ଧାତବ ଶିଳ୍ପର ଦୀର୍ଘସ୍ଥାୟୀ ରୂପାନ୍ତରଣ ମୁଖ୍ୟ ପ୍ରସଙ୍ଗ
ଭୁବନେଶ୍ୱର : ଇଣ୍ଡିଆନ୍ ଇନଷ୍ଟିଟ୍ୟୁଟ ଅଫ୍ ମେଟାଲ୍ସର ୭୭ତମ ବାର୍ଷିକ ବୈଷୟିକ ବୈଠକ ଏବଂ ନ୍ୟାସନାଲ ମେଟାଲର୍ଜିଷ୍ଟ ଆୱାର୍ଡସ୍ (ଆଇଆଇଏମ୍-ଏଟିଏମ୍ ୨୦୨୩ ଆଣ୍ଡ୍ ଏନଏମ୍ଏ) ଚଳିତ ନଭେମ୍ବର ୨୨ ତାରିଖରେ ଭୁବନେଶ୍ୱରସ୍ଥିତ କିଟ୍ କନ୍ଭେନସନ୍ ସେଣ୍ଟରଠାରେ ଉଦ୍ଘାଟିତ ହୋଇଛି । ଧାତବ ଶିଳ୍ପର ଏହି ଅଗ୍ରଣୀ କାର୍ଯ୍ୟକ୍ରମ ଚଳିତ ନଭେମ୍ବର ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବାବେଳେ ଏହା ଆଇଆଇଏମ୍ର ଅନଗୁଳ, ସମ୍ବଲପୁର ଏବଂ ଭୁବନେଶ୍ୱର ଚାପ୍ଟର ପକ୍ଷରୁ ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ ଏବଂ କିଟ୍ ଡିମ୍ଡ ଟୁ ବି ୟୁନିଭରସିଟି, ଭୁବନେଶ୍ୱର ସହଯୋଗିତାର ଆୟୋଜନ କରାଯାଉଛି ।
ଏହାର ପୂର୍ଣ୍ଣାଙ୍ଗ ଅଧିବେଶନ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା, ଆଇଏଏସ୍ଙ୍କ ଦ୍ୱାରା ଓଡ଼ିଶା ସରକାରଙ୍କ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ଆଇଏଏସ୍, ଆଇଆଇଏମ୍ ପ୍ରେସିଡେଣ୍ଟ ତଥା ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ମ୍ୟାନେଜିଂ ଡାଇରେକ୍ଟର ଶ୍ରୀ ସତୀଶ ପାଇ, ଆଇଆଇଏମ୍ ଭାଇସ ପ୍ରେସିଡେଣ୍ଟ ଏବଂ ଚେୟାରମ୍ୟାନ୍, ଜେଏସ୍ଡବ୍ଲୁ୍ୟ ଗ୍ରୁପ୍ ଶ୍ରୀ ସଜ୍ଜନ ଜିନ୍ଦଲ, ସେଲ୍ ଚେୟାରମ୍ୟାନ୍ ଶ୍ରୀ ଅମରେନଦୁ ପ୍ରକାଶ, ଆଇଆଇଟି ହାଇଦରାବାଦର ଡାଇରେକ୍ଟର ତଥା ଆଇଆଇଏମ୍ ଭାଇସ୍ ପ୍ରେସିଡେଣ୍ଟ ପ୍ରଫେସର ବି ଏସ୍ ମୂର୍ତ୍ତି ଏବଂ ଚିଫ୍ ଏକ୍ଜିକୁ୍ୟଟିଭ ନୁ୍ୟକ୍ଲିୟର ଫୁଏଲ କମ୍ପେ୍ଲକ୍ସ ତଥା ଆଇଆଇଏମ୍ ଭାଇସ୍ ପ୍ରେସିଡେଣ୍ଟ ଡଃ.କୋମଲ କପୁରଙ୍କ ଉପସ୍ଥିତିରେ ଉଦ୍ଘାଟିତ ହୋଇଥିଲା ।
