ଭୁବନେଶ୍ୱର:ଭୁବନେଶ୍ୱର ମହାନଗର ନିଗମ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫ ଲକ୍ଷ ୪୩ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି । ବିଏମସି ମେୟର ଶ୍ରୀମତୀ ସୁଲୋଚନା ଦାସ, ଡେପୁଟୀ ମେୟର ଶ୍ରୀମତୀ ମଞ୍ଜୁଲତା କଅଁରଙ୍କ ସହ ବିଏମସିର ବିଭିନ୍ନ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଥିବା ବିରଞ୍ଚି ନାରାୟଣ ମହାସୁପକାର, ମହାମାୟା ସ୍ୱାଇଁ, ମିହିର କୁମାର ରାଉତ, ପ୍ରେମାନନ୍ଦ ଜେନା ଓ କର୍ପୋରେଟର ଅଜିତ୍ କୁମାର ବେହେରା ସନ୍ତୋଷ ସିଂଙ୍କ ସମେତ ଅନ୍ୟ କର୍ପୋରେଟରମାନେ ଆଜି ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କୁ ସାକ୍ଷାତ କରି ଏହି ସହାୟତା ରାଶି ଚେକ୍ ଆକାରରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି । ଏହି ସହାୟତା ପ୍ରଦାନ ପରିପ୍ରେକ୍ଷୀରେ ମେୟର ଶ୍ରୀମତୀ ଦାସ ଉଲ୍ଲେଖ କରିଛନ୍ତି ଯେ, ବାଲେଶ୍ୱର ବାହାନଗା ବଜାର ଠାରେ ଘଟିଯାଇଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ସମସ୍ତଙ୍କୁ ମର୍ମାହତ କରିଛି । ଦୁର୍ଘଟଣାଗ୍ରସ୍ତ ତଥା ମୃତକଙ୍କ ପରିବାରଙ୍କ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସହାୟତା ଘୋଷଣା କରିବା ସହ ରିଲିଫ ଓ ଥଇଥାନ ବ୍ୟବସ୍ଥା କରୁଛନ୍ତି । ଏହି ପରିପ୍ରେକ୍ଷୀରେ ବିଏମସି ତରଫରୁ ସମସ୍ତ କର୍ପୋରେଟରମାନେ ଏହି ସହାୟତା ରାଶି ପ୍ରଦାନ କରିଛନ୍ତି । ଦୁର୍ଘଟଣା ପ୍ରଭାବିତଙ୍କ ପରିବାରଙ୍କୁ ଏହି କଷ୍ଟକର ସମୟରେ ସମସ୍ତେ ସହଯୋଗର ହାତ ବଢାଇବା ଆବଶ୍ୟକତା ରହିଛି ବୋଲି ପ୍ରକାଶ କରିବା ସହ ସେ ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ଓ ଅଦ୍ୟାବଧି ଚିକିତ୍ସିତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।
ରାଜ୍ୟ
ବିଏମସି ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫ ଲକ୍ଷ ୪୩ ହଜାର ଟଙ୍କା ସହାୟତା
- Hits: 253











