ହେଡଲାଇନସ୍:

ଓରମାସ ଶିଶିର ସରସ ପ୍ରସ୍ତୁତି ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

• ଏଥର ବରମୁଣ୍ଡା ପଡ଼ିଆରେ ଜାନୁଆରି 6ରୁ 15 ଜମିବ ଆସର

ଭୁବନେଶ୍ୱର:ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନସ୍ଥ ଓରମାସ ଦ୍ୱାରା ଆସନ୍ତା ଜାନୁଆରି ମାସରେ ଆୟୋଜନ ହେବାକୁ ଥିବା ଜାତୀୟସ୍ତରୀୟ ହସ୍ତତନ୍ତ, ହସ୍ତଶିଳ୍ପ ଓ ଖାଦ୍ୟ ମସଲାର ମେଳା ଶିଶିର ସରସ-2024ରେ, ସମସ୍ତ ସହଯୋଗୀ ବିଭାଗ ଏବଂ ସଂସ୍ଥା ପୂର୍ବ ବର୍ଷ ଭଳି ଏଥର ମଧ୍ୟ ମେଳାକୁ ସଫଳ କରିବା ପାଇଁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରିବେ । ଏଥିସହ, ସମସ୍ତ ସହଯୋଗୀ ବିଭାଗ ଏବଂ ସଂସ୍ଥା, ମେଳାରେ ସେମାନଙ୍କ ଦାୟିତ୍ୱ ସୁଚାରୁରୂପେ ସମ୍ପାଦନ କରିବେ । ମଙ୍ଗଳବାର ପୂର୍ବାହଣରେ ସ୍ଥାନୀୟ ଭୁବନେଶ୍ୱର ୟୁନିଟ-8 ସ୍ଥିତ ଏସ.ଆଇ.ଆର୍.ଡି କ୍ୟାମ୍ପସ ପରିସରରେ ଥିବା ମନରେଗା ସମ୍ମିଳୀନରେ କକ୍ଷରେ ଆୟୋଜିତ ଶିଶିର ସରସ-2024ର ପ୍ରସ୍ତ୍ତୁତି ବୈଠକରେ ଏହି ପରାମର୍ଶ ଦେଇଥିଲେ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀଯୁକ୍ତ ସୁଶୀଲ କୁମାର ଲୋହାନୀ । ପ୍ରସ୍ତ୍ତୁତି ବୈଠକରେ ଯୋଗଦେଇଥିବା ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ସ୍ୱାଗତ ଅଭିଭାଷଣ ପ୍ରଦାନ ଅବସରରେ ଓରମାସର ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପୁନମ ଟି. ଗୁହା, ସୂଚନା ଦେଇଥିଲେ ଯେ, ଏଥର ସ୍ଥାନୀୟ ବରମୁଣ୍ଡା ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ଶିଶିର ସରସ-2024 ମେଳା ଜାନୁଆରି 6ରୁ 15 ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଜାତୀୟସ୍ତରୀୟ ମେଳାରେ ମୋଟ 400ଟି ଷ୍ଟଲ ଖୋଲାଯିବ । ଏଥିରେ ଓଡ଼ିଶାର ସମସ୍ତ 30ଟି ଜିଲ୍ଲାରୁ ମହିଳା ଏସ୍.ଏଚ୍.ଜି, ଉତ୍ପାଦକ ଗୋଷ୍ଠୀ ଏବଂ ଉତ୍ପାଦକ ଉଦ୍ୟୋଗୀ ମାନଙ୍କ ସହିତ 26ଟି ରାଜ୍ୟର ମହିଳା ଏସ୍.ଏଚ୍.ଜି, ଉତ୍ପାଦକ ଗୋଷ୍ଠୀ ଏବଂ ଉତ୍ପାଦକ ଉଦ୍ୟୋଗୀ ମାନଙ୍କ ହାତ ତିଆରି ହସ୍ତଶିଳ୍ପ, ହସ୍ତତନ୍ତ ଓ ଖାଦ୍ୟ ମସଲା ସାମଗ୍ରୀ ଆଦି ବିଭିନ୍ନ୍ ଷ୍ଟଲରେ ବିକ୍ରି ହେବ ।
