସୁନିଶ୍ଚିତ କରିବାକୁ ଦାବି କରିଥିଲେ।
ଏହି କାର୍ଯ୍ୟକ୍ରମରେ କମିଟିର ଉପସଭାପତି ମାର୍ଗଲ କଣ୍ଡୁଲନା, ଏମ୍. ସୋରେନ, କୋଷାଧ୍ୟକ୍ଷ ସୁଧାଂଶୁ ଚନ୍ଦ୍ର ମାଡୁ, ବରିଷ୍ଠ ସଦସ୍ୟ ସି.ଆଇ. ନାୟକ, ମନୋରଞ୍ଜନ କଣ୍ଡୁଲନା, ପ୍ରମୋଦ କୁମାରଙ୍କ ସହ ଅନ୍ୟାନ୍ୟ ସଦସ୍ୟମାନେ ସକ୍ରିୟ ସହଯୋଗ କରିଥିଲେ। ଶେଷରେ ଧନ୍ୟବାଦ ଜ୍ଞାପନ ସହ କାର୍ଯ୍ୟକ୍ରମର ସମାପନ ହୋଇଥିଲା।







