ହେଡଲାଇନସ୍:

ହଜି ଯାଇଛି ମଣିଷ ପ୍ରଶାସନର ପଣିଆ : ମା’ଙ୍କୁ ମୁଖାଗ୍ନି ଦେବାକୁ ନାହିଁ ଅନୁମତି, ଦୁଇଦିନ ହେଲା ପଡିଛି ଶବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଅରବିନ୍ଦ ଦାସ)-ମୟୂରଭଞ୍ଜ ଜିଲ୍ଲାରେ ଗଣତନ୍ତ୍ର ଶାସନ ବ୍ୟବସ୍ଥା ଦିନକୁ ଦିନ ପଙ୍ଗୁ ହେବାକୁ ଲାଗିଛି । ଆଇନକାନୁନ, ନିତି ନିୟମ, ଆଦର୍ଶ , ନୈତିକତା, ଦାୟିତ୍ୱବୋଧ ଓ କର୍ତ୍ତବ୍ୟ ପରାୟଣ ଜିଲ୍ଲାରେ ଫାଇଲର ନାଲିଫିତା  ତଳେ ଚାପି ହୋଇ ଅଣନିଶ୍ୱାସୀ ହେବାକୁ ବସିଛି । ମୁଖ୍ୟମନ୍ତ୍ରୀ ନବୀନ ଆଦିବାସୀମାନଙ୍କ ସାମଗ୍ରିକ ବିକାଶ ଓ ଆର୍ଥିକ କ୍ଷେତ୍ରରେ ସ୍ୱାବଲମ୍ବୀ କରାଇବା ନିମନ୍ତେ ଯୋଜନା ପରେ ଯୋଜନା ପ୍ରଚଳନ, ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ବିକାଶ ପରିଷଦ ଆଦି ଗଠନ କରିଥିବା ବେଳେ ଜିଲ୍ଲାରେ ଆଦିବାସୀମାନେ ଅଣଦେଖାର ଶିକାର ପାଲଟୁଛନ୍ତି । ଏହାର ନଗ୍ନ ଉଦାହରଣ ଦେଖିବାକୁ ମିଳିଛି, ଜିଲ୍ଲାର ସଦର ମହକୁମା ବାରିପଦାଠାରେ ରହିଥିବା ମଣ୍ଡଳ କାରାଗାରରେ । ପ୍ରାପ୍ତ ସୂଚନା ଆଧାରରେ ବାରିପଦା ସଦର ଥାନା ଅନ୍ତର୍ଗତ ଶିକରଘାଟି ଗ୍ରାମର ସଞ୍ଜୟ ସୋରେନ (୩୫) ନାମକ ଏକ ଆଦିବାସୀ ଯୁବକ(ଚୋରା ଦେଶୀ ମଦ ବ୍ୟବସାୟ) ଅବକାରୀ ମାମଲାରେ ଚଳିତ ଅକ୍ଟୋବର ୯ରେ ଗିରଫ ହୋଇ ବାରିପଦା ମଣ୍ଡଳ କାରାଗାରରେ ରହିଆସୁଛନ୍ତି । ଓକିଲମାନଙ୍କ ଆନେ୍ଦାଳନ ଫଳରେ ଓଡ଼ିଶାରେ ସମସ୍ତ କୋର୍ଟ କଚେରୀ କାର୍ଯ୍ୟ ବନ୍ଦ ରହୁଥିବାରୁ ବାରିପଦା କୋର୍ଟରେ ସଞ୍ଜୟଙ୍କ ଜାମିନ ଆବେଦନ ହୋଇପାରୁ ନାହିଁ । ଠିକ୍ ଏହିଭଳି ଏକ ଘଡ଼ିସନ୍ଦି ମୂହୁର୍ତ୍ତରେ ରାଜ୍ୟ ଗତି କରୁଥିବା ବେଳେ ଅକ୍ଟୋବର ୧୫ରେ ସଞ୍ଜୟ ସୋରେନଙ୍କ ମା’ ସୋମବାରୀ ସୋରେନଙ୍କ ମୃତୁ୍ୟ ହୋଇଥିଲା । ମା’ଙ୍କୁ ମୁଖାଗ୍ନି ଦେବା ସାଙ୍ଗକୁ ସାମାଜିକ ପ୍ରଥା ଓ ବିଧି ବ୍ୟବସ୍ଥା ଅନୁସାରେ ଅନ୍ତ୍ୟେଷ୍ଟି କ୍ରିୟା ସମ୍ପନ୍ନ କରିବା ପୁଅର ଅଧିକାର ହୋଇଥିବାରୁ ସଞ୍ଜୟ ସୋରେନଙ୍କ ଧର୍ମପତ୍ନୀ ବାସନ୍ତୀ ସୋରେନ ବାରିପଦା ମଣ୍ଡଳ କାରାଗାରର ଅଧିକ୍ଷକଙ୍କୁ ସାକ୍ଷାତ କରି ପାରୋଲରେ ଜାମିନରେ ଛାଡ଼ିବା ନିମନ୍ତେ ଆବେଦନ କରିଥିଲେ । ମାତ୍ର ଅଧିକ୍ଷକ ଅନ୍ୟ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି, ୱେଲଫେୟାର ଅଧିକାରୀ ଛୁଟିରେ ରହିଛନ୍ତି , ତେଣୁ ସଞ୍ଜୟ ସୋରେନଙ୍କ ଫାଇଲ ଏସଡ଼ିଜେଏମଙ୍କ ଅଦାଲତକୁ ମୁଭ୍ ହୋଇପାରିଲା ନାହିଁ । ଯେହେତୁ ସେମାନେ ଆଦିବାସୀ ସମ୍ପ୍ରଦାୟର ଗରୀବ ପରିବାରର ସଦସ୍ୟ ହୋଇଥିବାରୁ ଏହା ସମ୍ଭବ ହୋଇପାରିଲା ନାହିଁ । ଯଦି ଜଣେ ପଇସାବାଲା ଅଥବା ସାଧାରଣ ବର୍ଗର ଜନସାଧାରଣଙ୍କ କ୍ଷେତ୍ରରେ ଏହିଭଳି ପରିସ୍ଥିତି ଦେଖା ଦେଇଥିଲେ ସବୁ କିଛି ସଙ୍ଗେସଙ୍ଗେ ଓ ରାତି ଅଧରେ ସମ୍ଭବ ହୋଇପାରିଥାନ୍ତା । ସ୍ୱାମୀ ସଞ୍ଜୟ ତାଙ୍କ ମାଙ୍କୁ ମୁଖାଗ୍ନି ଦେବା ଓ ଅନ୍ତ୍ୟେଷ୍ଟି କ୍ରିୟା କରିବା ଆଦିରେ ଆଇନଗତ ଅଧିକାର ରହିଅଛି । ଏଥିରୁ ବଞ୍ଚିତ କରାଯିବାର ଅର୍ଥ ମାନବିକ ଅଧିକାରକୁ ଖୋଲାଖୋଲି ଉଲ୍ଲଙ୍ଘନ ବୋଲି ଅଭିଯୋଗ ବାଢ଼ିଛନ୍ତି ସଞ୍ଜୟଙ୍କ ସ୍ତ୍ରୀ ବାସନ୍ତୀ । ଏବିଷୟରେ ବାରିପଦା ମଣ୍ଡଳ କାରାଗାରର ଅଧିକ୍ଷକ ନିରଞ୍ଜନ ଦାସଙ୍କ ପ୍ରତିକ୍ରୟା ଜାଣିବା ନିମନ୍ତେ ଯୋଗାଯୋଗ ଉଦ୍ୟମ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରି ନ ଥିଲା । ଖବର ଲେଖାଯିବା ପର୍ଯ୍ୟନ୍ତ ସଞ୍ଜୟ ସୋରେନ ଜେଲରୁ ଜାମିନରେ ବାହାରକୁ ବାହାରିବା ସମ୍ଭବ ହୋଇନଥିଲା ।

0
0
0
s2sdefault