ହେଡଲାଇନସ୍:

ଏସ୍‌ଆଇଏଚ୍ -୨୦୨୩ ନିମନ୍ତେ ଆଇଟିଇଆର୍‌ର ୧୦ଟି ହାକାଥନ୍ ଟିମ୍ ଯୋଗ୍ୟ ବିବେଚିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର, ସେପ୍ଟେମ୍ବର ୨୧ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ର ୧୦ ଟିମ୍‌ର ଛାତ୍ରଛାତ୍ରୀମାନେ ସମ୍ମାନଜନକ ସ୍ମାର୍ଟ ଇଣ୍ଡିଆ ହାକାଥନ୍ (ଏସ୍‌ଆଇଏଚ୍‌) – ୨୦୨୩ରେ ପ୍ରତିଯୋଗିତା ନିମନ୍ତେ ଯୋଗ୍ୟ ବିବେଚିତ ହୋଇଛନ୍ତି । ଶିକ୍ଷାନୁଷ୍ଠାନ ସ୍ତରରେ ଆୟୋଜିତ ହୋଇଥିବା ପ୍ରି-କ୍ୱାଲିଫିକେସନ୍ ରାଉଣ୍ଡ ହାକାଥନ୍ – ହାକରୱାର ୪.୦ ରେ ଏହି ଟିମ୍‌ଗୁଡ଼ିକ ଭାଗ ନେଇଥିଲେ ।
ଆଇଟିଇଆର୍‌ର ହାକାଥନ୍ ସିରିଜ୍‌ର ୪ର୍ଥ ସଂସ୍କରଣ ହାକରୱାର ୪.୦ ସେପ୍ଟେମ୍ବର ୧୬-୧୭ ତାରିଖରେ ଲଗାତର ୨୪ ଘଂଟା ଧରି ଭର୍ଚୁଆଲ୍ ମୋଡ୍‌ରେ ଆୟୋଜିତ ହୋଇଥିଲା । ଏଥିରେ ଶିକ୍ଷାନୁଷ୍ଠାନର ବିଭିନ୍ନ ଡିପାର୍ଟମେଂଟର ୭୧ଟି ଟିମ୍ ଭାଗ ନେଇଥିଲେ ।
ଆଇଟିଇଆର୍‌ର କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ବିଭାଗ ପକ୍ଷରୁ ଆୟୋଜିତ ଏବଂ ଶିକ୍ଷାନୁଷ୍ଠାନର କୋଡେକ୍ସ କ୍ଲବ୍‌, ସେଂଟର ଫର ଇନୋଭେସନ୍ ଆଣ୍ଡ ଇନ୍‌କ୍ୟୁବେସନ୍ (ସୋଆ ସିଆଇଆଇ) ଏବଂ ଅଟଳ ଇନୋଭେସନ୍ ସେଂଟର- ସୋଆ ଫାଉଣ୍ଡେସନ୍ (ଏଆଇସି ସୋଆ)ର ସହଭାଗିତାରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ବୋଲି ସିଏସ୍‌ଇ ବିଭାଗର ମୁଖ୍ୟ ପ୍ରଫେସର ଦେବାହୁତି ମିଶ୍ର କହିଛନ୍ତି ।
ସ୍ମାର୍ଟ ଇଣ୍ଡିଆ ହାକାଥନ୍ (ଏସ୍‌ଆଇଏଚ୍‌) ହେଉଛି କେନ୍ଦ୍ର ସରକାରଙ୍କର ଏକ ବାର୍ଷିକ କାର୍ଯ୍ୟକ୍ରମ ଯାହାକି ଭାରତ ବର୍ଷର ବିଭିନ୍ନ ଶିକ୍ଷାନୁଷ୍ଠାନ ଏବଂ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନଙ୍କର ନୂତନ ଗବେଷଣା ଏବଂ ସମସ୍ୟା ସମାଧାନ କରିବାର ଦକ୍ଷତାକୁ ବୃଦ୍ଧି କରାଇବା ନିମନ୍ତେ ଉଦ୍ଦିଷ୍ଟ ।
