ହେଡଲାଇନସ୍:

ମାଆ ଓ ଗୁରୁ ସର୍ବଦା ପ୍ରେରଣାର ଉତ୍ସ: ରାଜ୍ୟପାଳ ରଘୁବର ଦାସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କଲରାବାଙ୍କ ଉଚ୍ଚ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ

କଲରାବାଙ୍କ, ୨୩ ।୧୨: ବିଶ୍ୱର ଯେତେସବୁ ମହାମାନବ ଓ ସାଧକ ରହିଆସିଛନ୍ତି ସେମାନଙ୍କ ପ୍ରେରଣାର ଉତ୍ସ ହେଉଛନ୍ତି ସେମାନଙ୍କ ମାଆ ଓ ଗୁରୁ । ଆଜି କଲରାବାଙ୍କ ଉଚ୍ଚ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେ ଏହା କହିଛନ୍ତି । ମାଆ ଓ ଗୁରୁଙ୍କ ପ୍ରେରଣା ଓ ଆଶୀର୍ବାଦ ବିନା ଆମ ଜୀବନରେ ସଫଳତା ମିଳିବା ସମ୍ଭବ ନୁହେଁ ବୋଲି ସେ କହିଥିଲେ । ଜଣେ ପୁରୁଷ ପତ୍ନୀଙ୍କୁ ହରାଇବା ପରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥାନ୍ତି । କିନ୍ତୁ ଜଣେ ନାରୀ ବିଧବା ହେବା ପରେ ନିଜ ପିଲାଙ୍କୁ ମଣିଷ ନ କରିବା ପର୍ଯ୍ୟନ୍ତ ସଂଗ୍ରାମ ଜାରି ରଖିଥାନ୍ତି । ଏଭଳି ଜଣେ ମାଆ ହେଉଛନ୍ତି ନୀଳିମାରାଣୀ ସାମନ୍ତ । ସେ ଅଚ୍ୟୁତ ସାମନ୍ତଙ୍କ ଭଳି ଜଣେ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ଭାରତୀୟ ସଂସ୍କୃତିରେ ନାରୀ ଶକ୍ତିକୁ ସର୍ବଦା ସମ୍ମାନ ପ୍ରଦାନ କରାଯାଇଆସୁଛି । ସେ ମାଆ ଦୁର୍ଗା, ମାଆ ସରସ୍ୱତୀ ଓ ମାଆ ଲକ୍ଷ୍ମୀ ଭାବେ ପୂଜା ପାଇ ଆସୁଛନ୍ତି ବୋଲି ରାଜ୍ୟପାଳ ରଘୁବର ଦାସ କହିଛନ୍ତି । ସମସ୍ତଙ୍କ ଜୀବନରେ ସବୁ କ୍ଷେତ୍ରରେ ଶିକ୍ଷା ହେଉଛି ଗୁରୁତ୍ୱପୂର୍ଣ୍ଣ । ଧନୀ ହେଉ କି ଗରିବ ସ୍ୱଚ୍ଛଳ ହେଉ କି ଅବହେଳିତ ସମସ୍ତଙ୍କର ଶିକ୍ଷା ଜନ୍ମଗତ ଅଧିକାର ହେଉଛି ଏକ ସିଦ୍ଧାନ୍ତ ବୋଲି କିସ୍ ମାଧ୍ୟମରେ ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସିଦ୍ଧ କରିଛନ୍ତି ବୋଲି ରାଜ୍ୟପାଳ କହିଥିଲେ।
କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ଯୋଗାଣ ତଥା ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତନ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ ସମ୍ମାନୀୟ ଅତିଥି ଭାବେ ଯୋଗଦେଇ କହିଲେ, ୨୦୦୬ ମସିହାରେ ମୁଁ ଯେତେବେଳେ କଲରାବାଙ୍କ ଆଦର୍ଶ ଗ୍ରାମ ଉଦ୍‌ଘାଟନ ଅବସରରେ ଏଠାକୁ ଆସିଥିଲି ଏହି ଗ୍ରାମକୁ ଏକ ସ୍ମାର୍ଟ ଗ୍ରାମରେ ପରିଣତ କରିବା ପାଇଁ ଅଚ୍ୟୁତ ସାମନ୍ତଙ୍କୁ ପରାମର୍ଶ ଦେଇଥିଲି । ଆଜି ୧୮ ବର୍ଷ ପରେ ଏହି ଗ୍ରାମର ରୂପରେଖ ସମ୍ପୂର୍ଣ୍ଣ ବଦଳି ଯାଇଥିବା ଦେଖି ମୁଁ ଅଭିଭୂତ ହୋଇଛି ବୋଲି ସେ କହିଥିଲେ । ଏହି ଗ୍ରାମ ଏବେ ଶିକ୍ଷିତ, ସମ୍ପନ୍ନ ଓ ଅଗ୍ରଣୀ ଗ୍ରାମରେ ପରିଣତ ହୋଇଛି । କଟକ ସାଂସଦ ଭର୍ତୃହରି ମହତାବ କହିଲେ, ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ସାଂସଦ ଆଦର୍ଶ ଗ୍ରାମ ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ଏହାର ଯଥେଷ୍ଟ ପୂର୍ବରୁ ଅଚ୍ୟୁତ ସାମନ୍ତଙ୍କ ନିଜ ଗ୍ରାମ କଲରାବାଙ୍କକୁ ଆଦର୍ଶଗ୍ରାମରେ ପରିଣତ କରିପାରିଥିଲେ । ଗୋଟିଏ ଅନୁଷ୍ଠାନ ସଫଳତାର ସହ ଦୀର୍ଘ ୨୫ ବର୍ଷ ଅତିକ୍ରମ କରିବା ପଛରେ ଅନେକଙ୍କ ଉଦ୍ୟମ ରହିଥାଏ । ବାସ ପାଇଁ ଘରର ଆବଶ୍ୟକତା ନ ଥାଉ ପଛେ ଚିନ୍ତାଧାରା ମହତ ହେବା ଦରକାର । ଏହା ଅଚ୍ୟୁତ ସାମନ୍ତ ପ୍ରମାଣ କରିଛନ୍ତି । ସବୁଠାରୁ ବଡ଼ କଥା ହେଉଛି ସେ କେବେ ଗାଁକୁ ଭୁଲି ନାହାନ୍ତି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା, ଓଡ଼ିଶା ମଣ୍ଡଳ ମୁଖ୍ୟ ମହାଡାକପାଳ ଶୁଭେନ୍ଦୁ ସ୍ୱାଇଁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ କଲରାବାଙ୍କ ଉଚ୍ଚ ବିଦ୍ୟାଳୟ ରୌପ୍ୟଜୟନ୍ତୀ ସ୍ମାରକୀ ସ୍ତମ୍ଭକୁ ରାଜ୍ୟପାଳ ଉଦ୍‌ଘାଟନ କରିଥିଲେ । ଏହା ସହ ଡାକ ବିଭାଗ ପକ୍ଷରୁ କଲରାବାଙ୍କ ଉଚ୍ଚ ବିଦ୍ୟାଳୟ ରୌପ୍ୟ ଜୟନ୍ତୀ ସ୍ମାରକୀ ଡାକ ଲଫାପା ଓ ବିଦ୍ୟାଳୟର ସ୍ମରଣିକା ‘କୃଷ୍ଣଚୂଡ଼ା’ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚନ ହୋଇଥିଲା । ବିଦ୍ୟାଳୟର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସଭାପତି ଡ. ଇତିରାଣୀ ସାମନ୍ତ ସଭା ପରିଚାଳନା କରିଥିଲେ । ପ୍ରଧାନଶିକ୍ଷକ ଯଚେନ୍ଦ୍ର ଲେଙ୍କା ବିଦ୍ୟାଳୟର ବିବରଣୀ ପାଠ କରିଥିଲେ । ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

0
0
0
s2sdefault