ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଖାଇ ଆଜି ଘରେ ଘରେ ପାଳିତ ହୋଉଛି । ଯେ ଯେଉଁଠି ଥିଲେ ମଧ୍ୟ ଏହି ଦିନକ ପାଇଁ ସମସ୍ତ ପରିବାର ଏକତ୍ରିତ ହୋଇ ନିଜ କୂଳ ଦେବାଦେବୀ ଙ୍କ ନୂଆ ଚରା ଭୋଗ ଲଗାଇ ସମସ୍ତେ ଗୋଟିଏ ସ୍ଥାନରେ ବସି ଏକା ସାଙ୍ଗରେ ନୂଆ ଖାଇଥାନ୍ତି । ବର୍ତ୍ତମାନ ସମୟରେ ନୂଆଖାଇ କେବଳ ପଶ୍ଚିମ ଓଡ଼ିଶାରେ ନୁହେଁ କି ଓଡ଼ିଶା ରେ ନୁହେଁ ଦେଶ ଭିତରେ ଓ ବିଦେଶରେ ମଧ୍ୟ ପାଳନ କରାଯାଉଛି । ଗୋଟିଏ ପରିବାର ଏକତ୍ରିତ ହୋଇ ନୂଆଖାଇ ପାଳନ କରୁଥିବା ବେଳେ କିଛି ଗ୍ରାମରେ ସମସ୍ତ ଗ୍ରାମବାସୀ ମିଶି ଏକା ସାଙ୍ଗରେ ନୂଆଖାଇ ପାଳନ କରିଥାନ୍ତି । ଏହି ଭଳି ଏକ ନିଆରା ଗ୍ରାମ ହେଉଛି ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ କୁମୀର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାରମଶିଲି ଗ୍ରାମ । ଏହି ଗ୍ରାମରେ ଗ୍ରାମର ଗୌତିଆ ତଥା ପୂର୍ବତନ ସରପଞ୍ଚ ଭିକାରୀ ଚରଣ ସାହୁ ଙ୍କ ନେତୃତ୍ୱରେ ଦୀର୍ଘ ୨୦ ବର୍ଷ ହେବ ଏକା ସାଙ୍ଗରେ ନୂଆଖାଇ ପାଳନ କରିବା ସହ ନୂଆ ଖାଉଛନ୍ତି ଗ୍ରାମବାସୀ । ଆଜି ସକାଳୁ ଗ୍ରାମର ଆବାଲ ବୃଦ୍ଧ ବନିତା ଗୌତିଆଙ୍କ ଘର ସମ୍ମୁଖରେ ଏକତ୍ରିତ ହୋଇଥିଲେ । ପରେ ଗ୍ରାମର ସଙ୍କୀର୍ତ୍ତନ ମଣ୍ଡଳ ପାଖରୁ ଭଜନ ଗାନ କରାଯିବ ସହ ନୃତ୍ୟ ପରିବେଷଣ କରାଯାଇଥିଲା । ପରେ ଗୌତିଆ ଶ୍ରୀ ସାହୁ ଓ ତାଙ୍କ ସହଧର୍ମିଣୀ ତଥା କୁମିର ସରପଞ୍ଚ ଯମୁନା ସାହୁ ଏବଂ ଗ୍ରାମର କିଛି ମହିଳା ମିଶି ଗ୍ରାମ୍ୟ ଦେବୀଙ୍କୁ ପୂଜା କରିବା ସହ ନୂଆ ଚରା ଭୋଗ ଅର୍ପଣ କରୁଥିଲେ । ପରେ ଗ୍ରାମବାସୀଙ୍କ ପକ୍ଷରୁ ଗୌତିଆ ଶ୍ରୀ ସାହୁ ଓ ତାଙ୍କ ସହଧର୍ମିଣୀ ଙ୍କୁ ପରମ୍ପରା ଅନୁଯାୟୀ ଫୁଲମାଳ ,ଚନ୍ଦନ ,ସିନ୍ଦୂର ଓ ଉପଢୌକନ ପ୍ରଦାନ କରିବା ସହ ନୂଆଖାଇ ଜୁହାର ଜଣାଇଥିଲେ । ପରେ ସମସ୍ତ ଗ୍ରାମବାସୀ ଗୋଟିଏ ସ୍ଥାନରେ ବସି ନୂଆ ଚରା ବା ନୂଆଖାଇ ଭୋଗ ଗ୍ରହଣ କରିଥିଲେ । ସମସ୍ତେ ଖାଇସାରିବା ପରେ ସମସ୍ତେ ନିଜ ଠାରୁ ବଡ଼ ଲୋକଙ୍କୁ ନୂଆଖାଇ ଜୁହାର ଜଣାଇଥିଲେ । ଏହି ପରମ୍ପରା ଆଗକୁ ମଧ୍ୟ ଜାରିରହିବ ବୋଲି ମତ ଦେଇଛନ୍ତି ସାରମଶିଲି ଗୌତିଆ ତଥା ପୂର୍ବତନ ସରପଞ୍ଚ ଭିକାରୀ ଚରଣ ସାହୁ ।