ଏସଆଇଏଚ୍‌-୨୦୨୩ ବ୍ୟତୀତ ହାକାଥନ୍ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦକ୍ଷତା, ସମସ୍ୟା ସମାଧାନ କରିବାର କ୍ଷମତା ଏବଂ ଅନୁଷ୍ଠାନର ଭବିଷ୍ୟତର ଇଞ୍ଜିନିୟରଙ୍କ ମଧ୍ୟରେ ଟିମ୍ ସ୍ପିରିଟ୍ ଆଣିବାରେ ସହାୟକ ହୋଇଥାଏ ବୋଲି ପ୍ରଫେସର ମିଶ୍ର କହିଥିଲେ ।
ଟେଲିକମ୍ୟୁନିକେସନ୍ ବିଭାଗର ନିର୍ଦ୍ଦେଶକ (ଟେକ୍ନୋଲୋଜି ଏବଂ ରୁରାଲ୍ ଡେଭେଲପ୍‌ମେଂଟ) ଶ୍ରୀ ସୁବ୍ରତ୍ କୁମାର ପୃଷ୍ଟି, ଟିସିଏସ୍‌ର ସିନିୟର୍ କନ୍‌ସଲ୍‌ଟାଂଟ ଶ୍ରୀ ଶ୍ରୀକାନ୍ତ ମହାପାତ୍ର ଏବଂ ସିନିୟର କନ୍‌ସଲ୍‌ଟାଂଟ ଶ୍ରୀ ବିଶ୍ୱରଞ୍ଜନ ଜେନା ବିଚାରକ ଭାବେ ଶ୍ରେଷ୍ଠ ୧୦ଟି ପ୍ରୋଜେକ୍ଟର ଅନୁଶୀଳନ କରିଥିଲେ ।
ଟିମ୍ ହାକ୍‌ଟିଭିଷ୍ଟର ସୁବ୍ରତ କୁମାର ସାହୁ, ଜିତିନ୍ ମହାନ୍ତି, ଶାନ୍ତନୁ କୁମାର ମିଶ୍ର, ସୁନୀଲ କୁମାର ପ୍ରଧାନ, କେ. ନମୀଶା ଓ ଶ୍ୱେତପଦ୍ମା ମିଶ୍ର ଶ୍ରେଷ୍ଠ ଟିମ୍ ଭାବେ ମନୋନୀତ ହୋଇଥିବା ବେଳେ ଟିମ୍ ବାଇଟ୍‌ମି ଓ ହାକ୍‌ସ୍କ୍ୱାଡ ଦ୍ୱିତୀୟ ଏବଂ ତୃତୀୟ ଟିମ୍ ଭାବେ ବିବେଚିତ ହୋଇଥିଲେ ।
ବିଜେତା ଟିମ୍‌କୁ ୧୦ ହଜାର ଟଙ୍କା ଅର୍ଥ ରାଶି ପୁରସ୍କାର ଦିଆଯାଇଥିବା ବେଳେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା ଟିମ୍‌କୁ ୮୦୦୦ ଓ ୫୦୦୦ ଟଙ୍କା ପ୍ରଦାନ କରାଯାଇଥିଲା । ଟପ୍ ଟେନ୍ ବିଜେତା ଟିମ୍ ସ୍ମାର୍ଟ ଇଣ୍ଡିଆ ହାକାଥନ୍ ୨୦୨୩ରେ ଭାଗ ନେବେ ବୋଲି ପ୍ରଫେସର ମିଶ୍ର କହିଛନ୍ତି ।
ଏହି ଅବସରରେ ସିଏସ୍‌ଇ ବିଭାଗର ପ୍ରଫେସର ତଥା ଆସିଷ୍ଟାଂଟ ହେଡ୍ ପ୍ରଫେସର ସାରଦା ପ୍ରସନ୍ନ ପତି, ଆସୋସିଏଟ୍ ପ୍ରଫେସର ଡକ୍ଟର ସୁସ୍ମିତା ପଣ୍ଡା, ଡକ୍ଟର ନିକୁଞ୍ଜ ବିହାରୀ କର ଏବଂ ଏସ୍‌ଆଇଏଚ୍ ୨୦୨୩ ର ଏସ୍‌ପିଓସି ଡକ୍ଟର ସଞ୍ଜୟ କୁମାର ସୋନ୍‌ଭଦ୍ର ଉପସ୍ଥିତ ଥିଲେ ।

0
0
0
s2sdefault