ରାଜ୍ୟର ଅଭିବୃଦ୍ଧି କ୍ଷେତ୍ରରେ ଖଣି କ୍ଷେତ୍ରର ଅବଦାନ ସମ୍ପର୍କରେ ଆଲୋକପାତ କରି ଶ୍ରୀ ଜେନା ତାଙ୍କ ଉଦବୋଧନରେ କହିଥିଲେ, “୨୦୧୬-୧୭ରେ ଖଣି କ୍ଷେତ୍ରର ରାଜସ୍ୱ ଅବଦାନ ପ୍ରାୟ ୪୯୦୦ କୋଟି ଟଙ୍କା ଥିବାବେଳେ ୨୦୨୧-୨୨ରେ ତାହା ପ୍ରାୟ ୫୦,୦୦୦ କୋଟି ଟଙ୍କାରେ ପହଞ୍ଚିଛି । ଏହା ୫ ବର୍ଷ ମଧ୍ୟରେ ପ୍ରାୟତଃ ୧୦ଗୁଣ ବୃଦ୍ଧିପାଇଛି । ଓଡ଼ିଶା ସରକାର ଧାତୁ ଏବଂ ଧାତବ କ୍ଷେତ୍ର ସମ୍ପର୍କିତ ଭିତ୍ତିଭୂମିର ଗୁରୁତ୍ୱକୁ ଉପଲବ୍ଧି କରୁଛନ୍ତି ଏବଂ ଏହାପ୍ରତି ସମର୍ଥନ ଯୋଗାଇଦେବାକୁ ପ୍ରତିବଦ୍ଧ ଅଛନ୍ତି ।”
ଶ୍ରୀ ସତୀଶ ପାଇ, ପ୍ରେସିଡେଣ୍ଟ ଆଇଆଇଏମ୍ ଏବଂ ଏମ୍ଡି ହିଣ୍ଡାଲକୋ କହିଥିଲେ, “ଚଳିତ ବର୍ଷ ସମ୍ମିଳନୀର ବିଷୟବସ୍ତୁ-“ଧାତୁ ଶିଳ୍ପରେ ଦୀର୍ଘସ୍ଥାୟୀ ରୂପାନ୍ତରଣ’- ପରିବେଶଗତ ଦୃଷ୍ଟିରୁ ଦାୟିତ୍ୱସମ୍ପନ୍ନ ଶୈଳୀରେ ଧାତବ ଶିଳ୍ପ ପରିଚାଳନାକୁ ସମର୍ଥ କରିବା ନିମନ୍ତେ ଆମ ସମୁଦାୟ ପ୍ରତି ଏକ ସ୍ପଷ୍ଟ ଆହ୍ୱାନ ହୋଇଛି । ଏହି ଶିଳ୍ପ କେବଳ କାୟାପରିବର୍ତ୍ତନ ଚାହୁଁନାହିଁ, ବରଂ ଧାତବ ରୂପାନ୍ତରଣ ଆବଶ୍ୟକ କରୁଛି । ହିଣ୍ଡାଲକୋ ଏହି ବିଷୟ ଆମ ଯାତ୍ରାରେ ଏକ ପରମ୍ପରା ଥିବା ଧାତବ ଉତ୍ପାଦନକାରୀରୁ ଏକ ବୈଶ୍ୱିକ ଦୀର୍ଘସ୍ଥାୟୀ ନେତୃତ୍ୱ ପ୍ରଦାନକାରୀ ପ୍ରସଙ୍ଗକୁ ଧାରଣ କରୁଛି । ମୋର ବିଶ୍ୱାସ, ଆଇଆଇଏମ୍-ଏଟିଏମ୍ ବିଶେଷଜ୍ଞ, ଗବେଷକ ଏବଂ ଏହି ଶିଳ୍ପର ନେତୃବୃନ୍ଦଙ୍କୁ ପରସ୍ପର ସହିତ ହାତମିଳାଇ ଧାତବ ଶିଳ୍ପର ଭବିଷ୍ୟତକୁ ଏକ ନିର୍ଦ୍ଧିଷ୍ଟ ରୂପ ଦେବା ସକାଶେ ଏକ ଅନନ୍ୟ ମଞ୍ଚ ଯୋଗାଇଦେଇ ଧାତବ କ୍ଷେତ୍ରର ପୂର୍ଣ୍ଣ ରୂପାନ୍ତରଣ ଆତ୍ମାର ପ୍ରତୀକ ହେବ ।