ସେହିପରି 20ଟି ଷ୍ଟଲକୁ ନେଇ ସ୍ୱତନ୍ତ୍ର ଫୁଡ୍ କୋର୍ଟ ସହ, ସେଲଫି ପଏଣ୍ଟ, ଓରମାସର ମାର୍କେଟିଂ, ଲାଇଭଲି ହୁଡସ୍ ଓ ଦକ୍ଷତା ବିକାଶ ଆଦି କାର୍ଯ୍ୟକ୍ରମକୁ ନେଇ ସ୍ୱତନ୍ତ୍ର ଥିମ୍ ଷ୍ଟଲ ପାଇଁ ମେଳାରେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ସରକାରୀ ଫ୍ଲାଗସିପ୍ ପ୍ରୋଗ୍ରାମ ଏବଂ ସ୍କିମ୍ ସମ୍ବନ୍ଧରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା; ସେହି ଆଧାରରେ ମେଳାରେ ପାନୀୟ ଜଳ, ଗୃହ, ସ୍ଥାୟୀ ବିକାଶ ଲକ୍ଷ୍ୟ (SDG) ଏବଂ ପରିବହନ ବିଭାଗ ଆଦି ତରଫରୁ ଆଇ.ଇ.ସି ଷ୍ଟଲ ଖୋଲାଯିବାକୁ ମଧ୍ୟ ଯୋଜନା ରଖାଯାଇଛି। ମେଳାରେ ମନୋରଞ୍ଜନ ପାଇଁ ପ୍ରଖ୍ୟାତ କଳାକାରମାନେ ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ |
ସେହିପରି ବରିଷ୍ଠ ନାଗରିକଙ୍କ ଏବଂ ଦିବ୍ୟାଙ୍ଗମାନଙ୍କ ପାଇଁ ବ୍ୟାଟେରୀ ଚାଳିତ ଗାଡ଼ି, କୁନି କୁନି ପିଲାଙ୍କ ମନୋରଞ୍ଜନ ପାଇଁ ସ୍ୱତନ୍ତ୍ର କିଡ୍ସ ଜୋନର ବ୍ୟବସ୍ଥା ମଧ୍ୟ କରାଯାଉଛି ବୋଲି ବୈଠକରେ ଓରମାସ ପକ୍ଷରୁ ସୂଚନା ଦିଆଯାଇଛି । ମେଳା ସମୟରେ ମୁଖ୍ୟତଃ ଭିଡ଼ ନିୟନ୍ତ୍ରଣ ଲାଗି ପୁଲିସ ଏବଂ ଟ୍ରାଫିକ ପୁଲିସ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରାଯିବ ବୋଲି ବୈଠକରେ ଉପସ୍ଥିତ ବିଭାଗୀୟ ଅଧିକାରୀମାନେ ସୂଚନା ଦେଇଥିଲେ । ବିଭିନ୍ନ ଘରୋଇ ତଥା ରାଷ୍ଟ୍ରାୟତ ବ୍ୟାଙ୍କ ପକ୍ଷରୁ ମେଳା ପରିସରରେ ଏ.ଟି.ଏମ ମେସିନ ଲଗାଇବା, ପାନୀୟ ଜଳ ଯୋଗାଣ ଆଦି ଉପରେ ସୂଚନା ପ୍ରଦାନ କରିଥିଲେ । ମେଳା ବୁଲିବାକୁ ଆସୁଥିବା ଲୋକଙ୍କ ପାଇଁ ଦୁଇ ଚକିଆ, ତିନି ଚକିଆ ଏବଂ ଚାରି ଚକିଆ (ହାଲୁକା ଯାନ) ରଖିବା ପାଇଁ ସ୍ୱତନ୍ତ୍ର ପାର୍କିଂ ଜୋନର ବ୍ୟବସ୍ଥା ମଧ୍ୟ କରାଯାଉଛି । ମେଳା ପରିସରକୁ ପରିଷ୍କାର ପରିଚ୍ଛନ ରଖିବା ଦିଗରେ ବି.ଏମ.ସି ଅଧିକାରୀଙ୍କ ସହିତ ମଧ୍ୟ ବିସ୍ତୃତ ଆଲୋଚନା କରାଯାଇଥିଲା । ମେଳାକୁ ଯଥା ସମ୍ଭବ ପଲିଥିନ ମୁକ୍ତ ନିଷିଦ୍ଧାଞ୍ଚଳ କରିବା ପାଇଁ ଉଦ୍ୟମ ହେବ ବୋଲି ମେଳା ଆୟୋଜକଙ୍କ ତରଫରୁ ସୂଚନା ଦିଆଯାଇଛି।
