ହେଡଲାଇନସ୍:

ଶ୍ରୀରଘୁନାଥ ଜିଉଙ୍କ ପୀଠରେ ପବିତ୍ର ଅଁଳାନବମୀ ଓ ରାଧାଙ୍କ ପାଦ ଦର୍ଶନ ନୀତି ଅନୁଷ୍ଠିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଓଡ଼ଗାଁ,୨୧।୧୧(ଶ୍ରୀକାନ୍ତ କୁମାର ମିଶ୍ର): ମଙ୍ଗଳବାର ପବିତ୍ର କାର୍ତିକମାସ ଶୁକ୍ଳ ନବମୀ ତିଥିରେ ଓଡଗାଁ ବିଜେ ଶ୍ରୀରଘୁନାଥଜୀଉଙ୍କ ପୀଠରେ ପରମ୍ପରା ଅନୁଯାଇ ଅଁଳାନବମୀ ନୀତି ପାଳିତ ହୋଇଯାଇଛି । କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ନବମୀ ତିଥୁରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଭଗବାନ ଶ୍ରୀ ବିଷ୍ଣୁ ଅଁଳା ଗଛରେ ଅବସ୍ଥାନ କରିଥାନ୍ତି । ତେଣୁ ଅଁଳା ନବମୀ ଦିନ ଅଁଳା ଗଛକୁ ପୂଜା କରାଯାଇଥାଏ । ଏହି ଦିନଟି ମଧ୍ଯ ଅକ୍ଷୟ ନବମୀ ଭାବରେ ପରିଚିତ। ଶାସ୍ତ୍ରରେ ଅକ୍ଷୟ ନବମୀର ମହତ୍ତ୍ବକୁ ବୈଷ୍ଣବ ମାସର ତୃତୀୟା ଅର୍ଥାତ୍ ଅକ୍ଷୟ ତୃତୀୟାର ମହତ୍ତ୍ବ ସହିତ ମଧ୍ୟ ତୁଳନା କରାଯାଇଛି । ଅନ୍ୟପକ୍ଷରେ ଅଁଳା ନବମୀ କୁଷ୍ମାଣ୍ଡା ନବମୀ ଏବଂ ଜଗଦ୍ଧାତ୍ରୀ ପୂଜା ନାମରେ ମଧ୍ୟ ବେଶ୍ ଜଣାଶୁଣା । ଶାସ୍ତ୍ରରେ କୁହାଯାଇଛି ଯେ ଅଁଳା ନବମୀ ଦିନ କରିଥିବା ପବିତ୍ର କାର୍ଯ୍ୟର ଅନ୍ତ ନାହିଁ। ଦାନ, ଉପାସନା, ଭକ୍ତି, ସେବା ଇତ୍ୟାଦି ପରି କାର୍ଯ୍ୟର ଗୁଣ ଓ ଫଳ ଜନ୍ମ-ଜନ୍ମାନ୍ତର ପାଇଁ ସାଇତା ହୋଇ ରହିଯାଏ । ଏଣୁ ଏହା ଅକ୍ଷୟ ନବମୀର ସାର୍ଥକତା ବହନ କରେ । ବିଶ୍ବାସ କରାଯାଏ ଯେ ଏହି ଦିନ ଦ୍ବାପର ଯୁଗର ଆରମ୍ଭ ହୋଇଥିଲା ଏବଂ ଭଗବାନ କୃଷ୍ଣ ମଥୁରା ଗମନ କରିଥିଲେ।

ଏହି ଅବସରରେ ଓଡ଼ଗାଁ ବିଜେ ଶ୍ରୀ ରଘୁନାଥ ଜିଉଙ୍କ ମନ୍ଦିର ଭୋର ୪ଟାରେ ଫିଟା ହୋଇ ଶୋଧନ ନିତି ପରେ ସକାଳ ୫ଟାରେ ମଙ୍ଗଳଆଳତୀ, ଅବକାଶ, ପଂଚାମୃତସ୍ନାନ, ମଇଲମ, ତଡପଲାଗି, ଖଟଣୀ ନୀତି ସରିଥିଲା । ପରେ ପାଳିଆ ପଣ୍ଡା ମାତା ସୀତାଙ୍କୁ ଖାଣ୍ଟି ଓଡିଆଣୀ ବେଶରେ ସଜ୍ଜିତ କରିବା ସହିତ ଦୁଇ ଠାକୁରଙ୍କୁ ସୁନ୍ଦର ଭାବରେ ସଜାଇ ଅଁଳା ମାଳ ଅର୍ପଣ କରିଥିଲେ । ଆଜି କୋହଲା ପାଗ ସତ୍ୱେ ଭୋର ସମୟରୁ ପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁମାନଙ୍କ ଭିଡ ଲାଗିରହିଥିଲା । ପାଳିଆ ପଣ୍ଡା ଓ ପୂଜକ ପରିଷଦର ସମସ୍ତ କର୍ମକର୍ତା, ମନ୍ଦିର ପରିଚ୍ଛା, ମନ୍ଦିର ପରିଚାଳକଙ୍କ ଦ୍ବାରା ଆଜିର ସମସ୍ତ ନୀତିକାନ୍ତି ସଂପାଦିତ ହୋଇଥିଲା । ସେହିପରି ସ୍ଥାନୀୟ ରାଧାକାନ୍ତ ମଠ, ସ୍ଥାନୀୟ ଲକ୍ଷ୍ମୀ ମନ୍ଦିର ସହିତ ଓଡ଼ଗାଁ ଅଂଚଳର ବିଭିନ୍ନ ମଠ ଓ ମନ୍ଦିର ମାନଙ୍କରେ ରାଧାରାଣୀଙ୍କ ପାଦ ଦର୍ଶନ ପରମ୍ପରା ପାଇଁ ମନ୍ଦିର ପରିସର ଉତ୍ସବ ମୁଖର ରହିଥିବା ଦେଖିବାକୁ ମିଳିଥିଲା ।

0
0
0
s2sdefault