ଏହି କାର୍ଯ୍ୟକ୍ରମ ଅବସରରେ ବିଭିନ୍ନ ଅଧିବେଶନରେ ୬୦ଜଣ ବିଶିଷ୍ଟ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରର ବକ୍ତା ସେମାନଙ୍କର ମୂଲ୍ୟବାନ ବକ୍ତବ୍ୟ ରଖିବାକୁ ଯାଉଥିବାବେଳେ ୧୦ଟି ସମାନ୍ତରାଳ ବୈଷୟିକ ଅଧିବେଶନରେ ପ୍ରାୟ ୭୦୦ ବୈଷୟିକ ଦସ୍ତାବିଜ୍ ଉପସ୍ଥାପନ ହେବାକୁ ଯାଉଛି । ସମଗ୍ର ବିଶ୍ୱରୁ ସରକାର, ରାଷ୍ଟ୍ରାୟତ୍ତ ଉଦ୍ୟୋଗସମୂହ, ଧାତବ ଶିଳ୍ପ, ବିଶିଷ୍ଟ କର୍ପୋରେଟ ସଂସ୍ଥା ଏବଂ ଗବେଷଣା ପ୍ରତିଷ୍ଠାନର ବରିଷ୍ଠ ଅଧିକାରୀଙ୍କ ସମେତ ୧୩୦୦ରୁ ଅଧିକ ଅଂଶଗ୍ରହଣକାରୀ ଏହି ତିନିଦିନିଆ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି ।
ଆଇଆଇଏମ୍-ଏଟିଏମ୍ ୨୦୨୩ ଆୟୋଜନକାରୀ କମିଟିରେ ଶ୍ରୀ ଏସ୍ ଏସ୍ ମହାନ୍ତି, ଚେୟାରମ୍ୟାନ ଆଇଆଇଏମ୍-ଏଟିଏମ୍ ୨୦୨୩ ଏବଂ ଏମ୍ଡି ଓ ସିଇଓ, ଏସାର ମିନ୍ମେଟ୍, ଶ୍ରୀ ବିଭୁ ମିଶ୍ର, କନ୍ଭେନର ଆଇଆଇଏମ୍-ଏଟିଏମ୍ ୨୦୨୩ ତଥା ଆଡଭାଇଜର୍, ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ ପ୍ରମୁଖ ରହିଛନ୍ତି ।
ଇଣ୍ଡିଆନ୍ ଇନଷ୍ଟିଚୁ୍ୟଟ ମେଟାଲ୍ସ ବିଶ୍ୱବ୍ୟାପୀ ଏକ ପ୍ରମୁଖ ଧାତମ ଓ ପଦାର୍ଥ ସଂଗଠନ ଭାବରେ ସୁପରିଚିତ, ଯାହା ଧାତୁ ବିଜ୍ଞାନ ଏବଂ ପ୍ରଯୁକ୍ତି କ୍ଷେତ୍ରରେ ଉନ୍ନତ ଅଧ୍ୟୟନ, କାର୍ଯ୍ୟାଭ୍ୟାସ ଏବଂ ଗବେଷଣାକୁ ପ୍ରୋତ୍ସାହିତ କରିବା ନିମନ୍ତେ ପ୍ରତିବଦ୍ଧ । ବିଶାଳ ସଂଖ୍ୟକ ସଦସ୍ୟତା ସହିତ ଆଇଆଇଏମ୍ର ସମ୍ପ୍ରତି ଭାରତର ପ୍ରାୟ ସମସ୍ତ ଗୁରୁତ୍ୱପୂର୍ଣ୍ଣ ସହର ଏବଂ ଶିଳ୍ପାଞ୍ଚଳ ସହରଗୁଡିକରେ ଚାପ୍ଟର ରହିଛି । ଆଇଆଇଏମ୍-ଏଟିଏମ୍ ୨୦୨୩ ଏବଂ ଏନଏମ୍ଏ ଧାତବ ଶିଳ୍ପ ପ୍ରତି ସୃଷ୍ଟି ହେଉଥିବା ଉଲ୍ଲେଖନୀୟ ଆହ୍ୱାନଗୁଡିକ ସମ୍ପର୍କରେ ସଘନ ଆଲୋଚନା ଏବଂ ମାନସମନ୍ଥନ କରାଯିବ ବୋଲି ଜଣାଯାଇଛି ।