ଓପନ କୁଇଜ, ଛାତ୍ରଛାତ୍ରୀମାନଙ୍କ ପାଇଁ ଡ୍ରଇଂ ପ୍ରତିଯୋଗିତା ସହ ଅନେକ ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଏହି ପ୍ରସ୍ତୁତି ବୈଠକରେ ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନର ନିର୍ଦ୍ଦେଶକ ଶ୍ରୀଯୁକ୍ତ ସୁରେନ୍ଦ୍ର ମିନାଙ୍କ ସହ, ଭୁବନେଶ୍ୱର ପୁଲିସ, ଟ୍ରାଫିକ ପୁଲିସ ଏବଂ ଅଗ୍ନିସେବା ଶମ ବିଭାଗର ବରିଷ୍ଠ ଅଧିକାରୀ, ବି.ଏମ.ସି., ବିଡିଏ, ଓ୍ୱାଟକୋ, ସ୍ୱାସ୍ଥ୍ୟ ବିଭାଗ, ଏସ.ଏସ.ଇ.ପି.ଡି, ଟ୍ରାଇଫେଡ୍, ସଂସ୍କୃତି ବିଭାଗ, ବିଭିନ୍ନ ରାଷ୍ଟ୍ରାୟତ ଏବଂ ଘରୋଇ ବ୍ୟାଙ୍କିଂ ସଂସ୍ଥାର ଅଧିକାରୀ ସହ ବିଭିନ୍ନ ସରକାରୀ ସଂସ୍ଥା ଅଧିକାରୀ ଏବଂ ପ୍ରତିନିଧିମାନଙ୍କ ସହ ଓରମାସ ଅଧିକାରୀ ମଧ୍ୟ ଯୋଗଦେଇଥିଲେ।
2023 ମସିହାରେ, ଶିଶିର ସରସ ମେଳା, ଏଫ୍.ଆଇ.ଏଚ୍. ଓଡ଼ିଶା ହକି (ପୁରୁଷ)ବିଶ୍ୱ କପ ଚାମ୍ପିଅନସିପ ସମୟରେ ଆୟୋଜନ କରାଯାଇଥିଲା । ଏହି ସମୟରେ ଭୁବନେଶ୍ୱରରେ ଜାତୀୟସ୍ତରୀୟ ମେଳା ଶିଶିର ସରସ ସହିତ ଓଡ଼ିଶାର 30ଟି ଜିଲ୍ଲାରେ ମିନି ପଲ୍ଲିଶ୍ରୀ ମେଳାର ମଧ୍ୟ ଆୟୋଜନ କରାଯାଇଥିଲା । ବିଶ୍ୱ କପ୍ ହକି ଖେଳର ପ୍ରଚାର ପ୍ରସାର ସହିତ, ମେଳାରେ ଗ୍ରାମୀଣ କାରିଗରଙ୍କ ହସ୍ତଶିଳ୍ପ ସାମଗ୍ରୀର ଭଲ ବ୍ୟବସାୟ ମଧ୍ୟ ହୋଇଥିଲା। ଏହି ସମସ୍ତ ମେଳାରେ ମୋଟ 75 ଟଙ୍କା ବ୍ୟାବସାୟିକ କାରବାର ହୋଇଥିବା ବେଳେ, କେବଳ ଶିଶିର ସରସ ମେଳାରେ 23 କୋଟିରୁ ଅଧିକ ଟଙ୍କାର ବ୍ୟବସାୟ ହୋଇଥିବା ଓରମାସ ପକ୍ଷରୁ ସୂଚନା ଦିଆଯାଇଥିଲା।
ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନି, “ ଓରମାସ ଦ୍ୱାରା ଆୟୋଜିତ ଶିଶିର ସରସ ମେଳା ହେଉଛି ଓଡ଼ିଶା ତଥା ଦେଶର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଉତ୍ପାଦକ ଗୋଷ୍ଠୀ ଆଦି ଦ୍ୱାରା ଉତ୍ପାଦ ପ୍ରଦର୍ଶନ ଏବଂ ବିକ୍ରୟ ପାଇଁ ଏକ ନିଆରା ପ୍ଲାଟଫର୍ମ | ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସମସ୍ତ ବିଭାଗର ସହଯୋଗ କାମନା କରାଯାଉଛି। ”

0
0
0
s2sdefault