ସମ୍ମାନନୀୟ କେନ୍ଦ୍ର ଇସ୍ପାତ ଓ ଗ୍ରାମ୍ୟ ବିକାଶ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଫଗନ ସିଂହ କୁଲସ୍ତେ ଏନଏମ୍ଏ ପୁରସ୍କାର ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ । ଶ୍ରୀ ନଗେନ୍ଦ୍ର ନାଥ ସିହ୍ନା, ଆଇଏଏସ୍, ସଚିବ, ଇସ୍ପାତ ମନ୍ତ୍ରଣାଳୟ ସମ୍ମାନନୀୟ ଅତିଥି ଭାବରେ ଏନଏମ୍ଏ ପୁରସ୍କାର ସମାରୋହରେ ଉଦ୍ବୋଧନ ଦେଇଥିଲେ । ଜୀବନବ୍ୟାପୀ ସଫଳତା, ନ୍ୟାସନାଲ ମେଟାଲର୍ଜିଷ୍ଟ, ଲୌହ ଓ ଇସ୍ପାତ କ୍ଷେତ୍ରରେ ଆର୍ ଆଣ୍ଡ ଡି, ଧାତୁ ବିଜ୍ଞାନରେ ଯୁବ ମେଟାଲର୍ଜିଷ୍ଟ ଏବଂ ପରିବେଶ ବିଜ୍ଞାନରେ ଯୁବ ମେଟାଲର୍ଜିଷ୍ଟ ଆଦି ମେଟାଲର୍ଜିର ପାଞ୍ଚଟି ବର୍ଗରେ ବିଶେଷଜ୍ଞମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।
ଡଃ.ଅଜିତ କୁମାର ମହାନ୍ତି, ଚେୟାରମ୍ୟାନ୍, ଆଟମିକ୍ ଏନର୍ଜି କମିଶନ ତଥା ସଚିବ, ଆଣବିକ ଶକ୍ତି ବିଭାଗ, ଭାରତ ସରକାର, ଚଳିତ ମାସ ୨୩ ତାରିଖରେ କାର୍ଯ୍ୟକ୍ରମରେ ଯୋଗଦେଉଥିବା ବିଶିଷ୍ଟ ବ୍ୟକ୍ତିବିଶେଷ, ଅଂଶଗ୍ରହଣକାରୀ ଏବଂ ଧାତବ ଶିଳ୍ପର ପ୍ରତିନିଧିମାନଙ୍କୁ ଉଦବୋଧନ ଦେବାକୁ ଉପସ୍ଥିତ ରହିବେ ।
ଶ୍ରୀ ଟି ଭି ନରେନ୍ଦ୍ରନ୍, ଗ୍ଲୋବାଲ୍ ସିଇଓ ଆଣ୍ଡ ମ୍ୟାନେଜିଂ ଡାଇରେକ୍ଟର, ଟାଟା ଷ୍ଟିଲ୍ ଜେଆରଡି ଟାଟା ଲିଡରସିପ୍ ଆୱାର୍ଡ ୨୦୨୩ ସମ୍ମାନ ଲାଭ କରିଛନ୍ତି । ଏହା ଆଇଆଇଏମ୍ ବାର୍ଷିକ ବୈଷୟିକ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଛି ।







